ତୁମେ ଦେଖାଇଥିଲ ସ୍ୱପ୍ନ
ଭାଙ୍ଗିଦେଲ ଗୋଟିଏ କ୍ଷଣରେ
ଯଦି ଭାଙ୍ଗିବାର ଥିଲା ତେବେ ଗଢ଼ିଥିଲ କାହିଁ
ନା ମୋତେ ଭାଙ୍ଗିବା ଥିଲା ଉଦ୍ଦେଶ୍ୟ ତୁମର?
ବିଶ୍ୱାସ ଥିଲା ତୁମେ ମୋର ମୁଁ ତୁମର
ତୁମେ ସବୁବେଳେ ଅଛ ମୋ ସହିତ
ସୁଖରେ ଦୁଖରେ ଛାଇ ଆଲୁଅରେ
ଝଡ଼ଝଞ୍ଜାରେ ବି କେବେ ଛାଡ଼ିବନି ମୋ ହାତ ।
ସହଗାମି ଓ ମାର୍ଗଦର୍ଶୀ ହୋଇ
ତୁମେ ନେବ ମୋତେ ଜୀବନର ପଥେ,
ଚାଲୁଚାଲୁ ସେ ମାୟାଜାଲରେ ହେଲା ଅନୁଭୂତି
ଜୀବନ ପଥେ ନୁହେଁ, ଦେଇଛ ମୋତେ ଏକ ଚକ୍ରବ୍ୟୁହ ।
ଚକ୍ରବ୍ୟୁହରେ ଯେବେ
ଦେଖାଯାଏ କ୍ଷୀଣ ଆଲୋକର ରଶ୍ମି
ମନେହୁଏ ଏବେ ହେବ ସଂଘର୍ଷର ଅନ୍ତ କିନ୍ତୁ
ଆଲୋକ ସେପାରେ ନୂଆ ପଥ ମିଳେ
ଯାହା ଅନ୍ଧକାରମୟ ଓ କଣ୍ଟକିତ ।
କ୍ଷତାକ୍ତ ହୋଇଛି, ରକ୍ତାକ୍ତ ହୋଇଛି
ଧୈର୍ଯ୍ୟ ହରାଇଛି ଲୁହ ଝରାଇଛି
ନିଶବ୍ଦ ଜୀବନ ପଥରେ
ମନକୁ ବୁଝେଇଛି କେହି ନଥିଲେ ବି
ଶୂନ୍ୟ ପଥରେ ତୁମେ ତ ଅଛ ।
ସଂଘର୍ଷ କରିଛି ସବୁ ମୋଡ଼ରେ
ହାତ ବଢ଼ାଇଛି ତୁମ ଆଡ଼କୁ
ଭାବି ଯେ ତୁମେ ମୋ ସହିତ ଅଛ
ପଥର ପ୍ରାୟ ସଂଘର୍ଷକୁ
ମୋର ଅଦେଖା କରି ଏଡ଼ାଇ ଦେଇଛ ।
ତୁମେ ହିଁ ମିତ୍ର ତୁମେ ହିଁ ସଖା
ଯିଏ ପ୍ରତି କ୍ଷଣରେ ମୋ ସହିତ ଅଛି
ଧୀରେ ଧୀରେ ସେ ବିଶ୍ୱାସର ରଶ୍ମି
କ୍ଷୀଣ ହୋଇଯାଏ, ଦୂରେଇ ଯାଏ,
ମନେହୁଏ ଯେମିତି ଲିଭିଯିବ
ମୋ ବିଶ୍ୱାସର ଦୀପ ।
– ସୁଜାତା ଦାଶ
Comments
ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।