ସୂର୍ଯ୍ୟ ଆଉ ଆଗପରି ନାହିଁ
ବହୁତ ବଦଳି ଯାଇଛି,
ଜଣା ନାହିଁ,
ଆଜି କାଲି କ’ଣ ହୋଇଛି ତା’ର
କାହିଁକି ସେ ରାଗରେ ଗରଗର
ସବୁବେଳେ କ୍ରୋଦ୍ଧରେ ଜଳୁଛି !
ପ୍ରଭାତରେ ବାଳ ଅରୁଣର
ସୌମ୍ୟ ସୁଶୋଭିତ
କମନୀୟ କାନ୍ତି ତ ଦିଶୁଛି
କିନ୍ତୁ ଛଳନାରେ ଭ୍ରମିତ ହୁଅନି
ସାପ ଛୋଟ ହେଲେ ବିଷ ଟାଣ ଅଛି,
ଏବେ କାହିଁକି କେଜାଣି ସବୁବେଳେ
ସୂର୍ଯ୍ୟ ଖାଲି କ୍ରୋଦ୍ଧରେ ଜଳୁଛି ।
ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ
କୁନି ଛୁଆଟିଏ ପରି ଲାଲ ଟୁକଟୁକ୍
ଅବା ସଂଧ୍ୟାରେ ବାର୍ଦ୍ଧକ୍ୟର ଶାନ୍ତ
ଶିଥିଳତା ଦେଖାଇ ହୁଏ,
କିନ୍ତୁ ସକାଳୁ ସନ୍ଧ୍ୟାଯାଏଁ
ଆକାଶରୁ ଅଗ୍ନି ବର୍ଷୁଛି
ସୂର୍ଯ୍ୟ ସତେ କ୍ରୋଦ୍ଧରେ ଜଳୁଛି ।
ଭାଟି ଭିତରର ଇଟା ପରି
ମଣିଷକୁ ଜଳାଇ ଦେଉଛି,
ଗମ୍ ଗମ୍ ଝାଳ ବୋହିଯାଏ
ସୁଶୀତଳ ଜଳ ଖୋଜେ ପ୍ରାଣ
ମଣିଷ ସତେ ଅବା
ନର୍କର ଗରମ ତେଲରେ ଫୁଟୁଛି ।
ପ୍ରକୃତିର ବିନାଶ କରିଛୁ
ସଭ୍ୟତା ନାଆଁରେ
ଗଛସବୁ କାଟି ସାରିଛୁ
ଏବେ ସୂର୍ଯ୍ୟ ତଳେ
ସୁଶୀତଳ ଆଶ୍ରୟ ଖୋଜୁଛୁ !
ପ୍ରକୃତି ମିତ୍ରର ବଂଶନାଶ ଜଜ୍ଞକରି
ମିତ୍ରଭାନୁଠାରୁ ମିତ୍ରତା ଚାହୁଁଛୁ,
ନିଜ ହାତେ ନିଜ ଜିହ୍ୱା କାଟିଦେଇ
ଏବେ ସଙ୍ଗୀତ ନୁହେଁ
ଯନ୍ତ୍ରଣାରେ ଆର୍ତ୍ତ ଚିତ୍କାର କରୁଛୁ ।
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।