ସୋମେଶ୍ ଭାବୁଛି ! କ’ଣ କରିବ? କୁଆଡେ଼ ଯିବ? ଏମିତି ହାତ ଉପରେ ହାତ ଧରି ବସିଲେ ତ’ ସମସ୍ୟାର ସମାଧାନ ହେବନି । ତା’କୁ କିଛି ଗୋଟିଏ କରିବାକୁ ପଡ଼ିବ । ଘର ଭିତରୁ ମା’ଙ୍କ ଖୁଁ ଖୁଁ କାଶିବାର ଶବ୍ଦ ଭାସି ଆସୁଛି । ବଡ଼ ଭଉଣୀଙ୍କୁ ତିରିଶି ପୁରି ଏକତିରିଶି ଚାଲିଲାଣି ତଥାପି ବାହାଘର ହେଇ ପାରୁନି । ଭଉଣୀ ଯେ ତା’ର ଅସୁନ୍ଦରୀ ସେ କଥା ନୁହେଁ । ରୂପରେ ଗୁଣରେ କେହି ବି ବାଛି ପାରିବେନି । ଗୋଟିଏ ଚାଉଳରେ ଗଢ଼ା । ଯିଏ ଦେଖିବାକୁ ଆସୁଛି ତା’ର ପସନ୍ଦ ହେଇଛି ବୋଲି କହୁଛି । ଠିକ୍ ବାହାଘର ତାରିଖ ପକ୍କା କଲା ବେଳକୁ ପୁଅ ଘରର ଯୌତୁକର ଲମ୍ବା ତାଲିକା ଦେଖି ବାପାଙ୍କ ବଙ୍କି ଯାଇଥିବା ଅଣ୍ଟାଟି ଆହୁରି ନଇଁ ପଡ଼ୁଛି । ଯେତେ ଭଲ ପ୍ରସ୍ତାବ ସେତେ ଉଚ୍ଚ ଦର । କିଏ ମଟର ସାଇକେଲ ମାଗିଲାଣି ତ’ କିଏ ପୁଅ ପାଇଁ ପାଞ୍ଚ ଭରି ସୁନାର ଚେନ୍ ମାଗୁଛି । ଆଉ କିଏ ପାଦେ ଆଗେଇ ଯାଇ ସିଧା କାର୍ ଦାବି କରୁଛି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଯାହା ବି ଦେବ ତୁମେ ତୁମ ଝିଅକୁ ଦେବ । ତୁମ ଝିଅ ସବୁ ଭୋଗ କରିବ । ରାଣୀ ପରି ରହିବ । ଆମର ନିଜ ପାଇଁ କିଛି ଦରକାର ନାହିଁ ।
ସତେ ଯେମିତି ନାନୀ ଯାଇକି ସ୍ୱପ୍ନରେ ଏମାନଙ୍କୁ କହି ଆସିଛି ମୋ’ ବାହାଘର ପାଇଁ ତୁମେ ମୋ ବାପାଙ୍କୁ ଏସବୁ ଯୌତୁକରେ ମାଗି ଆଣିବ । ନାନୀର ନାଁ ନେଇ ନିଜର ଆବଶ୍ୟକତା ପୂରଣ କରିବାର ଚମତ୍କାର ଉପାୟଟି ଆଜିର ଏ ଭଦ୍ର ସମାଜକୁ ଭଲରେ ଜଣା । ବିଚରା ବାପାଙ୍କର ଖଟି ଖଟି ଅଣ୍ଟା ନଇଁ ଗଲାଣି । ତଥାପି ସକାଳ ହେଲେ ଯଜମାନୀ କାମ କରିବାକୁ ବାହାରି ପଡ଼ନ୍ତି । ଗୋଟେ ହାତରେ ଛତା ଆଉ ଆର ହାତରେ ଛୋଟ ଖାଲି ଗଣ୍ଠିଲି ଟିଏ । ବାପା ଯେତେବେଳେ ଘରକୁ ଫେରନ୍ତି ମା’ ତରତର ହୋଇ ଗଣ୍ଠିଲିଟି ଖୋଲି ପକାଏ ଯେଉଁଥିରୁ ବାହାରେ ଗୁଡିଏ ଚଉପଦୀ । କେଉଁଥିରେ ଥାଏ ମୁଗ ଡାଲି ତ’ କେଉଁଥିରେ ପରିବା ଆଉ କେଉଁଥିରେ ହରଡ଼ ଡାଲି । ବିଭିନ୍ନ ପ୍ରକାରର ଚାଉଳ ମଧ୍ୟ ବାହାରେ । ମା’ ପ୍ରତିଦିନ ସେଥିପାଇଁ ଡାଲମା କରନ୍ତି । ବାପା ଆଜି କାଲି ଆଉ ବିଶେଷ ଖଟି ପାରୁ ନାହାନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ଦାନ୍ତ ସବୁ ପଡ଼ି ଗଲାଣି । ଶ୍ଳୋକ ଉଚ୍ଚାରଣ କଲେ ଭଲରେ ଶୁଭୁନି ମଧ୍ୟ । ରାମ ନନା କହିଲେ ଯାହାକୁ ଦୁନିଆଟା ଯାକ ଲୋକ ଚିହ୍ନୁଥିଲେ ଏବେ ଏକ ପ୍ରକାର ଅଲୋଡ଼ା ହୋଇଗଲେଣି । କିନ୍ତୁ ସେଥିରେ ବି ତାଙ୍କର ତିଳେମାତ୍ର ଦୁଃଖ ନାହିଁ । ନିତ୍ୟକର୍ମ ସାରି ରାତି ନ ପାହୁଣୁ ବାହାରି ଯାଆନ୍ତି । ଆଉ ସିଏ ନିଜେ ଏସବୁ ଖାଲି ଜୁଳୁଜୁଳୁ କରି ଦେଖୁଛି । କିଛି କରିପାରୁନି ! କେତେ କଷ୍ଟରେ ବାପା ତାକୁ ପାଠ ପଢ଼େଇଥିଲେ । ଭଲ ପାଠ ପଢ଼େ ବୋଲି ସହରରେ ହଷ୍ଟେଲରେ ରହି ପାଠ ପଢ଼ିଲା । ଭଲ ରେଜଲ୍ଟ ମଧ୍ୟ କରିଲା । ଯେଉଁ ଦିନ ପଦାର୍ଥ ବିଜ୍ଞାନ ସମ୍ମାନରେ ସେ ମହାବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଲା ତା’ ବାପାଙ୍କ ଖୁସି କହିଲେ ନ ସରେ । ଗାଁ ଚାରିଆଡ଼େ କହି ବୁଲିଲେ, “ମୋ ପୁଅ ମୋ ପରି ଯଜମାନୀ କରିବନି । ସେ ସାହେବ୍ ହବ ସାହେବ୍ । ଗାଁ ଦାଣ୍ଡରେ ଖାଲି ପାଦରେ ଛତାଟିଏ ଧରି ଟାଇଁ ଟାଇଁ ଖରାରେ ଯାଇ ନିଆଁ ଧାସରେ ଶ୍ଳୋକ ପଢ଼ିବନି । ଶୀତ ତାପ ନିୟନ୍ତ୍ରିତ ଘରେ ଗୋଡ଼ ଉପରେ ଗୋଡ଼ ରଖି ମୋ ପୁଅ ଫାଇଲ ଚଷିବ ।” ସେ ଦିନରୁ ଗେଲରେ ସୋମୁ ଡାକୁଥିବା ବାପା ତାକୁ ସାହେବ୍ ଡାକିବା ଆରମ୍ଭ କରିଦେଇଥିଲେ ।
