ସମୟ ସମୁଦ୍ରେ ଶୀତ ଜୁଆର

Odia Poem Samaya Samudre Shita Juara (ସମୟ ସମୁଦ୍ରେ ଶୀତ ଜୁଆର) by Tapas Kumar Pradhan

ଶାସନ ଭାରର କ୍ଷମତା ହାତେଇ
ଉଭା ହୋଇଅଛି ଶୀତ
ଶୁଭେଚ୍ଛା ଜଣାଇ ପାଛୋଟି ଆଣୁଛୁ
କରିଣ ଭବ୍ୟ ସ୍ୱାଗତ

ଧରଣୀ ଛାତିରେ ଶୀତ ନାଚିଲାଣି
ତା’ ସାଥେ ପଉଷ, ମାଘ
ନୀଳ ବଦନରେ ନଭ ଶୋଭିଲାଣି
ହଜିତଗଲାଣି ମେଘ

ଦିବାର ଆୟୂଷ ନେଉଅଛୁ ଶୋଷି
ନିଅଣ୍ଟ ହେଲା କି ନିଶି?
ଆକାଶରେ ବସି ହସି ଦିଏ ଶଶୀ
କହୁଛି ମୁଁ ଭାରି ଖୁସି

ମାଗୁଣି ଶଗଡ଼ ଯାଉ ନାହିଁ ଗଡ଼ି
କୁହୁଡ଼ି ଆସିଛି ମାଡ଼ି
ପୂରୁବେ ସୂରୁଜ ମୁହଁ ଦେଲା ମୋଡ଼ି
ଥରାରେ ଛାଡ଼ୁଛି ରଡ଼ି

ଶୀତ କାକରକୁ ନକରି ଖାତିର
ରଇତ ଧାଏଁ ସଅଳ
ସ୍ୱର୍ଣ୍ଣିମ ଶସ୍ୟରେ ଲାଖେ ତା’ ନଜର
ପ୍ରଫୁଲ୍ଲେ କରେ ଅମଳ

ଶୁଭ୍ର ଶରୀରରେ ହୁଏ ସେ ହାଜର
ତୃଣରେ କରେ ବିସ୍ତାର
ସୁନେଲୀ କିରଣେ ଚମକ ଦେଲାଣି
ମୁକ୍ତା କଣାର ସମ୍ଭାର

ଶୀତୁଆ ବାଆଟା ଦାଉ ସାଧିଲାଣି
ସାଥି ସାଜେ ଆଜି ନିଆଁ
ତା’ ପରଶେ ମନେ ସୁମରି ଯାଉଛି
ପ୍ରଥମ ପ୍ରେମର ଛୁଆଁ

ସୁବର୍ଣ୍ଣ ବଦନେ ଝଲସି ଯାଉଛି
ଲୋଭୁଛି ସୋରିଷ ବେଶ
ଚଞ୍ଚଳି ମନ ମୋ ଚୋରେଇ ନେଲାଣି
ଦେଇ ଖିଲି ଖିଲି ହସ

ପରିବା କ୍ଷେତଟା ପୂରି ଉଠିଲାଣି
ପେଟକୁ ମିଳଇ ଦାନା
ଯତନରେ ଶୀତ ପାଳୁଥାଏ ସିନା
ତ’ ବିନା ଭଲ ଲାଗେନା

ନନେଇ ସ୍ୱୀକୃତି ରଚିଲୁ ପୀରତି
ମୋ ପାଶେ ଆସିଣ ନିତି
ତୋର ଏ ପୀରତି ଦେଉନି ବିରତି
ଅଧରେ ଖେଳୁଛି କ୍ଳାନ୍ତି

ଲେଖନୀ ମୁନଟା ଯାଉଥାଏ ଥରି
ପାଦ ଥାପେ ଥିରି ଥିରି
ଶୀତ ଯାତନାକୁ ହୃଦୟେ ସୁମରି
କାଗଜେ ଦିଏ ବିସ୍ତାରି

ଚରମ ରୋଗର କାରକ ସାଜିଛି
ହୃଦ ବିଦାରକ ଶୀତ
କଷଣ ହସ୍ତରୁ ନିସ୍ତାର ନପାଇ
ପଲ୍ଲୀବାସୀ ହନ୍ତସନ୍ତ

ମୁକୁଳା ଶରୀରେ ହୁଙ୍କାର ଦେଲାଣି
ମକର ବୁଡ଼ର ଜାଡ଼
ଘଣ୍ଟ ଶବଦରେ କମ୍ପି ଉଠେ ବେଢ଼ା
ମନ୍ଦିରେ ଲାଗଇ ଭିଡ଼

ବାରୁଣୀ କୋଳରେ ଲୁଚୁଛି ତରଣି
ରଜନୀ ଦେଲାଣି ଡାକ
ଶୀତୁଆ ସଞ୍ଜରେ ନିଆଁ ଉହ୍ମେଇକୁ
ଘେରି ବସିଲେଣି ଲୋକ

ଅକାରଣେ ଆସି ଚମକାଇ ଦେଲା
ଶୀତ ମାଉସୀର ସ୍ୱର
କମ୍ପନ ଦେଇଣ ନିଦୁଆ ରାତିକୁ
ଉଜାଡ଼େ ଥରକୁ ଥର

ଶୀତ ପୀରତିର ଆସିଲା ବିରତି
ବେଳ ତ ଯାଉଛି ବିତି
ସମୟ ସ୍ରୋତରେ ଭାସିଯାଏ ଶୀତ
ସାଇତା ରହେ ତା’ ସ୍ମୃତି

ବୟସ ପୂରିଲେ ଅବସର ନିଏ
ଏ’ତ ବିଧିର ବିଧାନ
ନୂଆ ଶାସନର ସପନ ଦେଖାଏ
ବସନ୍ତର ଆଗମନ ।

– ତାପସ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...