“ଓହୋ, ଏଇ ସପ୍ତାହଟା ଗୋଟିଏ ବର୍ଷ ଭଳି ଲାଗିଲା । ଯା ହଉ କାଲି ରବିବାର ।” ନିଜ ବ୍ୟାଗ ସଜାଡୁ ସଜାଡୁ ବଡ଼ବାବୁ କହିଲେ । ନିତା ତାଙ୍କ ପାଖ କ୍ୟାବିନରେ ବସେ । ସେ ତାଙ୍କ କଥା ଶୁଣି ହସିଲା । ବଡ଼ବାବୁ ନିଜ ପାନଖିଆ ଦାନ୍ତ ଦେଖେଇ କହିଲେ, “ବୁଝିଲେ ମାଡାମ, ରବିବାରରେ ମଣିଷ ଟିକେ ଶାନ୍ତିରେ ଶୋଇବ । ନହେଲେ ସପ୍ତାହଯାକର ଯୋଉ ଗଧ ଖଟଣୀ । ଆପଣ ଏବେ ବାହାରିବେନି କି?” ନିତା କହିଲା, “ହଁ ସାର, ଛୋଟ କାମଟେ ବାକି ଅଛି । କାମ ସାରି ବାହାରିବି ।” “ହଉ ତାହେଲେ, ମୁଁ ଆସୁଛି । ସୋମବାର ଦେଖାହେବ । ନମସ୍କାର ।” ନିତାକୁ ନମସ୍କାର ପକେଇ ବଡ଼ବାବୁ ଚାଲିଗଲେ । ନିତା ନିଜ କମ୍ପ୍ୟୁଟର ସ୍କ୍ରିନକୁ ଚାହିଁଲା । ପନ୍ଦର ମିନିଟ ପରେ ତାର କାମ ସରିଲା । ସେ ନିଜ ବ୍ୟାଗ ସଜାଡ଼ିଲା । ସେତେବେଳକୁ ଅଫିସର ଅଧା ଲୋକ ଯାଇ ସାରିଥିଲେ । ବାହାରକୁ ଆସି ନିତା ନିଜ ସ୍କୁଟି ଷ୍ଟାର୍ଟ କଲା ।
ଅଧଘଣ୍ଟା ଲାଗେ ତାକୁ ଘରେ ପହଞ୍ଚିବାକୁ । ଘରେ ପହଞ୍ଚିଲା ବେଳକୁ ପୁଅ ଝିଅ ଦୁହେଁ ଦାଣ୍ଡରେ ଖେଳୁଛନ୍ତି । ଶାଶୁ ବାରଣ୍ଡାରେ ବସି ଚା ପିଉଛନ୍ତି । ତାକୁ ଦେଖି ହସିଲେ । ଛୁଆମାନେ ତା ପାଖକୁ ଦଉଡି ଆସିଲେ । “ମାମା ମାମା । ଏତେ ଲେଟ କାଇଁ କଲ? ହେଲେ ଯା ହଉ କାଲି ରବିବାର । ତମେ ଅଫିସ ଯିବନି । କାଲି ଆମେ ନନ୍ଦନକାନନ ବୁଲିଯିବା ନା?” ଝିଅ ପଚାରିଲା । ନିତା ସ୍କୁଟିକୁ ଭିତରେ ରଖି ନିଜ ବ୍ୟାଗ କାଢିଲା । ଦୁଇ ଛୁଆଙ୍କ ହାତ ଧରି ଘର ଭିତରକୁ ନେଇ ଯାଉଯାଉ ଉତ୍ତର ଦେଲା, “ନାଇଁ କାଲି ନୁହେଁ । କାଲି ପରା ଜଣେ ଅଙ୍କଲ ଆଉ ଆଣ୍ଟି ଆସିବେ । ସେଥିପାଇଁ କାଲି ଘରେ କାମ । ପରେ ଯିବା । ଆର ରବିବାର ଯିବା । ହେଲା?” “ହଉ ଠିକ ଅଛି” କହି ପୁଅଝିଅ ଦୁହେଁ ଖେଳିବାକୁ ଅନ୍ୟ ରୁମକୁ ଚାଲିଗଲେ । ନିତା ଲୁଗା ପାଲଟିବା ଆରମ୍ଭ କଲା । ସନ୍ଧ୍ୟା ଦବ । ତାପରେ ଚା ପିଇ ରାତି ଖାଇବା ବନେଇବ ।
