ପ୍ରପୋଜ୍ ଡେ

Propose day

ସାଇବାବାଙ୍କ ମନ୍ଦିର ଯିବା ତ ଖାଲି ବାହାନା ଥିଲା, ହେଲେ ପ୍ରତ୍ୟେକ ଗୁରୁବାର ଦିନ କିରଣକୁ ଦେଖା କରିବାକୁ ଯାଏ । ତା’ର ମୋର ପ୍ରଥମ ଦେଖା ସାକ୍ଷାତ ସେଇ ମନ୍ଦିରରୁ ହୋଇଥିଲା । ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି କି ଜାଣିନଥିଲି । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲୁ । କଥାବାର୍ତ୍ତାରୁ ଧୀରେ ଧୀରେ ଆମ ସମ୍ପର୍କ ବଢ଼ିବାକୁ ଲାଗିଲା । ଆଜିକାଲି ଦୁନିଆର ଚାଲିଚଳଣିରେ ଆମେ ନିଜକୁ ସାମିଲ କରିନେଲୁ । ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ପରସ୍ପରର ନିକଟତର ହୋଇପାରିଥିଲୁ ।

ଦୁନିଆର ପ୍ରତ୍ୟେକ ପ୍ରେମ ସମ୍ପର୍କ ବନ୍ଧୁତାରୁ ହିଁ ଆରମ୍ଭ ହୋଇଥାଏ । ଆମର ଠିକ୍ ସେମିତି ହିଁ ହୋଇଥିଲା । ବନ୍ଧୁତାରୁ କେତେବେଳେ ପାଦ ପ୍ରେମ ଆଡ଼କୁ ବଢ଼ିଯାଇଥିଲା ନିଜେ ଜାଣିପାରି ନଥିଲି । ସେ ଦିନ ଥିଲା କିରଣର ଜନ୍ମଦିନ । ତାକୁ ଶୁଭେଚ୍ଛା ଜଣାଇବା ସହ ଉପହାର ସ୍ୱରୂପ ଦେଇଥିଲି ଗୋଲାପ ଫୁଲଟିଏ, ଆଉ କହିଦେଲି I LOVE YOU । ଟିକିଏ ହସିଦେଇ ଫୁଲଟିକୁ ମୋ ହାତରୁ ନେଲା ସତ କିନ୍ତୁ ସେ ଫୁଲକୁ ନେଇ ସାଇବାବାଙ୍କ ମନ୍ଦିରରେ ଥୋଇଦେଲା । ସେ କିଛି କହିଲାନି କି ମୁଁ ବି ତାକୁ କିଛି କରିନଥିଲି । ମନରେ ଆଶା ଥାଏ ସାମ୍ନାରେ ତ କିଛି କହିଲାନି ହୁଏତ ଫୋନରେ କିଛି କହିବ । କିନ୍ତୁ ମୋର ସେ ଆଶା, ଆଶାରେ ରହିଗଲା ।

ସେହି ଦିନଠାରୁ କିରଣକୁ, ମୁଁ ଆଉ ଦେଖିବାକୁ ପାଇନଥିଲି ସାଇବାବାଙ୍କ ମନ୍ଦିରରେ । ପ୍ରତ୍ୟେକ ଗୁରୁବାର ମୁଁ ଯାଏ ମାତ୍ର ନିରାଶ ହୋଇ ଫେରିବାକୁ ପଡ଼େ । ଏପରିକି ସୋସିଆଲ ମିଡିଆରେ ମଧ୍ୟ ତା’ର ଖୋଜ୍ ଖବର ପାଇଲିନି । ଯେତେବେଳେ ଫୋନ କଲେ ମୋବାଇଲ ସୁଇଚ୍ ଅଫ୍ ଥାଏ । ଏହା ଭିତରେ ୬ମାସ ବିତିଗଲାଣି । ସେଦିନ ମୋର ଥିଲା ଜନ୍ମଦିନ । ମୁଁ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଦୋକାନରୁ ଭୋଗ, ଦୀପ, ଗୋଲାପ ଫୁଲ କିଣୁଥାଏ । ହଠାତ୍ ପଛରୁ କେହି ଜଣେ କହିଲା, “ସୂର୍ଯ୍ୟ Many Many Happy Returns Of The Day, Happy Birthday…” ମୁଁ ପଛକୁ ବୁଲି ଦେଖେ ତ କିରଣ ହାତରେ ଗୋଲାପ ଫୁଲ ଧରି ମୋ ସାମ୍ନାରେ ଠିଆ ହେଇଛି । ତାକୁ ଦେଖିଲା ପରେ ମୋ ଖୁସିର ସୀମା ରହିଲା ନାହିଁ । କେବଳ ସେତିକି ନୁହେଁ ମୋ ହାତକୁ ଗୋଲାପ ଫୁଲଟିକୁ ଦେଇ କହିଥିଲା, “ସୂର୍ଯ୍ୟ I LOVE YOU…”

ବହୁତ ଦିନ ପରେ ସୂର୍ଯ୍ୟ ସହ ମୋର ଦେଖା ହୋଇଥିଲା ଆଉ ମୁଁ ଶୁଣୁଥିଲି ତା ପ୍ରଥମ ପ୍ରେମର କାହାଣୀ ।

 

– ସ୍ଵାଗତ ମିଶ୍ର
ସ୍ନାତକୋତ୍ତର ଓଡ଼ିଆ ବିଭାଗ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଭଞ୍ଜବିହାର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...