ତେଲ

Odia Poem Tela (ତେଲ) by Bijay Choudhury

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ ।

କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ ଟିକସ ପାଆନ୍ତି ସେଇଟା ତେଲ ଦରର ଷାଠିଏ ଭାଗ, ଆମ ଦେଶ ଓ ରାଜ୍ୟର ବି ସେଇ ଟିକସରେ ଭାଗ ଥାଏ । କୌଣସି ସରକାର ଏହାକୁ ରୋକି ପାରିବ ନାହିଁ । ଅବଶ୍ୟ ବିରୋଧୀ ଦଳ ହିସାବରେ ବିରୋଧ କରିବାକୁ ବାଧ୍ୟ ।

ମୁଁ କିନ୍ତୁ ଏ ତେଲ କି ଖାଇବା ତେଲ କି ଲଗାଇବା ତେଲ କହିବିନି, ଆଜି ଏକ ଖାସ ତେଲ କଥା କହିବି ଯା’ର ଦାମ ରୂପା, ସୁନା, ହୀରାଠାରୁ ବି ଯଥେଷ୍ଟ ଅଧିକ ଓ ଫଳପ୍ରଦ ।

ହଁ ଆଜ୍ଞା, ଆପଣ ଜାଣନ୍ତି ! ଅତୀତରେ ତେଲ ମାଲିସ ଥିଲା । କେବେ କେମିତି ଆପଣ ବି ମାଲିସ କରାଇ ଥିବେ । ମୁଁ ଏମ.ଏଲ.ଏ. କଲୋନୀରେ ଦୁଇଥର ବାରିକଠାରୁ ମାଲିସ କରାଇ ଥିଲି ଆମ ବିଧାୟକଙ୍କ ଘରେ । ଅବଶ୍ୟ ଏବେ ଆଉ ବାରିକଙ୍କ ନାମ ମନେ ପଡ଼ୁନି । ହଁ ଆଜ୍ଞା ଏବେ ଯାହାକୁ ବଡି ମାସେଜ କହୁଛନ୍ତି, ସୁନ୍ଦରିଆ ଝିଅମାନେ ମାଡ଼ି ବସି ଏମିତି ମାସେଜ କରନ୍ତି ଯେ ଥକ୍କା ଦୂରହୁଏ । ଏବେ ଏବେ ତ ମେସିନରେ ବି ହେଲାଣି, ବୈଷ୍ଣଦେବୀ ଦର୍ଶନ ପରେ ଥରେ ମୁଁ ମଧ୍ୟ କରାଇଛି ।

ଏବେ ଆମେ ସେହି ଖାସ ତେଲ କଥାକୁ ଆସିବା । ଆପଣ ତେଲିଆ ଶବ୍ଦ ଶୁଣିଛନ୍ତି ନିଶ୍ଚୟ ! ଏମାନଙ୍କ କାମ ହେଲା ତେଲ ମାରିବା, ମାନେ ଅଯଥା ପ୍ରଶଂସା କରି କାମ ହାସଲ କରିବା । ଯିଏ ଯେତେ ଭଲ ତେଲ ମାରି ପାରିଲା ସିଏ ସେତେ ଉପରକୁ ଉଠିଲା ।

ଆପଣ ନେତାଙ୍କୁ ତେଲ ମାରିପାରିଲେ ଟିକେଟ ଥୁଆ, ଅଫିସରଙ୍କୁ ମାରିଲେ ପ୍ରମୋଶନ, ପ୍ରଫେସରଙ୍କୁ ମାରିଲେ ଟପ୍ ପୋଜିଶନ, ଘରଣୀଙ୍କଠାରୁ ଶାନ୍ତି, ପ୍ରେମିକାଠାରୁ ସର୍ବସ୍ୱ ଆଉ ସାହିତ୍ୟ କଥା କ’ଣ କହିବି । ପ୍ରକାଶନ ଏବଂ ସମ୍ବର୍ଦ୍ଧନା ତ ଏଇ ତେଲ ବାଟ ଦେଇ ହିଁ ଆସେ ।

କ’ଣ? ଏହା ସତ ନୁହେଁ? ହଁ ଆଜ୍ଞା ଟିକେ ମଜାକ କରୁଥିଲି ।

– ବିଜୟ ଚୌଧୁରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...