ପ୍ରେମର ପରିଭାଷା

Premara Paribhasa

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି??

ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ ପ୍ରେମ କରିବା ପାଇଁ ସ୍କୁଲ୍ କିମ୍ବା କଲେଜ ପଢ଼ିବା ସମୟରେ । ସବୁ ଜାଗାରେ ମରୁଡ଼ି ପଡ଼ିଥିଲା । ବାହାଘର ଆଗରୁ ଝିଅ ଦେଖିବାକୁ ଯାଇଥିଲି କିନ୍ତୁ ଦେଖି ପାରିନଥିଲି । ଜୀବନରେ ପ୍ରଥମଥର ପାଇଁ ଝିଅ ଦେଖିବାକୁ ଯାଇଥିଲି, ତେଣୁ ଯେ କୌଣସି ପ୍ରକାରରେ ଝିଅର ଫୋଟ ମୋବାଇଲରେ ଆଣିଥିଲି ।

କିଛି ଦିନପରେ ଏହି ଫେବୃୟାରୀ ମାସରେ ଫୋନ ଆସିଥିଲା ରାତି ୧୨ଟା ପାଖାପାଖିରେ.. ଧୀର ସ୍ୱର ମଧ୍ୟରେ ଆପଣ ମୋର ଭାଲେଣ୍ଟାଇନ୍ ହେବେ କି? କିନ୍ତୁ ମୁଁ ବହୁ ସମୟ ଭାବିଲା ପରେ ଧୀରେ ହଁ କରି ଦେଇଥିଲି ।ଏମିତି କିଛି ଦିନ ଗପ ଚାଲିଲା । ପରେ ବାହାଘରରେ ବଳି ପଡ଼ିଥିଲି ।

ବହୁ ବର୍ଷ ବିତିଗଲାଣି, ଆଜି ଆଉ ସେହି ପ୍ରେମ ନାହିଁ । ଦେଖିଲେ ଖାଲି କୁକୁର ଭଳି ଭୋ ଭୋ… । ଦୁହେଁ ଅଲଗା ଅଲଗା ଜାଗାରେ ଚାକିରୀ କରୁଥିବାରୁ ଏତେ ପ୍ରେମ ସମ୍ପର୍କ ନାହିଁ । କେବେ କେବେ ଫୋନ ଆସେ; ଝିଅ କ’ଣ କରୁଛି? ଠିକ୍ ଅଛି ନା ନାହିଁ?

କବାଟ ଠକ୍‌ଠକ୍ ଶୁଭିଲା । ହାଁ କହି ଗଲି ଖୋଲିବା ପାଇଁ । “ଆରେ ଅନିଷ ଖୋଲେ ଜଲଦି, ବହୁତ କାମ ଅଛି ।” ଖୋଲୁ ଖୋଲୁ ଦୁଆରରେ ଜଗା ଠିଆ ହୋଇ ଦାନ୍ତ ଦେଖାଉଛି । “କ’ଣ ହେଲାରେ?” ମୁଁ କହିବା ଆଗରୁ ସେ ଭାଷଣ ଦେଲାଣି, “ମୋର ବାହାଘର ଠିକ ହୋଇଗଲା ଏବଂ ରାତିରେ ବେଶୀ ସମୟ ଅତିବାହିତ ହେଲାଣି ଫୋନରେ; ତୋ ନୂଆ ଭାଉଜ ମାନେ ମୋର ବୋହୁ… ମୁଁ ମନେ ମନେ ହସି ପୁରୁଣା କଥାରେ ଅନ୍ୟମନସ୍କ ହୋଇଗଲି । ଗଲା ଗଲା ଏ ଜଗା ମୋ ପରି ହେଇଯିବ । ହଠାତ୍ ଜୋର୍ କି ହଲାଇଦେଲା ଜଗା । “ଏ ଅନିଷ କ’ଣ ଭାବୁଛୁ, କିଛି ଅସୁବିଧା କି, ନା ଭାଉଜ ସହ ପୁଣି ଗଣ୍ଡଗୋଳ କଲୁ କି? କେବେ ତ କିଛି କହୁ ନାହୁଁ, ଖାଲି ନିଜେ ହସୁଛୁ, କ’ଣ କିରେ… ଆରେ କହରେ…” “ନା କିଛି ନାହିଁ ଚାଲ ଯିବା ଆଗେ ଲେମ୍ବୁ ଚା’ ଟିକେ ପିଇବା । ତା’ପରେ ଯାଇ କଥା ହେବା….”

ମନୋଜ ମହାକୁଡ଼

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...