ମୁଁ ତ ଗଢ଼ିଥିଲି ଏକ ସୁନ୍ଦର ରାଜଉଆସ ଏ ହୃଦୟରେ କାହିଁ କେତେ ଧୈର୍ଯ୍ୟ ଆଉ ବିଶ୍ୱାସର ମୂଲ୍ୟରେ,
ତୁମେ ହିଁ ଉପେକ୍ଷା କଲ ସେ ରାଜଉଆସକୁ ଆଉ ତୁଳନା କଲ ଧନ ଓ ଧନୀକ ସାଙ୍ଗରେ;
ମୁଁ ତ ରଖିଥିଲି ସାଇତି କେତେଯେ ଶୀତଳ ଛାୟା ତୁମ କୋମଳ ହୃଦୟକୁ ଆଚ୍ଛାଦିତ କରିବା ଆଶାରେ,
ତୁମେ ହିଁ ଉତ୍ତପ୍ତ କଲ ସେ ଶୀତଳ ଛାୟାକୁ ଆଉ ଜଟିଳ କଲ ତୁମ ହୃଦୟକୁ ଡହଡହ କ୍ରୋଧର ବହ୍ନିରେ;
ମୁଁ ତ ଚାହୁଁଥିଲି ଦେବାକୁ ଅସରନ୍ତି ପ୍ରେମ ଆଉ ପ୍ରତି ମୁହୁର୍ତ୍ତରେ ବଞ୍ଚିବାର ଉଜ୍ଜ୍ୱଳ ଆଲୋକ ତୁମ ଜୀବନରେ,
ତୁମେ ହିଁ ସନ୍ଦେହ କଲ ସେ ଆଲୋକର ନିର୍ମଳତାକୁ ଆଉ ଉପେକ୍ଷା କଲ ସେ ପ୍ରେମର ଅସରନ୍ତି ଭଣ୍ଡାରକୁ ବାସ୍ କିଛି ଅବିଶ୍ୱାସ ଓ ସନ୍ଦେହର ବୀଜରେ;
ମୁଁ ତ ଭାବିଥିଲି ତୁମକୁ ଏ ଅଶାନ୍ତ ସମୁଦ୍ରରୁପୀ ଜୀବନରେ ପାରିହେବାକୁ ଏକ ସୁଦୃଢ଼ ଜାହାଜ,
ତୁମେ ହିଁ ବାସ୍ ହୋଇଗଲ ଏକ ବିଶାଳ ଢେଉ ଆଉ ବିଲୀନ କରିଦେଲ ସେ ଜାହାଜକୁ ସେ ନୀଳ ସମୁଦ୍ରର ଅକାଳ ଗର୍ଭରେ;
କିନ୍ତୁ ଏବେ ବି ମୁଁ ବଞ୍ଚିଛି ଆଉ ସୁଦୃଢ଼ ରଖିଛି ମୋର ଏ ବିଶାଳ ପର୍ବତରୂପୀ ହୃଦୟକୁ ପୁଣି ଏକ ନୁତନ ସୂର୍ଯ୍ୟୋଦୟକୁ ଦେଖିବା ଆଶାରେ,
ତୁମେ ସିନା ହୋଇଗଲ ସ୍ଵାର୍ଥପର କିନ୍ତୁ ମୋର ହୃଦୟ ଏବେ ବି ସେମିତି ଅକ୍ଷୂର୍ଣ୍ଣ ଓ ଅଟଳ ତୁମ ଜୀବନକୁ ସର୍ବଦା ସତେଜ କରିବା ଲକ୍ଷ୍ୟରେ…
– ଯଜ୍ଞେଶ କୁମାର ରାଉତ
Comments
ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।