ଏହାର ତାହାର, ଆମର ତାଂକର
ଭିତର ବାହାର ଶବ୍ଦ
ଜଣା ପଡ଼େନାହିଁ ସହଜେ ଲୋକଂକୁ
କିପାଇଁ ବୃଥା ବିବାଦ
ଯେଉଁ ଶବ୍ଦ ଯେଉଁଠାରୁ ଆସିଥାଉ
ପଡ଼ିଲେ ଲୋକଂକ କାନେ
ତାହା ବଦଳାଇ ସୁବିଧାନୁସାରେ
ସାଇତି ରଖଂତି ମନେ
କାଳେ ଦରକାର ପଡ଼ିଯାଇପାରେ
କିଏ ଜାଣେ କେବେ ଦିନେ
ବେଶି ଜାଣିଥିଲେ କମ୍ ହଇରାଣ
ଏମିତି ବୁଝଂତି ଜନେ
ଯେତେ ଭାଷା ହୁଏ ନିତ୍ୟ କଥିତ
ସବୁ ରହି ମିଳିମିଶି
ଲୋକ ମନ ଭାବ ରୁଚି ଅନୁଯାୟୀ
ପାରଂତି ସଦା ପ୍ରକାଶି
ଶବ୍ଦ ବଛାବଛି ନିରର୍ଥକ କାମ
ଅଯଥା ସମୟ ନାଶ
ଶବ୍ଦର ଜାତି ଗୋତ୍ର ନ ବିଚାରି
ଭାବନା କରୁଁ ପ୍ରକାଶ
ଅର୍ଥ ବାହକ ଅଟେ ଯେଣୁ ଶବ୍ଦ
ରୂପ ଅନେକ ପ୍ରକାର
ଅର୍ଥ ଯଦି ହୁଏ ପ୍ରଧାନ ଲକ୍ଷ୍ୟ
ସବୁ ଶବ୍ଦ ଦରକାର
ରୂପ ଭେକ ହେଲେ ଅନେକ ପ୍ରକାର
ବଦଳେନି ଉଚ୍ଚାରଣ
ଚିଂତା ଚିନ୍ତା ଚିନ୍ତା ଯାହା ବି ଦିଶିଲେ
ଅର୍ଥ ରହଇ ସମାନ
ଅର୍ଥ ହିଁ ଅଟେ ଶବ୍ଦର ପ୍ରାଣ
ବନାନ ତାହାର ଭେକ
ପରିଧାନ ହେଲେ ପରିବର୍ତିତ ବି
ରହେ ହୋଇ ସମାର୍ଥକ
କ क ক ଆଖି ପାଇଁ ଭିନ୍ନ
କାନ ମନ ପାଇଁ ସମାନ
ଭାଷା ଓ ଲିପିର ପାର୍ଥକ୍ଯ ବୁଝିଲେ
ହୁଏ ସବୁ ସମାଧାନ
ରୁଦ୍ଧ ଭାଷା କେବେ ସମୃଦ୍ଧ ହୁଏନା
ଖୋଲା ରଖିଥାଉଁ ଦ୍ବାର
ଶବ୍ଦ ଯାତାୟାତ ଚାଲୁ ଅବିରତ
ସବୁ ଶବ୍ଦ ତ ଆମର
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।