କେତେ ବସନ୍ତ ପରେ ଆସିଛି
ଆଉ ଏକ ବସନ୍ତ
ତଥାପି ହୋଇ ନାହିଁ
ଅପେକ୍ଷାର ଅନ୍ତ ॥
ଶୀତଳ ମଳୟ ଯେବେ
ତନୁକୁ ମୋ ଶିହରେଇ ଦିଏ
ଝରକା ଖୋଲି ଦେଖେ
ତୁମେ ତ ନ ଥାଅ ସେଠାରେ ॥
ଅସ୍ତ ହୁଏ ରବି ଯେବେ
ଗଗନକୁ କରି ପୀତ ବର୍ଣ୍ଣ
ଆଖିରେ ମୋ ନାଚି ଉଠେ
କାହିଁ ତୁମ ହସ ହସ ମୁହଁ ॥
ଅଜାଗା କ୍ଷତକୁ ତ’
ଦେଖାଇ ହୁଏ ନା
ହୃଦୟରେ ଅଛ ବୋଲି
ଖୋଲି କହି ବି ପାରେନା ॥
ସଙ୍ଗ ମେଳେ ଅପମାନ
ଆଉ ବେଦନାକୁ ଶୁଣି
ଇଚ୍ଛା ହୁଏ ତୁମ ପ୍ରଶସ୍ତ
ଛାତି ଉପରେ ମୁଣ୍ଡ ରଖି
ଲୁହ ଦି’ ଟୋପା
ଢାଳି ଦେବା ପାଇଁ ॥
କିନ୍ତୁ ଚମକି ଉଠେ
ଯେବେ ବିବେକ ମୋର
ପ୍ରଶ୍ନ କରେ କେଉଁ
ଅଧିକାରେ ବୋଲି ॥
ଆଶା ନାହିଁ ତୁମ ନାମର
ଶଙ୍ଖା ଆଉ ସିନ୍ଦୁର
କି ତୁମ ପାଣିର ମିଠା ସ୍ପର୍ଶ
କି ହେବାକୁ ତୁମର ଅର୍ଦ୍ଧାଙ୍ଗିନୀ ॥
ଥରୁଟିଏ ଖାଲି
ଏ ଆଖି ଦେଖିବାକୁ ଚାହେଁ
ଅଛି କି ସେ ଆଖିରେ
ସେହି ଭାବ ପ୍ରବଣତା
ଯାହା ପ୍ରତି ମୁହୂର୍ତ୍ତରେ
ଦିଏ ମୋତେ ଯନ୍ତ୍ରଣା ॥
ଉଜାଗର ରହି
ଜାଳୁଛି ଜାଗର
ତୁମ ଦରଶନ ପାଇଁ
ଚରଣାରବିନ୍ଦେ ପ୍ରାଣକୁ ମୋର
ସମର୍ପି ଦେବି ବୋଲି ॥
ଯଦି କେବେ ଭୋଳାନାଥ
କରନ୍ତି ତୁମ ସହ ଭେଟ
ଘଟେ ଏ ଲୁଚକାଳିର ଅନ୍ତ
ତଥାପି କହି କି ପାରିବି
ତୁମକୁ ମୁଁ ଭଲ ପାଏ ବୋଲି ॥
– ପଲ୍ଲବୀ ପୂଜାପଣ୍ଡା
Comments
ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।