ଦେହର କ’ଣ କ୍ଷୁଧା ଥାଏ !?
ନା ମନ ତାକୁ ହିଂସ୍ର କରିଦିଏ?
ଅନ୍ଧ କରିଦିଏ ଦୈତ୍ୟ ହେବାକୁ,
ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି
ପ୍ରତିଶୃତି ବିକାଯାଏ
ଭରସା ପାଇଁ ନିଜର ସର୍ବସ୍ୱ ଦେଇ
ଆଶ୍ଵସନା ପାଇଁ ଝାସ ଦେଇଥିଲେ
ତିଳ ତିଳ କରି ନାରୀତ୍ୱ ବିସର୍ଜନ କରି
ସୁଧରେ ଆଣେ ଅସଜଡ଼ା ସ୍ୱପ୍ନ
ଅବା ସେ କି ଜାଣେ ଦିନେ ତା’ର ସୁଧ କରଜ
ବନ୍ଧବାଡ଼ ଡେଇଁ ଅଭାବୀ ବିକ୍ରି ହେଇଯିବ
ମୁଖା ଖସିଗଲେ ମଣିଷର ସମ୍ମାନ ଅଘୋଷିତ ଚିତ୍କାର କରେ
ବଳି ପଡିଯାନ୍ତି ବନରେ ଫୁଟି ଉଠୁଥିବା ଜୁଇ ଜାଇ ଚମ୍ପା
ମଧୁର ବାସ୍ନାରେ ମଧୁପ ସିନା ଅଥୟ ହୋଇଯାଏ
ତା ଦେହରୁ ସଞ୍ଚିତ ଲଜ୍ଜା ଝୁଣିଝୁଣି ବିଦାରି ଦିଏ
ପରେ ପକ୍ଷାଘାତ କରି ଶୁଷ୍କ କରି ଚାଲିଯାଏ ।
ସମାଜ ବୁଝିଛି ଅପାରଗତାକୁ ଦେଖାଇ ଫାଇଦା ଉଠାଯାଏ
ମନ ବିକାକିଣା ହୁଏନି
ଯଦି ହୁଅନ୍ତା ପ୍ରତିଶୃତି ଶସ୍ତାରେ ବଜାରରେ ବିକାଶ ହୁଅନ୍ତା ନାହିଁ କି,
ଭରସା ଜିତିବା ମହଙ୍ଗାରେ ମିଳନ୍ତାନି…
– ସୁଚରିତା ପାତ୍ର
Comments
ସୁଚରିତା ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।