ସେଦିନ ସୁଜିତ ଆସୁ ଆସୁ ରାତି ୮ଟା ହେଇଯାଇଥାଏ । ଖିଆପିଆ ସରିଲାବେଳକୁ ରାତି ୧୧ଟା । “ଯା ହଉ କାଲି ରବିବାର । ମଣିଷ ଟିକେ ଆରାମ କରିବ ।” ସୁଜିତ ଖଟ ଉପରେ ବସୁ ବସୁ କହିଲେ । “ଆଉ ହଁ, ତୁମେ ଦୟାକରି ତୁମ ଆଲାର୍ମ ଅଫ କରି ରଖିବ କାଲି ।” ନିତାକୁ ଚାହିଁ କହିଲେ ସେ । “ହଉ” ବୋଲି କହି ନିତା ଚାଦରଟାକୁ ନିଜ ମୁହଁ ଉପରକୁ ଟାଣିନେଲା । ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଗଲା ନିତାର । ସେ ଉଠିପଡି ଗାଧେଇଯିବାକୁ ବାହାରିଲା ବେଳକୁ ସୁଜିତଙ୍କ ନିଦ ଭାଙ୍ଗିଗଲା । ସୁଜିତ କହିଲେ, “ଆଜି ଏମିତି ତରତର ହେଇ ଉଠିବା ମାନେ? ଆଜି କୋଉ ଅଫିସ ଜଗିଛି ତୁମକୁ?” ନିତା କିଛି ନ କହି ବାଥରୁମରେ ପଶିଗଲା । କେମିତି କହିବ ସେ ସୁଜିତକୁ? ଆଜି ଅଫିସ ତାକୁ ନ ଜଗିଲେ ବି ଶାଶୁ ନିଶ୍ଚୟ ଜଗିଥିବେ ଚା‘ପାଇଁ । ଠାକୁର ସବୁ ଜଗିଥିବେ ଭୋଗପାଇଁ । ତାପରେ ଉଠୁଉଠୁ ଛୁଆ ଜଗିବେ ଜଳଖିଆ ପାଇଁ । ରବିବାର ବୋଲି ଏସବୁ ତ ବନ୍ଦ ହେଇ ଯିବନି! ହେଲେ ସ୍ୱାମୀମାନେ ଏସବୁ କଥା କଉଠୁ ବୁଝିବେ?
ନିତା ଗାଧେଇ ସାରିଆସି ଶାଶୁଙ୍କୁ ଚା ଦେଲା । ଠାକୁର ପୂଜା କଲା । ସକାଳ ଜଳଖିଆ କଲା । ଠିକା ଚାକରାଣୀ ଆସି ତା କାମ ସରିଲା ପରେ ନିତା ସପ୍ତାହ ଯାକର ଅସନା ଲୁଗା ଆଣି ମେସିନରେ ପକେଇ ସଫାକଲା । ଦିପହର ମାଂସ ହେବ ଆଉ ରାତିରେ ଚିକେନ । ସୁଜିତ ଶୀଘ୍ର ଉଠିଲେ ସବୁ ନେଇକି ଆସିବେ । ଛୁଆମାନେ ଉଠିଲେ ନ‘ଟାରେ । ସୁଜିତ ଉଠିଲେ ଦଶଟା ବେଳକୁ । ନିତା ସେତେବେଳକୁ ମାଂସପାଇଁ ମସଲା ବାଟି ସାଧା ତରକାରୀର