ପ୍ରଣୟିନୀ

Odia Poem Pranayini (ପ୍ରଣୟିନୀ) by Srikanta Padhan

ଆଗତ ଫଗୁଣ ଶୁକ୍ଳ ତୃତୀୟାର
ମୀନ ଚନ୍ଦ୍ରେ ଶୁଭ ଲଗ୍ନ
ଜନ୍ମ ଜନ୍ମାନ୍ତର ସଂପର୍କ
କଟିରେ ବନ୍ଧା ହେବା ସେହି କ୍ଷଣ ॥

ଦିନ ଗଣୁଅଛି ଆହେ ପ୍ରଣୟିନୀ
ଉଛୁରା ମନ ମୋ ଚାପି
ହୃଦୟ ଝରକା ଖୋଲା ରଖିଅଛି
ଆସିବକି କାଳେ ଛପି ॥

ପ୍ରତିଟି ମୂହୁର୍ତ୍ତ ଲାଗେ ଶତ ଯୁଗ
ସ୍ଥିର ଲାଗେ ମହୀ ଗତି
ପରୀକ୍ଷା କି ନିଏ ନିୟତି ମୋହର
ଧୈର୍ଯ୍ୟ ତରାଜୁରେ ନାପି ॥

ମାନସେ ଝଟକେ ସୁପ୍ରତିମା ତବ
ପହିଲି ନଜର ଛବି
କୁଞ୍ଚିତ କେଶର ଅମାନିଆ ଲଠ
ଭାଷୁଥିଲ ମୃଦୁ ଲାଜି ॥

ମୁଖୁଡ଼ା କମଳେ ଭ୍ରମର ଭ୍ରୁଲତା
ହୃଦୟେ ଯାଇଛ ଲାଖି
ତରଙ୍ଗ ଚକ୍ଷୁରେ ପ୍ରୀତିର ଲହଡ଼ା
ମନେ ମୋ ଜୁଆର ତାତି ॥

ପ୍ରଣୟିନୀ ଗୋ ମୋ ସପନ ନାଗରୀ
ହେବ କି ବାସ୍ତବେ ସଖି
ଯୋଗୀ ପରି ତୁମ ନାମଯୋଗେ ଅଛି
ପ୍ରେମମାଳା ଜପି ଜପି ॥

ଶ୍ରୀକାନ୍ତ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...