ଅଥଚ ସିଏ ବାପାଙ୍କର କୌଣସି ଗୋଟିଏ ଆଶାକୁ ପୂରଣ କରିପାରୁନଥିଲା । ସାର୍ଟିଫିକେଟ ଧରି ଏ ଅଫିସ୍ରୁ ସେ ଅଫିସ୍କୁ ଘୁରି ବୁଲିବା ସାର ହେଉଥିଲା । ସକାଳ ହେଲେ ନାନୀ ତାର ଦି ଖଣ୍ଡ ଶୁଖିଲା ରୁଟି ସାଙ୍ଗକୁ ମିଠା ଆଚାର ଥିବା ଟିଫିନ୍ଟିଏ ତା’ ହାତକୁ ବଢ଼େଇ ଦେଉଥିଲା ଆଉ ସିଏ ଚାକିରୀ ଆଶାରେ ଘୁରି ବୁଲି ରାତି ହେଲେ ଘରକୁ ଫେରୁଥିଲା । ତା’ର ମନେ ଅଛି ପ୍ରଥମ କରି ଯେଉଁଦିନ ଚାକିରୀପାଇଁ ଘରୁ ବାହାରିଥିଲା । ମା’ ତା’ର ଖିରୀ, ପୁରି ଭର୍ତ୍ତି ଟିଫିନ୍ ଡବାଟିଏ ଧରେଇ ଦେଇଥିଲେ । ବାପା ତା’ର ଲାଲ୍ ତିଳକ ମଥାରେ ଲଗେଇ କାର୍ଯ୍ୟରେ ସଫଳ ହୁଅ ବୋଲି ଆଶୀର୍ବାଦ ଦେଇଥିଲେ । ପାଣି ଭର୍ତ୍ତି ବାଲ୍ତି ଦେଖିଲେ ଶୁଭ ହୁଏ ବୋଲି ନାନୀ ଦୌଡ଼ିଯାଇ କୂଅରୁ ପାଣି ବାଲ୍ତି କାଢ଼ି ଘର ସମ୍ମୁଖରେ ରଖି ଦେଇଥିଲା ।
କିନ୍ତୁ କ୍ୟାଲେଣ୍ଡର ପୃଷ୍ଠା ବଦଳି ଗଲା ପରି ତା’ ଜୀବନ ଚକ୍ର ମଧ୍ୟ ବଦଳି ଯାଇଛି । ନା ତା’ ଟିଫିନ୍ରେ ଅଛି ଖିରୀ ପୁରି ନା ବାପା ଲଗାଉଛନ୍ତି ତା’ ମଥାରେ ତିଳକ ନା ନାନୀ ରଖୁଛି ପାଣି ଭର୍ତ୍ତି ବାଲ୍ତି । ଖାଲି ଗୋଟିଏ କଥା ବଦଳିନି ତାହା ହେଲା ସକାଳ ହେଲେ ଚାକିରୀ ଖୋଜିବା ପାଇଁ ବାହାରିବା ଓ ପ୍ରତି ରାତିରେ ଚାକିରୀ କ’ଣ ବାହାରିଛି ତାହା ଦେଖି ନାଲିକଲମରେ ଖବରକାଗଜରେ ମୁଣ୍ଡୁଳି ବୁଲେଇବା ।
ପ୍ରତିଟି ଇଣ୍ଟରଭିଉ ଦେଲାବେଳେ ତା’ର ଭାଙ୍ଗି ଯାଇଥିବା ମନକୁ ସେ ପୁଣି ଯୋଡ଼ି ନିଜକୁ ଆଶ୍ୱାସନା ଦିଏ ଏଥର ନିଶ୍ଚୟ ଚାକିରୀ ମିଳିବ, କିନ୍ତୁ ସବୁଥର ସେଇ ଏକା କଥା ହୁଏ । ତା’ ଠାରୁ ଅତି ଖରାପ ପଢ଼ୁଥିବା ପିଲାମାନେ କେବେଠାରୁ ଚାକିରି କଲେଣି । ତା’ର ସବୁଥିରେ ଯୋଗ୍ୟତା ଥିଲେ ମଧ୍ୟ ଲାଞ୍ଚ ଦେଇ ପାରେନି ବୋଲି ତା’ ଫାଇଲ ଅଯୋଗ୍ୟ ଅଦରକାରୀ ଜିନିଷ ପରି ପ୍ରତ୍ୟେକଟି ଅଫିସ୍ ଡଷ୍ଟବିନ୍ରେ ପଡ଼ିରହେ ।
