ରଙ୍ଗ ପସରାରେ ଫେରିଛି ଫଗୁଣ
ବେରଙ୍ଗେ ମୋ ଦିନ ସରେ
ଯେଉଁ ରଙ୍ଗକୁ ମୁଁ ଝୁରୁଥିଲି ଦିନେ
ସେଇ ରଙ୍ଗ ମତେ ଝୁରେ
ସାତ ସୁରେ ଆଜି ଗାଉଛି ମଳୟ
ବେସୁରେ ଜୀବନ ହଜେ
ଯେଉଁ ସୁରକୁ ମୁଁ ଖୋଜୁଥିଲି ଦିନେ
ସେଇ ସୁର ମତେ ଝୁରେ
ଅଧୁରା ସପନ ତନ୍ଦ୍ରା ବିନା ମୋର
ବାରବାର ଉଙ୍କି ମାରେ
ଯେଉଁ ତନ୍ଦ୍ରାର ଅପେକ୍ଷା ଥିଲା ମୋ
ସେଇ ତନ୍ଦ୍ରା ମତେ ଝୁରେ
ପ୍ରୀତି ଭରା ସଚ୍ଚା ହୃଦୟଟା ମୋର
ବିରହେ ଚିତ୍କାର କରେ
ଯେଉଁ ଜହ୍ନ ପ୍ରୀତି ପିୟାସୀ ଥିଲି ମୁଁ
ସେଇ ଜହ୍ନ ମତେ ଝୁରେ
ଅସ୍ପଷ୍ଟ ଶବ୍ଦର ଭାବନା ଯେ ମୋର
କାଗଜର ଛାତି ଚିରେ
ଯେଉଁ ଛାନ୍ଦ ସବୁ ଭୁଲି ସାରିଛି ମୁଁ
ସେଇ ଛାନ୍ଦ ମତେ ଝୁରେ…
– ପୂର୍ଣ୍ଣିମା ପୃଷ୍ଟି
Comments
ପୂର୍ଣ୍ଣିମା ପୃଷ୍ଟି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।