ରାଜଧର୍ମ

ରାଜଧର୍ମ

ଧର୍ମର ସଂଜ୍ଞା ଖୋଜୁଛି ମଣିଷ
ଅର୍ଦ୍ଧଦଗ୍ଧ ପାଉଁଶ ଗଦାରୁ
ପାଳଭୂତ ପରି ଦଣ୍ଡାୟମାନ
ଧର୍ମ ଧାରଣା ଭରିଦେଇ ଥିବା
ମୌଲବୀ, ପାଦ୍ରୀ ଓ ପୁରୋହିତ ।

ବାବନା ଭୂତମାନେ ମାତିଛନ୍ତି
ଛଦ୍ମବେଶୀମାନଙ୍କ ସ୍ଵାର୍ଥ ପାଇଁ
ଗୃହଭେଦୀମାନଙ୍କ ଆକୁଣ୍ଠ ସମର୍ଥନ
ଏମାନେ ପଛରେ ଖମ୍ବପରି ଦଣ୍ଡାୟମାନ ।

ଧର୍ମ ନାମରେ ଚାଲିଛିଏଠି ଠିଆପାଲା
ଦାସ କାଠିଆର ଦୁଇଖଣ୍ଡ କାଠି
ଏମାନଙ୍କ ପାଇଁ ଯଥେଷ୍ଟ…
ଏ କଥା ହେଲାପରେବି ସ୍ପଷ୍ଟ
ବଢ଼ିଛି ଏମାନଙ୍କ ମୂର୍ଖାମୀ
ରସାତଳଗାମୀ ହୋଇଛି ମାତୃଭୂମି,
ସିମିତ ପୁରାଣ ଓ କୋରାନ ଭିତରେ
ଧର୍ମର ସଂକୀର୍ଣ୍ଣ ଗଳିର ଭିତରେ
ଅଣନିଶ୍ଵାସୀ ହେଉଛନ୍ତି ନିରିହ ପ୍ରାଣୀ ।

ଅଗ୍ନିରେ ସଂଯୋଗ ହେଉଛି ପାଣି,
ଅଙ୍ଗାର ହସୁଛି ଠୋ… ଠୋ… ହୋଇ,
ବିରାଟ ସଂସ୍କୃତି ପରମ୍ପରାର ମୂଳଦୁଆ
ଏମାନଙ୍କ ପାଇଁ ହୋଇଛି ଗୋଳିଆ ।

ପଙ୍କରକୀଟକୁ ମିଳୁଛି ବିରାଟତ୍ଵ ଆଖ୍ୟା,
ଧନ୍ୟ ଏମାନଙ୍କ ଦୁଃସାହସ !
ସ୍ଵାର୍ଥର ଅନ୍ଧାର ଗଳି ଭିତରେ
ମାଆ ଓ ମାତୃଭୂମି ନିଲାମ ହେଉଛି,
କୌରବଙ୍କ ଗଙ୍ଗସଭାରେ ।

ସେଇଠି ମନେପଡ଼ୁଛି ରାଜଧର୍ମ,
ଲମ୍ବା ନିରବତା ପରେ ବହୁଛି ଅଣଚାଷ ।

ରାଜଧର୍ମକୁ ଜଳାଞ୍ଜଳୀ ଦେଇ
ଆନ୍ଧାରରେ ବାଡ଼ି ବୁଲାଇ ବୁଲାଇ
ଭାଗିରଥ ଖୋଜୁଛି ଆତ୍ମିୟଙ୍କୁ,
ରାଜଧର୍ମକୁ ପାଶୋରି ଦେଇ
ଖୋଜିବାର ଅଭିନୟ କଲେ
ଧୂ ଧୂ ବାଲିଚର ହେବ ଦୃଶ୍ୟମାନ,
ନୈତିକତାକୁ ଜଳାଞ୍ଜଳୀ ଦେଇ
ଜାରଜ ସନ୍ତାନର କୁମ୍ଭୀର କାନ୍ଦଣା
ରାଜଧର୍ମ ସହ ଲୁଚକାଳି ଖେଳ,
ମରିଚିକା ପରି ଦୃଶ୍ୟମାନ ହୁଏ
ଧୂ… ଧୂ… ମରୁବାଲି ମରୁଭୂମିରେ ।

ଦିନବନ୍ଧୁ ବେଜ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...