ଅଶିଣ ଆକାଶେ ରୂପା ଜହ୍ନ ହସେ
ରୂପେଲୀ ଜୋଛନା ବୁଣି,
ତମସାକୁ ଚିରି ନାଚେ ଥିରି ଥିରି
ରୂପସୀ ରଜନୀ ରାଣୀ ॥
ନଦୀ ପଠା ଦେହେ କାଶତଣ୍ଡୀ ମୋହେ
ଶୁଭ୍ର ମୁକ୍ତକେଶି ହେଇ,
ଶୀତଳ ମରୁତେ ଖେଳିଣ ମରତେ
ହୃଦୟକୁ ଯାଏ ଛୁଇଁ ॥
ପାର୍ବଣ ଋତୁରେ ଫୁଟି ମରତରେ
ଦିଏ ଶାନ୍ତିର ବାରତା,
ଦୁର୍ଗତିନାଶିନୀ ମହିଷାମର୍ଦ୍ଧିନୀ
ଆସିବେ ବୋଲି ଯେ ମାତା ॥
ସବୁଜିମା ଦେଖି ଆଖିଯାଏ ଲାଖି
ମହକେ ପୁଷ୍ପ ଉଦ୍ୟାନେ,
ପ୍ରକୃତିର ଶୋଭା ଲାଗେ ମନଲୋଭା
ଶରତର ଆଗମନେ ॥