କାଳିଆରେ ତତେ
ଲାଗୁନି କି ଏକା
ଭକତ ଶୁନ୍ୟ ଶ୍ରୀମନ୍ଦିର
କି ଭିଆଁଣ କଲୁ
ଗ୍ରାସୁଛି ସଭିଙ୍କୁ
ଆତଙ୍କ କରୋନାର ।।୧।।
ତୁ ସିନା ମହାପ୍ରଭୁ
ଚଉଦ ଦିନ
ରହିପାରୁ ଅଣସରେ
କାହିଁଥିଲା ଏହି
ଅଦିନିଆ ରୋଗ
ପଡ଼ୁଛି ମଣିଷ ଉପରେ ।।୨।।
ସବୁ ତୁ ଦେଖୁଛୁ
ମଉନେ ରହିଛୁ
ଆହେ ପ୍ରଭୁ ଚକାଆଖି
ଭକତର ଦୁଃଖ
ହରି ନେ ନାଥ
କାନ୍ଦି କାନ୍ଦି ଯାଏ ଥକି ।।୩।।
ପତିତ ଉଦ୍ଧାର
ପାଇଁ ତୋ ଜନମ
ଆହେ ପତିତପାବନ
ଏ ସାରା ଜଗତ
ନିରାଶେ ବ୍ୟାକୁଳ
ରକ୍ଷା କର ମର୍ତ୍ତ୍ୟ ଭୂବନ ।।୪।।
ତୋ ବିନା ନାହିଁ ଗତି
ନାହିଁ କାହା ମୁକ୍ତି
ଆହେ ପ୍ରଭୁ ଚଉବାହା
ଭୁଜ ଟେକି ରଖ
ଶରଣାଗତକୁ
ହୁଅ ଥରେ ତୁମ୍ଭେ ସାହା ।।୫।।
ମହାମାରୀ ଦାଉ
ସହି ନ ହୁଅଇ
ଶତ ଶତ ମୁଁଣ୍ଡ ଗଡ଼ୁଛି
ଅନାଥର ନାଥ
ଉଦ୍ଧାର ଜଗତ
ପାଦତଳେ ତୋ ମିନତୀ ।।୬।।
ଦରିଦ୍ର ଲୋକର
ସଖା ଅଟୁ ବୋଲି
ତୋ ନାମ ଦୀନବାନ୍ଧବ
ଏ ଘୋର ସଂକଟୁ
ପାରିକର ବାରେ
ଚରଣେ ଶରଣ ତବ ।।୭।।
ତ୍ରାହି ତ୍ରାହି ବୋଲି
ହାହାକାର ହୁଏ
ଶୁଣି ପାରୁନୁ କି ତୁହି
ଆକୁଳ ଚିତ୍କାର
ଅନ୍ତର ପ୍ରାର୍ଥନା
ଶୁଣ ଆହେ ଭାବଗ୍ରାହୀ ।।୮।।
– ପ୍ରେମାନନ୍ଦ ବେହେରା
Comments
ପ୍ରେମାନନ୍ଦ ବେହେରା ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରସ୍ଥିତ କରୋଜ୍ ରୋଡ଼୍ ନିକଟଷ୍ଟ ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ କବିତା ଆଦି ରଚନା କରନ୍ତି ।