ପରିବା କାଟୁଥାଏ । ସୁଜିତ ବଜାରକୁ ଗଲେ ଜିନିଷ କିଣିବାକୁ । ସେଇ ଭିତରେ ରାତିପାଇଁ ବି ଅଧେ କାମ ସାରିଦେଲା ନିତା । ରାତିରେ ଆଉ ସମୟ ହବନି । ଗୋଟାଏ ସୁଦ୍ଧା ରନ୍ଧା ସରିଲା । ଖାଉଖାଉ ଦୁଇଟା । ପୁଅଝିଅ କୋଉ କଥାକୁ ନେଇ ଝଗଡା ଲାଗୁଥାନ୍ତି । ସୁଜିତଙ୍କୁ କହିଲେ ସେ କିଛି ନ ବୁଝି ପିଟି ପକେଇବେ ଛୁଆଙ୍କୁ । ନିତା ଛୁଆଙ୍କୁ ବୁଝେଇ ଶୁଝେଇ ତାଙ୍କ ରୁମରେ ତାଙ୍କୁ ଶୁଆଇଲା । ଶାଶୁ ଓ ସୁଜିତ ସେତେବେଳକୁ ନିଜ ନିଜ ରୁମରେ ଶୋଇସାରିଲେଣି ।
ନିତା ଶୁଖେଇଥିବା ଲୁଗାଗୁଡା ଓଲଟେଇ କି ଖଟରେ ଗଡ଼ିବ ବୋଲି ଆସୁଛି ଘରର କଲିଂବେଲ ବାଜିଲା । ଖୋଲିଲା ବେଳକୁ ତା ସାଙ୍ଗ ମାନି । “ଆରେ ମାନି! ତୁ ହଠାତ? ଫୋନ ନ କରି?” ନିତା ପଚାରିଲା । ମାନି ଉତ୍ତର ଦେଲା, “ଆଲୋ ତୁ ଫୋନ ଉଠେଇଲେ ତ? ଏତେ ଥର ରିଂ ହେଇଚି । ଯା ଦେଖେ ।” ନିତା ଜିଭ କାମୁଡି କହିଲା, “ହଁ ଆମେ ସବୁ ଖାଉଥିଲୁ ତ । ମୁଁ ଫୋନ ଶୁଣି ପାରି ନଥିବି । ଆଉ ତୁ କହ, ଏଠି କେମିତି?” ମାନି କହିଲା, “ମୁଁ ଏଇ ପାଖକୁ ମୋ ମାଉସୀ ଘରକୁ ଆସିଥିଲି । ତୁ ତ ସପ୍ତାହ ଯାକ ଅଫିସରେ । ଏଇ ରବିବାରରେ ହିଁ ତୋ ସଂଗେ ଦେଖା ହେଇପାରିବ । ସେଥିପାଇଁ ଆସିଗଲି,” । “ହଉ ଭଲ କଲୁ । ବସେ ଏଇଠି,” କହି ନିତା ତାକୁ ନେଇ ବସିପଡିଲା ସୋଫା ଉପରେ ।
ମାନି ସେଦିନ ଯାଉ ଯାଉ ସାଢେ ଚାରି । ସେତିକିବେଳକୁ ଶାଶୁ ଉଠି ପଡ଼ିଥାନ୍ତି । ତାଙ୍କୁ ଚା ଦେଇ ନିତା ଶୁଖେଇଥିବା ଲୁଗାପଟା ଆଣି ଭାଙ୍ଗିବାକୁ ଲାଗିଲା । ହଠାତ କାହା ପାଟି ଶୁଭିଲା । ପଡିଶା ଘର ମାଉସୀ ତାଙ୍କ ବୋହୂକୁ ନେଇ ବୁଲିବାକୁ ଆସିଲେ । ତାଙ୍କ ବୋହୁ ଦିଲ୍ଲୀରେ ରହେ । ଏବେ ଛୁଟିରେ ବୁଲିବାକୁ ଆସିଛି । ତାଙ୍କୁ ସର୍ବତ ଆଉ ଜଳଖିଆ ଦେଇ ତାଙ୍କ ସଂଗେ ଟିକେ ଗପୁଗପୁ ପାଞ୍ଚଟା ପଇଁଚାଳିଶ ହେଇଗଲା । ସେମାନେ ଉଠିଗଲେ ତାପରେ ଆଉ ନିତା ସନ୍ଧ୍ୟା ଦେଲା ସଂଗେ ସଂଗେ ଲୁଗା ବଦଳେଇ । ପୁଣି ରାତିପାଇଁ ଖାଇବା ତିଆରି କରିବାକୁ ହବ ଶୀଘ୍ର । ରାତିରେ ସୁଜିତଙ୍କର ବନ୍ଧୁ ଓ ବନ୍ଧୁପତ୍ନୀଙ୍କୁ ରାତ୍ରିଭୋଜନରେ ଡକା ହେଇଚି । ସେମାନେ ଏବେ ଆମେରିକାରୁ ଫେରିଛନ୍ତି । ତାଙ୍କ ଛୁଆମାନେ ହଷ୍ଟେଲରେ । ଏମିତିରେ ସେମାନେ ପ୍ରଥମ ଥର ପାଇଁ ତାଙ୍କ ଘରକୁ ଆସିବେ ।
ନିତା ତାଙ୍କ ପାଇଁ ଫ୍ରାଏଡ ରାଇସ, ପରଟା, ଚିଲି ଚିକେନ, ପନିର ମସଲା, କୋବି ପକୁଡି ଆଉ କଷ୍ଟର୍ଡ଼ ପୁଡିଙ୍ଗ ତିଆରି କଲା । ଭଲ ହେଲା ସକାଳୁ ବଟାବଟି, କଟାକଟି, ଅଟା ଚକଟା ସବୁର ଅଧାରୁ ଅଧିକ କାମ ସାରିଦେଇଥିଲା ସେ । ସେଥିପାଇଁ ସାଙ୍ଗେ ସାଙ୍ଗ ଖାଇବା ତିଆରି ହେଇଗଲା । ସେମାନେ ଆସୁଆସୁ ଟିକେ ଡେରି କଲେ । ସାଢେ ଆଠଟାରେ ଆସି ପହଞ୍ଚିଲେ । ତାପରେ ଗପସପ ଆଉ ଖିଆପିଆ । ସେମାନେ ଗଲାବେଳକୁ ଏଗାରଟା । ଛୁଆମାନେ ହାଲିଆ ହେଇଯାଇଥାନ୍ତି । ପୁଅ ଶୀଘ୍ର ଶୋଇପଡ଼ିଥାଏ । ଝିଅକୁ ବିଛଣାରେ ଶୁଆଉ ଶୁଆଉ ଝିଅ କହିଲା, “ମାମା ସନଡେ କେତେ ଜଲଦି ପଳେଇଲା । କାଲି ସୋମବାର । ମତେ ଜମା ଇଚ୍ଛା ନାହିଁ ସ୍କୁଲ ଯିବାକୁ ।” “ହଉ ଶୋଇପଡ଼େ । ଡେରି ହେଲାଣି,” କହିଲା ନିତା ।
ଝିଅକୁ ଶୁଆଇ ବିଛଣାକୁ ଆସିଲା ସେ । ସୁଜିତ ଶୋଇବାକୁ ବାହାରୁଥାନ୍ତି । କହିଲେ, “ବିରକ୍ତ ଲାଗୁଚି ।” ନିତା ପଚାରିଲା, “କାହିଁକି?” “ଆରେ ଦେଖୁନ କେତେ ଶୀଘ୍ର ରବିବାରଟା ପଳେଇଲା । କାଲି ଫେର ବ୍ୟାଙ୍କ । କେତେ ଟେନସନ,” ସୁଜିତ ଉତ୍ତର ଦେଲେ । ଫେର କହିଲେ, “ଆଉ ହଁ, କାଲି ମତେ ଶୀଘ୍ର ଉଠେଇଦବ ।” ବାରଟା ହେଇଯାଇଥାଏ । “ଠିକ ଅଛି” କହି ନିତା ରୁମର ଲାଇଟ ଅଫ କଲା । ସକାଳୁ ପୁଣି ପାଞ୍ଚଟାବେଳେ ତା ନିଦ ଭାଙ୍ଗିଗଲା । ସେ ଦଉଡ଼ିକି ବାଥରୁମରେ ପଶିଲା । ଗାଧେଇସାରି ଠାକୁର ପୂଜା କଲା । ଶାଶୁଙ୍କୁ ଚା ଦେଲା । ସୁଜିତ ଆଉ ଛୁଆଙ୍କୁ ଉଠେଇଲା । ଜଳଖିଆ ଆଉ ଦିପହର ଖାଇବା ବନେଇଲା । ସମସ୍ତଙ୍କ ଟିଫିନ ପ୍ୟାକ କଲା । ଛୁଆଙ୍କୁ ରେଡି କଲା । ସୁଜିତଙ୍କୁ ଟିଫିନ ଦେଲା । କଉଠି କଣ ଅଛି ଶାଶୁଙ୍କୁ କହିଦେଲା ଆଉ ତାପରେ ନିଜେ ରେଡି ହେଇ ସ୍କୁଟିରେ ଅଫିସ ବାହାରିଲା ।
ଅଫିସରେ ପ୍ରଥମେ ବଡ଼ବାବୁ ଦେଖାହେଲେ । “ନମସ୍କାର ମାଡାମ,” ବଡ଼ବାବୁ ତାକୁ ଦେଖି ନମସ୍କାର ପକେଇଲେ । “ନମସ୍କାର ବଡ଼ବାବୁ । ମୁହଁ କାହିଁକି ଶୁଖେଇଛନ୍ତି?” ନିତା ତାଙ୍କୁ ପଚାରିଲା । “ମାଡାମ ସୋମବାରରେ କାହାକୁ ହସିବା ଦେଖିଛନ୍ତି? ଦେଖୁଦେଖୁ ରବିବାରଟା ପଳେଇଲା । ଆଜିଠୁ ଫେର ଚିନ୍ତା, ଫେର ଟେନସନ ।” ନିତା ଟିକେ ହସିଦେଇ ନିଜ କ୍ୟାବିନରେ ପଶିଲା । ଟେବୁଲରେ ବ୍ୟାଗଟିକୁ ରଖିଲା ଆଉ ନିଜେ ଚୌକିରେ ବସିପଡିଲା । ତାପରେ ଚପଲଖୋଲି ନିଜ ଗୋଡ଼କୁ ଦେଖିଲା । ଫୁଲି ଯାଇଛି ପୁରା । ଦୁଇ ମିନିଟ ହାଲିଆ ମାରି ନିଜ କମ୍ପ୍ୟୁଟର ଅନ କଲା । ବହୁତ କାମ ବାକି ରହିଛି । ଗୋଟାଏ ଯାଏଁ କାମ କଲା ନିତା । ଗୋଟାଏରୁ ଦୁଇଟା ଖାଇବା ବ୍ରେକ । ସେତେବେଳକୁ ଅଫିସକୁ ଆଉ କେହି ବାହାର ଲୋକ ଆସନ୍ତି ନାହିଁ । ସେଇ ସମୟରେ ସମସ୍ତ କର୍ମଚାରୀ ପ୍ରାୟ କ୍ୟାଣ୍ଟିନକୁ ଚାଲିଯାନ୍ତି ଖାଇବାକୁ । ନିତା ପରି କିଛିଜଣ ମହିଳା କର୍ମଚାରୀ ନିଜ ନିଜ କ୍ୟାବିନରେ ଲଞ୍ଚ କରନ୍ତି । ସେଦିନ ବି ନିତା ସବୁଦିନ ପରି ପନ୍ଦର ମିନିଟରେ ନିଜ ଖାଇବା ଶେଷ କରିଦେଲା । ଓଃ ସମୟ ହେଇଗଲା । ଗୋଟାଏ ପନ୍ଦର ।ସାମ୍ନା ଚୌକିରେ ନିଜ ଫୁଲିଲା ଗୋଡ ଦୁଇଟା ଲମ୍ବେଇ ଦେଲା ନିତା ।