ନା ସେ ଆଉ ଚୁପ୍ ହୋଇ ବସି ରହିବନି । ଏଥର ଛୋଟ ବଡ଼ ଯାହା ବି ପୋଷ୍ଟ ବାହାରୁଛି ସବୁ ପାଇଁ ଚେଷ୍ଟା କରିବ । ଥରେ ତା’ ନାନୀର ଖାଲି ମଥାକୁ ଓ ମାଙ୍କ ଶୁଖିଲା ମୁହଁକୁ ଚାହିଁ ପୁଣିଥରେ ସୋମୁ ବାହାରିଗଲା ଚାକିରୀ ପାଇଁ ପରୀକ୍ଷା ଦେବା ପାଇଁ କଟକ । ଘରେ ପହଞ୍ଚିଲା ବେଳକୁ ରାତି ବେଶି ହେଇ ଯାଇଥିଲା । ସଭିଏଁ ଶୋଇ ଯାଇଥିଲେ ତେଣୁ ସେ ବି ନ ଖାଇ ସେମିତି ଶୋଇଗଲା । ସକାଳୁ ନିଦ ଭାଙ୍ଗିଲା ଡେରିରେ । ଦେଖିଲା ବାପା କାନ୍ଥକୁ ଆଉଜି ଦଉଡି଼ଆ ଖଟରେ ବସି ଖବରକାଗଜ ପଢ଼ୁଛନ୍ତି । ମା ତା’ର ଛାତିକୁ ଧରି ବାରଣ୍ଡାରେ ଖୁଁ ଖୁଁ କାଶୁଛି । ନାନୀ ରୋଷେଇ କରୁଛି ।
“ଆରେ, ସାହେବ୍ ଉଠି ଗଲୁକି? ଏତେ ଡେରି ହେଲା? ପରୀକ୍ଷା କେମିତି ହେଲା? ଏଇଟା କୋଉ ଚାକିରୀ ପାଇଁ ପରୀକ୍ଷା ଥିଲା? ତୁ କେବେ ସତରେ ସାହେବ୍ ହବୁ, ମୁଁ ରାସ୍ତାରେ ଟିକିଏ ଛାତି ଫୁଲେଇକି ଚାଲିବି ।” ନାନୀ ଚା କପ୍ଟେ ଆଣି ତା’ ହାତରେ ଧରେଇଦେଲା । ସେ ପିଇବା ପାଇଁ କପ୍ଟି ଓଠ ପାଖକୁ ନେଇଛି, ବାପା କହିବାକୁ ଆରମ୍ଭ କରିଲେ, “ଜାଣିଛୁ ସାହେବ୍ ଆଜି ଖବରକାଗଜରେ କ’ଣ ବାହାରିଛି । ୫୩ଟା ଚାକିରୀ ପାଇଁ ୩୨ ହଜାର ପିଲା ପରୀକ୍ଷା ଦେଇଛନ୍ତି । ପୁଣି ସଧାରଣ ପିଅନ ଚାକିରି ପାଇଁ ଇଂଜିନିୟରିଂ ପିଲା, ସ୍ନାତକ ଓ ସ୍ନାତକୋତ୍ତର ପିଲା ମାନେ ବି କୁଆଡେ଼ ଏ ପରୀକ୍ଷା ଦେଇଛନ୍ତି । ହେ ଭଗବାନ !!!!!!!!! ଯୁଗ କ’ଣ ହେଲା । ବାପା ମା’ କେତେ କଷ୍ଟରେ ପିଲାଙ୍କୁ ଏତେ ପାଠ ପଢ଼େଇଥିଲେ କ’ଣ ଏଇ ପିଅନ ଚାକିରି ପାଇଁ?” ବାପାଙ୍କ କଣ୍ଠରେ ହତାଶର ସ୍ୱର । ତାଙ୍କ ଦେହ ଥରିବାକୁ ଲାଗିଲା । ଆଖିରୁ ଚଷମା ଖୋଲି ଧୋତିରେ ପୋଛିବାକୁ ଲାଗିଲେ । ହଠାତ ଉଠିପଡ଼ି କହିଲେ, “ସାହେବ୍ କାଲି ପରୀକ୍ଷା ଦେବା ପାଇଁ ତୁ ବି କଟକ ଯାଇଥିଲୁ ନା? ତୁ ଆଉ ସେଇ ପିଅନ ଚାକିରି ପାଇଁ ପରୀକ୍ଷା ଦେବା ପାଇଁ ଯାଇନୁ ତ?
