କେବେ ମୁଁ ଥିଲି ଗଳ୍ପ, ତୁଥିଲୁ ମୋ ଗୀତି
ଏବେ ମୁଁ ପାପଟିଏ, ତୁ ବହୁଦୂରେ ପ୍ରାପ୍ତି
ଦିନେ ମୁଁ ଥିଲି ସ୍ୱାଦ, ତୁ ଥିଲୁ ମୋ ଶାନ୍ତି
ଏବେ ମୁଁ ଦୋଷଟିଏ, ତୁ ବହୁଦୂରେ ଦୀପ୍ତି
ଦିନେ ମୁଁ ଥିଲି ତୃଷ୍ଣା, ତୁ ଥିଲୁ କେବେ ତୃପ୍ତି
ଏବେ ମୁଁ ସ୍ୱପ୍ନଟିଏ, ତୁ ବହୁଦୂରେ ସ୍ମୃତି
ଦିନେ ମୁଁ ଥିଲି ସତ୍ୟ, ତୁ ଥିଲୁ ମୋ ସ୍ଫୁର୍ତ୍ତି
ଏବେ ମୁଁ ଶାପଗ୍ରସ୍ତ, ତୁ ବହୁଦୂରେ ସ୍ତୁତି
ଦିନେ ମୁଁ ଥିଲି କଳା, ତୁ ଥିଲୁ ମୋ କୃତି
ଏବେ ମୁଁ କଳଙ୍କିତ, ତୁ ବହୁଦୂରେ କୀର୍ତ୍ତି
ଦିନେ ମୁଁ ଥିଲି ସ୍ରଷ୍ଟା, ତୁ ଥିଲୁ ମୋ ସୃଷ୍ଟି
ଆଜି ମୁଁ ମରୁବାଲି, ତୁ ବହୁଦୂରେ ବୃଷ୍ଟି
ଦିନେ ମୁଁ ଥିଲି ମୁଗ୍ଧ, ତୁ ଥିଲୁ ପ୍ରେମମୂର୍ତ୍ତି
ଏବେ ମୁଁ ପରିତ୍ୟକ୍ତ, ତୁ ବହୁଦୂରେ ତୁଷ୍ଟି
କେବେ ମୁଁ ଥିଲି ବନ୍ଧା, ତୁ ଥିଲୁ ଭାବପ୍ରୀତି
ଏବେ ମୁଁ ଶରବିଦ୍ଧ, ତୁ ମୋ ଦେହେ ଶାସ୍ତି
କେବେ ଥିଲି ଜୀବନ୍ତ, ତୁ ଥିଲୁ ମୋ ଯୁକ୍ତି
ଏବେ ମୁଁ ମୃତପ୍ରାୟ, ତୁ ଏଠି ମହାସୁପ୍ତି
ଦିନେ ମୁଁ ଥିଲି ରୋଗ, ତୁ ଥିଲୁ ମୋ ରାତି
ଆଜି ମୁଁ କ୍ଷତଯୁକ୍ତ, ତୁ ବହୁଦୂରେ ଖ୍ୟାତି
ଦିନେ ମୁଁ ଥିଲି ଧର୍ମ, ତୁ ଥିଲୁ ମୋ ଧାତ୍ରୀ
ଏବେ ମୁଁ ଭକ୍ତିହୀନ, ମୋ ସମ୍ମୁଖରେ ଭ୍ରାନ୍ତି
ଦିନେ ମୁଁ ଥିଲି ମୃଣ୍ମୟ, ତୁ ଥିଲୁ ମୋ ମୁକ୍ତି
ଏବେ ମୁଁ ନୀତିହୀନ, ମୋ ଭାଗ୍ୟାକାଶେ ନାସ୍ତି
ଦିନେ ମୁଁ ଥିଲି ବାଧ୍ୟ, ତୁ ଥିଲୁ ମୋ ବ୍ୟାପ୍ତି
ଏବେ ମୁଁ ଇତସ୍ତତଃ, ମୋ ସମ୍ମୁଖରେ ଇତି
Comments
ଡ. ବିଶ୍ୱରଞ୍ଜନ କର ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶା ତାଙ୍କର ଗପ ଓ କବିତା ଲେଖିବା । ସେ ତାଙ୍କର ଫାଙ୍କା ସମୟରେ ବିଭିନ୍ନ ଗପ ଓ କବିତା ଆଦି ଲେଖନ୍ତି । ଶୁଭପଲ୍ଲବର ପ୍ରତିଷ୍ଠା ହେବାଠାରୁ ସେ ସମ୍ପାଦକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସିଛନ୍ତି ।