ହରି ବୋଲି ଜଣେ ବ୍ୟକ୍ତି ରହୁଥିଲା । ସେ ବହୁତ ଗର୍ବୀ ଏବଂ ଅତ୍ୟନ୍ତ ଅମାନୁଷିକ ବ୍ୟକ୍ତି ଥିଲା । ଥରେ ମଧୁପୁର ଗାଁକୁ ବାବା ସତ୍ୟାନନ୍ଦ ଆସିଥିଲେ କିଛି ଦିନ ସତସଙ୍ଗ ପାଇଁ । ଦିନେ ହରିକୁ ତା’ ସ୍ତ୍ରୀ କହିଲା ଜଣେ ବାବା ଆସିଛନ୍ତି, ତାଙ୍କୁ ଦେଖାକରିବାକୁ । ହରି ପ୍ରଥମେ ରାଜି ହେଉନଥିଲା, ପରେ ହରି ତାଙ୍କ ପାଖକୁ ଗଲା, ଯାଇ ପଚାରିଲା ଦୁନିଆରେ କେମିତି ଶାନ୍ତିରେ ରହିହେବ ।
ବାବା କହିଲେ, “ତମେ ମୋ ସମ୍ମୁଖକୁ ଆସି ବସ, ମୁଁ ତମ ଆଗାମୀ ଭବିଷ୍ୟତ ବିଷୟରେ ଦେଖି କିଛି କହିବାକୁ ଚାହେଁ ।” ସେ ସେଇଠୁ ବାବାଙ୍କ ସମ୍ମୁଖକୁ ଆସିଲା । ବାବା କହିଲେ, “ତମେ ଆଗାମୀ ସାତ ଦିନ ଭିତରେ ମୃତ୍ୟୁ ବରଣ କରିବ ଏବଂ ତମେ ଯଦି କହିବ ଏ ସମ୍ବଦ୍ଧରେ ଆଉ କିଛି କହିବି ।” ହରି ନା ଥାଉ କହିଲା ଓ ସେ ସେଠାରୁ ଶୀଘ୍ର ପଳେଇଲା । କାରଣ ସେ ବାବାଙ୍କ କଥାରେ ସମ୍ମତି କରୁନଥିଲା ।
ତହିଁ ଆରଦିନ ତା’ ମନରେ ପୂର୍ବରୁ କରିଥିବା ଘୃଣ୍ୟ କାମ ପ୍ରତି ବୀତସ୍ପୃହ ହେଲା । ସେ ଯାହାଠାରୁ ଧାର କରଜ କରିଥିଲା ସବୁ ଦେଇଦେଲା । ଯାହାକୁ ଗାଳି ଗୁଲଜ କରିଥିଲା ତାଙ୍କୁ କ୍ଷମା ମାଗିଲା । ଘରେ ନିଜ ସ୍ତ୍ରୀକୁ ପୂର୍ବରୁ ଦେଇଥିବା କଷ୍ଟ ବିଷୟରେ ଅନୁତାପ କରିଲା । ପିଲାମାନଙ୍କୁ ସ୍ନେହ ଓ ଆଦର କଲା । ସେ ତା ସ୍ତ୍ରୀକୁ କହିଲା, “ମୁଁ ଏବେ ନିଜକୁ ବଦଳିବା ସହ ଭଗବାନଙ୍କ ସରଣାପର୍ଣ୍ଣ ହେଉଛି । ଯଦି ତୁ ପାରୁଛୁ ମୋ ସହ ଆସ ।” ସେ ଭଗବାନଙ୍କ ଧ୍ୟାନରେ ମଗ୍ନ ହୋଇଗଲା ।
ଏଇଭଳି ବାବା କହିଥିବା କଥାର ୬ଷ୍ଠ ଦିନ ବିତିଗଲା, ୭ମ ଦିନ ହରି ଭଗବାନଙ୍କୁ ସ୍ମରଣ କରୁଥାଏ, ମନ ତା’ର ପ୍ରଫୁଲ୍ଲିତ ଥାଏ । ସେ ଭାବିଲା ବାବଙ୍କୁ ଯାଇ ଦେଖା କରିବ । ବାବା ଧ୍ୟାନରେ ବସିଥାନ୍ତି; ହରି କହିଲା, “ବାବା ପ୍ରଣାମ ! ବାବା ମୁଁ ଏବେ ଜାଣିବାକୁ ଚାହୁଁଛି କି ଆଗକୁ କେମିତି ବଞ୍ଚିବାକୁ ହୁଏ ।”
ବାବା ପଚାରିଲେ, “କ’ଣ କ’ଣ କଲୁ ଏଇ ସାତ ଦିନ ଯାକ?”
ହରି କହିଲା, “ମୁଁ ଯେଉଁମାନଙ୍କୁ ଦୁର୍ବ୍ୟବହାର କରିଥିଲି, ଯାହାକୁ କଟୁ କଥା କହିଥିଲି ଓ ଯେଉଁଠୁ ଧାର କରଜ ଆଣିଥିଲି, ସେମାନଙ୍କୁ କ୍ଷମା ମାଗିଲି ଏବଂ ତାଙ୍କ ଟଙ୍କା ଫେରେଇ ଦେଲି । ସ୍ତ୍ରୀକୁ ତା’ ହକ ଦେଲି, ପିଲାମାନଙ୍କୁ ସ୍ନେହ, ଆଦର କଲି ।”
ବାବା ପଚାରିଲେ, “ଆଉ ଭଗବାନଙ୍କୁ ଧ୍ୟାନ କରିଲ କି ନାହିଁ?”
ହରି କହିଲା, “ହଁ ।”
ବାବା ପଚାରିଲେ, “କ’ଣ ଅନୁଭବ କରିଲ?”
ହରି କହିଲା, “ବହୁତ ଶାନ୍ତି ଓ ଶକ୍ତି ମିଳିଲା । ଆଗରୁ ବହୁତ ବଦ ରାଗି ଥିଲି, ଏବେ ପୁରା ଶାନ୍ତ ଓ ସରଳ ।”
ବାବା ପଚାରିଲେ, “ତେବେ ଏଇଭଳି ଆଗାମୀ ଜୀବନକୁ ଆଗେଇ ନିଅ ।”
ହରି କହିଲା, “ବାବା ଆପଣ ତ କହିଛନ୍ତି କି ମୋର ସାତ ଦିନ ମାନେ ଆଜି ମୃତ୍ୟୁ ବରଣ ହେବ ବୋଲି ।”
ବାବା ପଚାରିଲେ, “ସାତ ଦିନ କ’ଣ? ମଣିଷ ଏଇ ମୁହୂର୍ତ୍ତରେ ମୃତ୍ୟୁ ହେଉଛି ଓ ଜନ୍ମ ହେଉଛି । ସେଇଟା ସୋମବାର ଅବା ବୁଧବାର ଅବା ଗୁରୁବାର ହୋଇପାରେ । ମୁଁ ତୁମକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲି । ସେଥିପାଇଁ ଟିକେ ବୁଲେଇକି କହିଲି । ଏବେ ମୋ ଉପଦେଶକୁ କାମରେ ଆଗେଇ ନିଅ ଓ ଆନନ୍ଦରେ ଜୀବନ ଅତିବାହିତ କର ।”
– ବ୍ରଜେନ୍ଦ୍ର କୁମାର ମିଶ୍ର
Comments
ବ୍ରଜେନ୍ଦ୍ର କୁମାର ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।