ବାପା ଶବ୍ଦଟି ଶୁଣିବା କ୍ଷଣି ମନକୁ ଆସିଯାଏ ଏକ ଶକ୍ତ, କଠୋର ମଣିଷର ପ୍ରତିଛବି । ହେଲେ ବାପା ପରା ସେ ହୋଇଥାନ୍ତି ଯିଏ ଛୁଆଟିକୁ ସପନ ଦେଖେଇବା ଶିଖାନ୍ତି । ଲୁହ ପିଇ ହସିବା ଶିଖାନ୍ତି । ପିଲାଟିର ସବୁ ଅଳିକୁ ସହି, ନିଜର ସବୁ ସ୍ୱପ୍ନକୁ ଆଖିରେ ମାରି ନିଜ ସନ୍ତାନର ସବୁ ସ୍ୱପ୍ନକୁ ପୂରା କରନ୍ତି । ବାହାରୁ ଯେତେ କଠୋର ହେଲେ ମଧ୍ୟ ଭିତରେ ଏକ ସରଳ, ପ୍ରେମ ଭରା ହୃଦୟରେ ସବୁବେଳେ ନିଜ ଛୁଆମାନଙ୍କର ଆଦର କରନ୍ତି । ତେଣୁ ତ ଆକାଶଠାରୁ ଲମ୍ବା ପୃଥିବୀ ଠାରୁ ବଡ଼ ମନ ଯାହାର ସିଏ ବାପା । ବୋଧେ ସେହି କାରଣରୁ ସବୁ ଛୁଆଙ୍କର ଆଦର୍ଶ ତାଙ୍କ ବାପା ହୋଇଥାନ୍ତି । ସେମିତି ପିଣ୍ଟୁ ଆଉ ଚିଙ୍କୁର ଆଦର୍ଶ ହେଉଛନ୍ତି ତାଙ୍କ ବାପା ।
ପିଣ୍ଟୁ ଆଉ ଚିଙ୍କୁ ଦୁହେଁ ଭାରି ସାଙ୍ଗ । ଦୁହିଁଙ୍କର ପ୍ରାୟ ସମସ୍ତ ଗୁଣ ସମାନ । ସେହିପରି ଦୁହିଁଙ୍କର ଆଦର୍ଶ ହେଉଛନ୍ତି ତାଙ୍କର ବାପା । ଚିଙ୍କୁର ବାପା ହେଉଛନ୍ତି ପୂର୍ବତନ ସେନାବାହିନୀ ଅଫିସର । ଚିଙ୍କୁ ଯେତେବେଳେ ଛୋଟ ଥିଲା ସେବେ ତା ବାପା ଶତ୍ରୁଙ୍କ ବିରୁଦ୍ଧରେ ଯୁଦ୍ଧ କରି ଦେଶ ପାଇଁ ବଳିଦାନ ଦେଇ ପ୍ରାଣତ୍ୟାଗ କରିଥିଲେ । ଚିଙ୍କୁକୁ ନିଜର ବାପା ଛେଉଣ୍ଡ ହେବାର ଦୁଃଖ ନାହିଁ ବରଂ ସେ ନିଜ ବାପାଙ୍କ ବୀରତ୍ୱର ପ୍ରଶଂସା କରେ ଓ ତାଙ୍କ ଭଳି ଦେଶ ସେବା କରିବ ବୋଲି କୁହେ ।
ପିଣ୍ଟୁର ବାପା ହେଉଛନ୍ତି ଏକ ଡାକ୍ତର । ଡାକ୍ତର ହେଇଥିବାରୁ ପିଣ୍ଟୁ ବାପାଙ୍କର ମଧ୍ୟ ବହୁତ ମାନ ସମ୍ମାନ ରହିଛି । ସେ ମଧ୍ୟ ରୋଗୀଙ୍କୁ ଭଲ କରି ଦେଶ ସେବା କରନ୍ତି ହେଲେ ପଇସାଖୋର କହି ଲୋକେ ସେଇ ସମ୍ମାନରେ ଏକ କଳା ଦାଗ ଲଗେଇ ଦିଅନ୍ତି । ତେଣୁ ଚିଙ୍କୁ ଭଳି ପିଣ୍ଟୁ ତା’ ବାପାଙ୍କୁ ନେଇ ସେତେଟା ଗର୍ବକରି କହିପାରେନି । ତେବେ ଏବେ କ’ଣ ପିଣ୍ଟୁର ମାମା କହୁଥିଲେ ତା’ ପାପା କୁଆଡ଼େ ଦେଶ ସେବା କରିବାକୁ ଯାଇଛନ୍ତି ।
