ଜନତାଙ୍କର ଭିଡ଼ ଦେଖି ନେତାଙ୍କ ମନରେ ଛନକା ପଶିଗଲା । ଆଜିକାଲିର ଡିଜିଟାଲ ଜନତା ଏମାନେ । ଏମାନଙ୍କୁ ଏଣୁତେଣୁ କହି ପୂର୍ବ ପରି ଭୁଆଁ ବୁଲେଇ ଦେଇ ହେବନି । ଏମାନେ ଖାଲି ପ୍ରାକ୍ଟିକାଲ ନୁହନ୍ତି, ସବୁ କଥାରେ ପ୍ରମାଣ ବି ଚାହୁଁଛନ୍ତି ।
ଆରେ….ଆରେ… ଏ କ’ଣ?
ସେମାନେ ତ ନେତାଙ୍କୁ ଘେରାଉ କରିବାକୁ ଆସୁଛନ୍ତି । ନେତା ମହୋଦୟ ମୁହଁରେ କୃତ୍ରିମ ହସ ଫୁଟାଇ ସେମାନଙ୍କୁ ସ୍ୱାଗତ ଜଣାଇଲେ ।
“ଆପଣ ଥାଉଁ ଥାଉଁ ଆମେ ପୁଣି ଦୁଃଖ କଷ୍ଟରେ ଚଳିବୁ? ଆମ କଥା ବୁଝନ୍ତୁ… ନହିଲେ ଆମେ ଆମ ବ୍ୟବସ୍ଥା କରିବୁ ।”
ସେମାନଙ୍କ ମିଳିତ ଗର୍ଜନରେ ନେତା ଅବଶ୍ୟ ଟିକେ ହଡ଼ବଡ଼େଇ ଗଲେ । ତଥାପି ଦମ୍ଭର ସହିତ କହିଲେ, “ଇଏ ଗୋଟିଏ କଥା ! ସମସ୍ୟା ଅଛି ମାନେ ତା’ର ସମାଧାନ ବି ରହିଚି । ତୁମେସବୁ ନିଶ୍ଚିନ୍ତ ରୁହ… ମୁଁ ଅଛି ପରା । ତେବେ ସମସ୍ୟାଟା କ’ଣ ଆଗ କୁହ ।”
“ଆମେ କ’ଣ କହିବୁ? ଆପଣ ନିଜେ କ’ଣ କିଛି ଜାଣି ପାରୁନାହାନ୍ତି? ଦରଦାମ୍ ହୁ ହୁ ହେ ବଢ଼ି ଚାଲିଛି । ଆକାଶ ଛୁଇଁବାକୁ ଗଲାଣି ଖାଦ୍ୟ ପଦାର୍ଥର ଦାର ।”
“ଆରେ ଏଇଟା କ’ଣ ଗୋଟେ ସମସ୍ୟା? ମୁଁ ଆଜି ଏଇ ମୁହୂର୍ତ୍ତରେ କଥା ଦେଉଛି । ଶପଥ ନେଉଛି, ମୁଁ କଦାପି ଏହା ହେବାକୁ ଦେବିନାହିଁ । ମୁଁ ଥାଉଥାଉ ପୁଣି ଆପଣମାନେ ମୋ ସହିତ ଥିବା ସମୟରେ ଦରଦାମ ଆକାଶକୁ ଛୁଇଁବ? ଅସମ୍ଭବ…ନା…କସ୍ମିନକାଳେ ମୁଁ ଏହା କରାଇ ଦେବିନି । ଆପଣମାନେ ମୋତେ ଖାଲି ସହଯୋଗ କରି ଚାଲନ୍ତୁ, ଦେଖିବେ ଗୋଟିଏ ସପ୍ତାହ ଭିତରେ ମୁଁ ଆକାଶକୁ ଏତେ ଉଚ୍ଚ କରାଇଦେବି ଯେ… ଦରଦାମ କ’ଣ ତା’ ବୋପା ବି ଶତଚେଷ୍ଟା କରି ଆକାଶକୁ ଛୁଇଁବା ପାଇଁ ସାହସ କରିବନି । ଖାଲି ଆପଣମାନେ ମୋ ସହିତ ରୁହନ୍ତୁ… ବାସ୍ ।”
ମୂଳ ରଚନା: ଗୋବିନ୍ଦ ଶର୍ମ୍ମା (ହିନ୍ଦୀ)
ଅନୁସୃଜନ: ବିନୟ କୁମାର ଦାସ
Comments
ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।