ଉପ‌ହାର

Upahara Odia Story bi Biswaranjan Sahoo

ନିଜ ମୋବାଇଲରେ ଆସିଥିବା OTPକୁ ସଫଳତାର ସହ ପ୍ରବେଶ କରାଇବା ପରେ ଟିକେ ଆଶ୍ୱସ୍ତି ଅନୁଭବ କଲେ ମିଶ୍ର ବାବୁ । ଯାହା ବି ହେଲେ ପ୍ରଥମ ଥର କିଛି ଅନଲାଇନ କିଣିବାଟା ଗୋଟେ ଯୁଦ୍ଧ ଜିତିବା ପରି ଲାଗୁଥିଲା ମିଶ୍ର ବାବୁଙ୍କୁ । ଘରଣୀଙ୍କ ଏତେ କହିଲା ପରେ ଯାଇ ଆଜି ମିଶ୍ର ବାବୁ ଅନଲାଇନ କିଛି କିଣୁଛନ୍ତି । ପଡ଼ିଶା ଘର ଜେନା ବାବୁଙ୍କ ସ୍ତ୍ରୀ ଏତେ ସୁନ୍ଦର ଶାଢ଼ୀଟେ ପିନ୍ଧି ବୁଲୁଛନ୍ତି, ଆଉ ଜେନା ବାବୁ ସେ ଶାଢ଼ୀଟି କୁଆଡ଼େ ଅନଲାଇନ ମଗେଇଛନ୍ତି । ଏ ସବୁ ଦେଖି ଶ୍ରୀମତୀ ମିଶ୍ରଙ୍କ ବହୁତ ଇଚ୍ଛା ସେ ବି ଗୋଟେ ଏମିତି ଶାଢ଼ୀଟେ ଅନଲାଇନରୁ ମଗେଇବେ । ନିଜ ଘରଣିଙ୍କ ମନ ରଖିବାକୁ ଯାଇ ମିଶ୍ରବାବୁ ନିଜ ସହକର୍ମୀମାନଙ୍କ ସହ ଅନେକ ପରାମର୍ଶ କରି ଶେଷରେ ଇ-ଜଗତରୁ କିଛି କିଣି ଘରଣୀଙ୍କୁ ଉପହାର ଦେବେ ବୋଲି ମନସ୍ଥ କଲେ ଓ ଗୋଟେ ସୁନ୍ଦର ଶାଢ଼ୀଟିଏ ନିଜ ଘରଣୀଙ୍କୁ ପସନ୍ଦ ହେଲା ଭଳି କିଣିଲେ ।

ମିଶ୍ରବାବୁ ତାଙ୍କ କଲୋନୀରେ ଜଣେ ଜଣା ଶୁଣା ଲୋକ । ନିଜର ମେଳାପୀ ପ୍ରକୃତି ପାଇଁ ଛୁଆଙ୍କ ଠାରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତଙ୍କ ପାଖରେ ସେ ଲୋକପ୍ରିୟ । ନିଜର ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ତାଙ୍କର ମନୋବଳ ଓ ମୂରବୀପଣିଆ ପାଇଁ ସବୁ କାମରେ ତାଙ୍କୁ ଖୋଜା ହୁଏ ।

ସବୁ ସ୍ତ୍ରୀ ଲୋକଙ୍କ ଭଳି ଶ୍ରୀମତୀ ମିଶ୍ରଙ୍କର ସାଜସଜ୍ଜାରେ ଭାରି ମନ । ଏଥର ଶ୍ରୀମତୀ ଜେନାଙ୍କ ଠାରୁ କୋଉ ବି ଗୁଣରେ କମ୍ ନୁହନ୍ତି ସେ । ଆଉ କିଛି ଦିନ ପରେ ସେ ବି ଅନଲାଇନରେ ଆସିଥିବା ଶାଢ଼ୀ ପିନ୍ଧିପାରିବେ । କେବେ ସେ ନୂଆ ଶାଢ଼ୀଟା ପିନ୍ଧି ଶ୍ରୀମତୀ ଜେନାଙ୍କୁ ଦେଖେଇବେ ସେଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ସେ ।

ସେଦିନ ଅଫିସ୍‌ରୁ କାମ ସାରି ଫେରୁଥାନ୍ତି ମିଶ୍ର ବାବୁ । ମୁହଁ ଅନ୍ଧାର ହେଇ ଆସିଲାଣି । ସାରା ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶୀଘ୍ର ଘରେ ପହଞ୍ଚିଯିବାର ଇଚ୍ଛାଟା ଧୀରେ ଧୀରେ ତୀବ୍ରତର ହେବାକୁ ଲାଗିଲା । ସବୁଦିନ ପରି ନିଜ ପୁରୁଣା ସ୍କୁଟରଟି ଧରି ଫେରିଥାନ୍ତି । ହଠାତ ଟ୍ରାଫିକର ବିପରୀତ ପଟୁ ଯମଦୂତ ପରି ମାଡ଼ି ଆସିଲା ଲଗାମ ଛଡ଼ା ଟ୍ରକ୍‌ଟିଏ । ଲାଲ୍ ବତି ଜଳୁଥିଲେ ବି ବ୍ରେକ ଫେଲ୍ ହେବା ଯୋଗୁଁ ଅଟକି ପାରି ନଥିଲା ଟ୍ରକ୍‌ଟି ଆଉ ସିଧା ଆସି ଧକା ଦେଇଥିଲା ମିଶ୍ରବାବୁଙ୍କୁ । କିଛି କରିବା ପୂର୍ବରୁ ଗଳି ପଡ଼ିଥିଲେ ସେ । ICUରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ଆର ପାରିକୁ ଚାଲିଗଲେ ମିଶ୍ରବାବୁ ।