କିଛି ଦିନ ହେଲା ପିଣ୍ଟୁ ତା’ ପାପାଙ୍କୁ ଦେଖିନି । ସେ ଦିନ ପିଣ୍ଟୁ ତା’ ମାମାକୁ ପଚାରିଲା ପାପା ବିଷୟରେ । ମାମା କହିଲେ, ତା’ ପାପା ଯାଇଛନ୍ତି ଦେଶର କୋରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ । ପିଣ୍ଟୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା ତା’ ମାମାକୁ, “ମାମା, କୋରୋନା ଯୁଦ୍ଧ କ’ଣ? କ’ଣ ହବ ସେ ଯୁଦ୍ଧରେ? କୋରୋନା ଭୂତାଣୁ କ’ଣ? ଆଉ ପାପା କେବେ ଆସିବେ?” ଏପରି ଅସରନ୍ତି ପ୍ରଶ୍ନର ପାହାଡ଼ରେ ପୋତି ଦେଲା ପିଣ୍ଟୁ ତା’ ମାମାକୁ । ଧୀରେ ଧୀରେ ମାମା, ପିଣ୍ଟୁକୁ କୋରୋନା ଭୂତାଣୁ ତଥା ତାହାର ପ୍ରଭାବ ବିଷୟରେ ବୁଝେଇଲେ ଆଉ ତା’ ପାପା କିପରି ଏହି ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ହୋଇ ଯୁଦ୍ଧ କରି କୋରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କୁ ଠିକ କରୁଛନ୍ତି ସେ ବିଷୟରେ ମଧ୍ୟ ବୁଝେଇଲେ । ଆଉ ସେମାନେ କିପରି ଘରେ ରହି ପରୋକ୍ଷ ଭାବେ ତା’ ପାପାଙ୍କୁ ଏହି ଯୁଦ୍ଧରେ ସାହାଯ୍ୟ କରୁଛନ୍ତି ବୁଝେଇଲେ ।
ଏବେ ପିଣ୍ଟୁର ମନ ବହୁତ ଖୁସି । ସ୍କୁଲ ଖୋଲିଲେ, ସେ ମଧ୍ୟ ଏବେ ତା’ ସାଙ୍ଗମାନଙ୍କୁ କହିପାରିବ ଯେ କିପରି ତା’ ପାପା ଦେଶ ପାଇଁ ଯୁଦ୍ଧ କରୁଥିଲେ । ଛୋଟିଆ ମନରେ ପିଣ୍ଟୁ ଭାବିଲା, ସେ ତା’ ପାପାଙ୍କ ବୀରତ୍ୱ ପାଇଁ ତାଙ୍କୁ କିଛି ଗୋଟେ ଉପହାର ଦେବ । ସେଇଥିପାଇଁ ସେ ଛୋଟିଆ ଥାଙ୍କ ୟୁ କାର୍ଡ଼ ଟେ ତିଆରି କରିବା ଆରମ୍ଭ କରିଦେଲା । ପ୍ରତିଦିନ ତା’ ମାମାଙ୍କୁ ପଚାରୁଥାଏ ଯେ, ତା’ ପାପା କେବେ ଆସିବେ ।
ଦିନେ ହଠାତ୍ ଫୋନ ଆସିଲା, ଆଉ ସେ ଫୋନଟି ପରେ ପିଣ୍ଟୁର ମାମାଙ୍କ ଧର୍ଯ୍ୟର ସୀମା ରହିଲା ନାହିଁ । ପିଣ୍ଟୁ ପଚାରିବାରୁ ସେ କିଛି କହିପାରିନଥିଲେ, ବାସ ଏତିକି କହିଥିଲେ, “ତୋ’ ପାପା ଦେଶ ପାଇଁ ଯୁଦ୍ଧ କରି ସହିଦ ହୋଇଗଲେ ।” ତା’ପରେ ନିଜ ଆଖିର ଲୁହ ଆଉ ମନର କୋହକୁ ସମ୍ଭାଳି ପାରିନଥିଲେ ପିଣ୍ଟୁର ମାମା । ଛୋଟିଆ ପିଲା ହେଲେ ବି ପିଣ୍ଟୁ ବୁଝିପାରିଥିଲା ସବୁ କିଛି, ହେଲେ ଦୁଃଖ କରିନଥିଲା କେବଳ ନିଜେ ତିଆରି କରିଥିବା କାର୍ଡ଼ଟିକୁ ଲୁହ ଭରା ଆଖିରେ ଦେଖି ଚାଲିଥିଲା ।
– ସୌମ୍ୟାଶ୍ରୀ ତ୍ରିପାଠୀ
Comments
ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।