You are currently viewing ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ
Biography of Shankaracharya Swaroopanand Saraswati (ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୀବନୀ)

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ – ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ, ସ୍ୱାଧୀନତା ସଂଗ୍ରାମୀ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ । ୧୯୮୨ ମସିହାରେ, ସେ ଗୁଜୁରାଟର ଦ୍ୱାରକା ସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ।

ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ମଧ୍ୟ ପ୍ରଦେଶର ସେଓନି ଜିଲ୍ଲାର ଡିଗୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାମ ପୋଥିରାମ ଉପାଧ୍ୟାୟ ଥିଲା । ସେ ୧୯୪୧ ମସିହାରୁ ୧୯୫୩ ମସିହା ପର୍ଯ୍ୟନ୍ତ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କର ଶିଷ୍ୟ ଥିଲେ । ଏହାପରେ ସେ ୧୯୫୩ରୁ ୧୯୭୩ ପର୍ଯ୍ୟନ୍ତ ଅନ୍ୟତମ ଶଙ୍କରାଚାର୍ଯ୍ୟ (ବିବାଦୀୟ) ଉପାଧିରେ ଭୂଷିତ ଗୁରୁ କ୍ରିଷ୍ଣାବୋଧ ଆଶାରାମଙ୍କର ଶିଷ୍ୟ ଥିଲେ ।

୧୯୫୦ ମସିହାରେ ତାଙ୍କ ଗୁରୁ ବ୍ରହ୍ମାନନ୍ଦ ତାଙ୍କୁ ଦାଣ୍ଡି ସନ୍ୟାସି ଭାବରେ ଦାୟିତ୍ୱ ଦେଇଥିଲେ । ସ୍ୱାମୀ କରପତ୍ରିଙ୍କ ଦ୍ୱାରା ପ୍ରତିଷ୍ଠିତ ଅଖିଳ ଭାରତୀୟ ରାମ ରାଜ୍ୟ ପରିଷଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୧୯୭୩ ମସିହାରେ ସ୍ୱାମୀ କ୍ରିଷ୍ଣାବୋଧଙ୍କର ଦେହାନ୍ତ ପରେ ସେ ବଦ୍ରିନାଥ ସ୍ଥିତ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ (ବିବାଦୀୟ) ଉପାଧିରେ ଭୂଷିତ ହୋଇଥିଲେ । ୧୯୮୨ ମସିହାରେ ସେ ଦ୍ୱାରକାପୀଠର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଭୂଷିତ ହୋଇଥିଲେ ।

୨୦୨୨ ମସିହା ସୁଦ୍ଧା ସ୍ୱାମୀ ବାସୁଦେବାନନ୍ଦ ଓ ସ୍ୱାମୀ ସ୍ୱରୂପାନନ୍ଦ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ବୋଲି ନିଜର ଦାବି କରୁଥିଲେ । ଯେହେତୁ ସ୍ୱାମୀ କ୍ରିଷ୍ଣାବୋଧ ନିଜେ ନିଜକୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ, ତେଣୁ ସେ ତାଙ୍କର ଉତ୍ତରାଧିକାରୀ ବାଛିପାରିବେ ନାହିଁ ବୋଲି ଅନେକ ଅଭିଯୋଗ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ

୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ମାତ୍ର ୧୯ ବର୍ଷ ବୟସରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗ ଦେଇଥିଲେ ଏବଂ “ରିଭୋଲ୍ୟୁସନାରୀ ସାଧୁ” ଭାବରେ ପରିଚିତ ହୋଇଥିଲେ । ଏଥିପାଇଁ ତାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା । ସେ ନଅ ମାସ ଏବଂ ପୁଣି ଛଅ ମାସ ଜେଲଦଣ୍ଡ ଭୋଗିଥିଲେ।

ମୃତ୍ୟୁ

ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ୨୦୨୨ ମସିହାର ସେପ୍ଟେମ୍ବର ୧୧ ତାରିଖରେ ନରସିଂହପୁରରେ ୯୯ ବର୍ଷ ବୟସରେ ଦେହ ତ୍ୟାଗ କରିଥିଲେ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।