ସମସ୍ତଙ୍କର ମନ ଦୁଃଖ ଯେ ରବିବାର ପଳେଇଲା । ଆଉ ସମସ୍ତେ ଦୁଃଖୀ ଯେ ଆଜି ସୋମବାର । ଆଉ ନିତା? ସେ କଣ ଭାବେ? ସେ ବି କଣ ଦୁଃଖୀ? ସୋମବାରରୁ ଶନିବାର ଯାଏଁ ସବୁଦିନ ଗୋଟାଏ ପନ୍ଦରରୁ ଦୁଇଟା ଯାଏଁ ସେ ଚାଲିଯାଏ ଅନନ୍ତ ଶୟନରେ । ଯଦିଓ ଏଇ ଅନନ୍ତ ଶୟନ ଅନନ୍ତ କାଳ ପାଇଁ ନୁହେଁ କେବଳ ପଇଁଚାଳିଶ ମିନିଟ ପାଇଁ; ତେବେବି ଏହା ତା‘ ଭଳି ଏକ ମଧ୍ୟବିତ୍ତ କର୍ମଜୀବୀ ମହିଳା ପାଇଁ ବିଳାସରୁ କିଛି କମ ନୁହେଁ । ପୁଣି ଖାଲି ବିଳାସ ନୁହେଁ ଏଇ ପଇଁଚାଳିଶ ମିନିଟ ତାକୁ ନେଇଯାଏ ଦୁନିଆର ସବୁ ଦୁଃଖ କଷ୍ଟ ଚିନ୍ତା ଶୋକ ଦେହପୀଡାଠାରୁ ଦୁରକୁ । ସେ ପୁଣି ତିଆରି କରେ ନିଜକୁ ଦୁନିଆକୁ ସାମ୍ନା କରିବାକୁ, ସବୁ ବାଧାବିଘ୍ନ ସାଙ୍ଗେ ଲଢ଼ିବାକୁ । କିନ୍ତୁ ଚବିଶ ଘଣ୍ଟାରେ ନିଜ ସକାଶେ ପଇଁଚାଳିଶ ମିନିଟର ଏକ ସ୍ୱାର୍ଥୀ ଜୀବନ ଚାଁହୁଥିବା ମଣିଷଟିକୁ ଏଇ ରବିବାରଟି ସବୁବେଳେ ଖତେଇ ହୁଏ । ଅନ୍ୟମାନଙ୍କ ପାଇଁ ରବିବାର ହୁଏତ ଛୁଟିଦିନ ହେଇପାରେ କିନ୍ତୁ ତା ଭଳି ସ୍ତ୍ରୀଲୋକଙ୍କ ପାଇଁ ନୁହେଁ । ଓଲଟା ରବିବାର ଛଡେଇ ନିଏ ତାଠୁ ଏଇ ଦୁର୍ଲଭ ସମୟ । ହେଲେ ଖାଲି ନିଜ ପ୍ରିୟଜନଙ୍କ ସାଙ୍ଗରେ ସମୟ କଟେଇବାର ଲୋଭ ପାଇଁ ସେ ବି ଆପଣେଇ ନେଇଛି ରବିବାରଟିକୁ । ହସିହସି ସହିନିଏ ରବିବାରର ମିଠା ତାଡନାକୁ । ନିଜ ପ୍ରିୟଜନଙ୍କ ପାଇଁ ହିଁ ତ ଏଇ ଜୀବନ ଏଇ ସଂଘର୍ଷ । ଆଉ ସେଇଥିପାଇଁ ରବିବାର ସାଙ୍ଗେ ତାର ଏଇ ଲୁଚକାଳି । ହଉ ଚାଲୁ । ଯେତେଦିନ ଚାଲୁଛି । ନିତା ଦୀର୍ଘନିଶ୍ୱାସଟିଏ ମାରିଲା ତାପରେ ଦୁଇଆଖିକୁ ବୁଜିଦେଇ ମୁରୁକିହସା ମାରି କହିଲା, “ଓଃ!! ଯା ହଉ । ଆଜି ସୋମବାର ।”
Comments
ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।