ଠିକ୍ ଦଶ ଦିନ ପରେ ଆରମ୍ଭ ହେଲା ଶୁଦ୍ଧିକ୍ରିୟା । ବିଦେଶରେ ରହୁଥିବା ପୁଅବୋହୂ ବି ଆସିଯାଇଥିଲେ । ନିଜର ସବୁ ସମ୍ପର୍କୀୟମାନେ ମଧ୍ୟ ଆସି ପହଞ୍ଚି ଯାଇଥିଲେ । ଶ୍ରୀମତୀ ମିଶ୍ର ଭାଙ୍ଗି ପଡ଼ିଥିଲେ ମଧ୍ୟ କାମ ସବୁ କିଭଳି ଠିକ୍ ଭାବେ ହେବା ସେ କଥା ବୁଝିବାରେ ହେଳା କରୁନଥାନ୍ତି । ସବୁ କାମ ସାରି କିଛି ବନ୍ଧୁ ବାନ୍ଧବ ମାନେ ଧୀରେ ଧୀରେ ଚାଲିଗଲେ । ଆଉ ଅଳ୍ପ କିଛି ଶ୍ରୀମତୀ ମିଶ୍ରଙ୍କୁ ସାହସ ଦେବା ପାଇଁ ଥା’ନ୍ତି । ଘରର ବଡ଼ ବଙ୍ଗଳାରେ ସମସ୍ତେ ବସି କିଛି ଗୋଟେ ଆଲୋଚନା କରୁଥାନ୍ତି । ସାଙ୍ଗରେ ଜେନା ବାବୁଙ୍କ ଘରଣି ବି ବସିଥାନ୍ତି । ପୁଅବୋହୂ ମା’କୁ ସାଙ୍ଗରେ ବିଦେଶ ନେଇଯିବା ପାଇଁ ନିଷ୍ପତି ନେଲେ । ଠିକ୍ ଏତିକି ବେଳେ କେହି ଜଣେ କବାଟ ବାଡ଼େଇବାର ଶୁଭିଲା । ଶ୍ରୀମତୀ ମିଶ୍ର ଆସି କବାଟ ଖୋଲିଲେ । ଏକ ଅଜଣା ବ୍ୟକ୍ତିକୁ ହାତରେ ଏକ ପ୍ୟାକେଟ ଧରି ଠିଆ ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।

“କୋରିଅରରୁ ଆସିଥିଲି । ଆପଣଙ୍କର ପାର୍ସଲ୍ ଅଛି ।” ଏତିକି କହି ପ୍ୟାକେଟଟି ବଢ଼ାଇ ଦେଇ ଚାଲିଗଲା ପିଲାଟି । ଶ୍ରୀମତୀ ମିଶ୍ର ପ୍ୟାକେଟଟି ଖୋଲି ଦେଖିଲେ ଏକ ସୁନ୍ଦର ଲାଲ୍ ଶାଢ଼ୀଟିଏ । ଚିକ୍ ମିକ୍ ଚୁମୁକି ସବୁ ଲାଗି ବହୁତ ସୁନ୍ଦର ଦିଶୁଛି । ମିଶ୍ର ବାବୁ ଅନଲାଇନରେ କିଣିଥିବା ଶାଢ଼ୀଟି ଆସି ପହଞ୍ଚିଛି ।

ବହୁତ୍ ସମୟ ସେମିତି କବାଟ ପାଖରେ ଶାଢ଼ୀଟିକୁ ଧରି ଶ୍ରୀମତୀ ମିଶ୍ର କ’ଣ ସବୁ ଭାବିଲେ । “କ’ଣ କରିବି ଶାଢ଼ୀଟି !” “ଫେରେଇ ଦେବି” ହେଲେ ଏତେ କହିଲା ପରେ ତାଙ୍କ ସ୍ୱାମୀ ପ୍ରଥମଥର ଏଇ ଶାଢ଼ୀଟେ ମଗେଇଥିଲେ । “ପିନ୍ଧି ବି ତ’ ପାରିବିନି ।”

ଲୁହ ଭିଜା ଆଖିରେ କଣେଇ ଚାହିଁଲେ ଶ୍ରୀମତୀ ଜେନାଙ୍କ ଆଡ଼କୁ । ସେଦିନ କିନ୍ତୁ ସେ ଅନଲାଇନରେ ଆଣିଥିବା ଶାଢ଼ୀଟେ ପିନ୍ଧି ଆସିନାହାନ୍ତି । କୋଉ ଗୋଟେ ପୁରୁଣା ଶାଢ଼ୀଟେ ପିନ୍ଧି ବସିଛନ୍ତି । ନିରିଖି ଚାହିଁଲେ ସେ ଶ୍ରୀମତୀ ଜେନାଙ୍କୁ । ଭାବିଲେ- “ଶାଢ଼ୀଟା ତାଙ୍କୁ ଭଲ ମାନିବ ।” ସମସ୍ତଙ୍କ ଆଗରେ ଯାଇ ଶ୍ରୀମତୀ ଜେନାଙ୍କୁ କହିଲେ, “ଯିବା ଆଗରୁ ଏଇ ଛୋଟ ଉପହାରଟି ରଖ ।”

– ବିଶ୍ୱରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...