ସୋମେଶ୍ ହାତରୁ ଚା କପ୍ ଟି ତଳେ ପଡ଼ି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ତା’ ବାପାଙ୍କ ଆଶା, ବିଶ୍ୱାସ, ଭରସା ସବୁ ଯେମିତି ଭଙ୍ଗା କପ୍ ପରି ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା । ସେ ଉତ୍ତର ହଁରେ ଦେବ କି ନାରେ ଦେବ ଜାଣି ପାରୁନଥିଲା । ପୁଅକୁ ସାହେବ ବୋଲି ଡାକୁଥିବା ବାପାଙ୍କୁ ସେ କ’ଣ ଉତ୍ତର ଦେବ ଜାଣି ପାରୁନଥିଲା । ଥରେ ସେ ଚାହିଁଲା ତା’ ବାପାଙ୍କ ମୁହଁକୁ- ଯାହା ପାଇଁ ସେ ଏ ଦୁନିଆ ଦେଖିଛି, ଚିହ୍ନିଛି, ଜାଣିଛି, ସେଇ ଜୀବନଦାତାଙ୍କୁ ସବୁ ସତ କହିବ ବୋଲି ଠିକ୍ କଲା । ତା’ ମନର କୋଉ ଗୋଟିଏ ନିଭୃତ କୋଣରେ ଆଶା ନାମକ ଚଢେଈଟି ପୁଣି ଡେଣା ଝାଡ଼ିଝୁଡ଼ି ଉଡ଼ିବାକୁ ଚେଷ୍ଟା କରୁଥିଲା । ତା’କୁ ଲାଗିଲା ସତ୍ୟବାଦୀ ରାମନନାଙ୍କ ପୁଅ ଖୋଦ୍ ରାମନନାଙ୍କ ଆଗରେ କେବେ ମିଛ କହି ପାରିବନି । ତା’ ମନକୁ ସେ ଲୁହା ପରି ଟାଣ କରି କହିଲା, “ହଁ ବାପା, ମୁଁ ବି ପିଅନ ଚାକିରୀ ପାଇଁ କଟକ ଯାଇଥିବା ୩୨ହଜାର ପ୍ରାର୍ଥୀଙ୍କ ଭିତରୁ ଜଣେ, କିନ୍ତୁ ତୁମେ ବ୍ୟସ୍ତ ହୁଅନି । ଚାକିରୀ ନ ମିଳିଲେ ନାହିଁ ତୁମ ଆଶୀର୍ବାଦ ପରା ମୋ ମୁଣ୍ଡରେ ଅଛି । ମୁଁ ଯେଉଁ ଜିନିଷକୁ ଛୁଇଁବି ସେ ନିଶ୍ଚୟ ସୁନା ହେଇଯିବ ।”
କାଲିଠାରୁ ଆଉ ଚାକିରୀ ନାମକ ମରୀଚିକା ପଛରେ ଦୌଡ଼ିବିନି । କାହା ଆଗରେ ଗୋଡ଼ ଭାଙ୍ଗି ଚାକିରୀ ଦିଅ ବୋଲି ନ ହାତ ପତେଇ ନିଜେ ନିଜ ଗୋଡ଼ରେ ଠିଆ ହେବି । ମୁଁ ତୁମ ନାଁକୁ କେବେ ବି ତଳେ ପକେଇବାକୁ ଦେବିନି । ଆମକୁ ଯଜମାନୀରେ ମିଳିଥିବା ଚାଷ ଜମି ଗୁଡ଼ିକ ପଡ଼ିଆ ହୋଇ ପଡ଼ିଛି, ସେଥିରେ ମୁଁ ସୁନା ଫଳେଇବି । ମୋ ନାନୀକୁ ବାହା କରିବି । ମା’ଙ୍କର ଭଲ ଡାକ୍ତରଖାନାରେ ଚିକିତ୍ସା କରାଇବି । ରାମନନାଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ଯାଉଥିଲା । ସେ କହିଲେ, “ମୁଁ ଜାଣିଛି ତୁ ସବୁ କରି ପାରିବୁ । ଖାଲିରେ କ’ଣ ମୁଁ ତୋତେ ସାହେବ ଡାକୁଥିଲି । ତୁ ଅନ୍ୟ ଆଗରେ ହାତ ନ ପତେଇ ନିଜେ ନିଜ ଜମିର ମାଲିକ ହୋଇ ଚାଷ କରିବୁ, ଭୋକିଲାଙ୍କ ପେଟକୁ ଦାନ ଦେବୁ, ତେବେ ତୁ ସାହେବ୍ ନୁହେଁ ତ’ ଆଉ କ’ଣ? ତୁ ମନ ଦୃଢ଼ କରି ତୋ ନିଷ୍ପତ୍ତିରେ ଅଟଳ ରହ । ତୋ ପଛେପଛେ ମୁଁ ଢାଲ ହୋଇ ରହିଛି ।” ଏହା କହି ସୋମେଶ୍ ମୁଣ୍ଡକୁ ଆଉଁସି ଦେଲେ ବାପା ।
– ବସ୍ମିତାରାଣୀ ସାହୁ
Comments
ବିସ୍ମିତା ରାଣୀ ସାହୁ ପେଶାରେ ଜଣେ ଅଧ୍ୟାପିକା ଏବଂ ନିଶା ତାଙ୍କର ଗପ ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ଆଦିରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଲିପ୍ଷ୍ଟିକ୍ ପ୍ରଥମା ପ୍ରକାଶନ ଦ୍ୱାରା ଆତ୍ମ ପ୍ରକାଶ କରିଛି ।