ଫମ୍ପା ମାଠିଆ

fampa-mathia

ଘର ସଫା, ଘର ପୋଛା ସହ ପୂଜାବାସନ ମଜାଧୁଆ ସରିଲା । ସେପଟେ ବାହାରେ ଗୋବର ଛଡ଼ା ସହ କାଲି ପାଇଁ ପୂଜା ଥାଳି ମଧ୍ୟ ସଜାଡ଼ି ଦେଲି; ଏଥର ମୁଁ ମୋ ଘରକୁ ଯିବି କି ମାଆ? ବାସ୍…

ଏହାପରେ ଆଉ କ’ଣ? ସବୁଦିନ ଯାହା ହୁଏ ତାହାହିଁ ହେଲା । ଗୋଲାପିର ଏତକ କଥା ଶୁଣି ସେପଟୁ ରାଗରେ ଫଁ ଫଁ ହୋଇ ମାଲିକାଣୀ ବର୍ଣ୍ଣାଳୀର ଗାଳି ଆରମ୍ଭ । ଏପଟେ ଚୌକିରେ ବସି ମାଳତୀ ଦେବୀ ନୀରବ ଦ୍ରଷ୍ଟା । କହିବେ ମଧ୍ୟ କ’ଣ? ବର୍ଣ୍ଣାଳୀ ସାତ ବର୍ଣ୍ଣରେ ସଜେଇ ହୋଇ ନଅ ବର୍ଣ୍ଣର ଖାଦ୍ୟ ଖାଇବାବେଳେ ତା’ ଦିନ ସରିଯାଏ, ପୁଣି ମୁକ ଶାଶୁଙ୍କୁ ଦେଖି ତାହାର ଯେଉଁ ଉତ୍ପାତ ଆଉ କହିଲେ ନସରେ । ଛାଡ଼ !!! ନିଜେ ସେ ଛୋଟ ବେଳୁ ଲକ୍ଷ୍ମୀନାରାୟଣଙ୍କୁ ପୂଜିଥିଲେ । ପୁଣି ବିବାହ ପରେ ଗୁଣବତୀ ହୋଇ ଦାରିଦ୍ର୍ୟତାରୁ ରକ୍ଷା ପାଇଁ ସେ ନିଷ୍ଠାରେ ପୂଜା କରିଥିଲେ, ଠାକୁରାଣୀ ତାଙ୍କ ସବୁ ଇଚ୍ଛା ପୂରଣ କଲେ । ଅଳ୍ପ ପରିବର୍ତ୍ତେ କିନ୍ତୁ ଅତ୍ୟଧିକ ଦେଇଦେଲେ ।

ତାଙ୍କର ଝାଟିମାଟି ଘର ଏବେ ବଙ୍ଗଳା ଯେଉଁ ହୋଇଯାଇଛି । ଭଙ୍ଗା ଘରେ ଲକ୍ଷ୍ମୀମାତାଙ୍କୁ ପୂଜା କଲେ କିନ୍ତୁ ମାତା ଆସିଲେ ତାଙ୍କ ପୁଅର ଏଇ ବଙ୍ଗଳା ଘରେ । ବୋଧେ ଏଇ ଆଶୀର୍ବାଦ ଭୋଗ କରିବା ତାଙ୍କ ଭାଗ୍ୟରେ ଆଉ ନଥିଲା, ତାଙ୍କଠୁ ପୂଜିବା ଶକ୍ତିଟି ଚାଲିଗଲା ଗୋଟେ ଦୁର୍ଘଟଣାରେ । କଥା କହିବା ସହ ସାମାନ୍ୟ ବଳ ମଧ୍ୟ ଚାଲିଗଲା ଓ ପୁଅ ନେଇଆସିଲା ମଡର୍ଣ୍ଣ ବୋହୂ ଆଉ ସେ ବୋହୂ ଚାରି ଦିନରେ ନେଇ ଆସିଲା କାମବାଲି ଏଇ ଗୋଲାପିଟାକୁ ।

ଜୀବନରେ କେତେ କଷ୍ଟ ଆସିଲେ ସୁଦ୍ଧା ସେ ଗୁରୁବାର ପୂଜାରେ କେବେ ଅବହେଳା କରିନାହାନ୍ତି । ବୟସ ବଢ଼ିବା ପରେ ଭବିଷ୍ୟତରେ ତାଙ୍କ ବୋହୂ ହାତରେ ପୂଜା ବିଧି ସମର୍ପିବେ ବୋଲି ତାଙ୍କର କେତେ ଆଶା ଥିଲା । କିନ୍ତୁ ଏଇଟା କ’ଣ? ବୋହୂ ଘଣ୍ଟି ବଜାଇବାକୁ ହିଁ ଆଣିଥିଲେ ବୋଧେ । ଏଇ ଗୋଲାପିଟା ସବୁ ବିଧି କରୁଛି ଯେମିତି ଠାକୁରାଣୀ ତା’ଠାରୁ ପୂଜା ପାଇବାକୁ ଜଗିଛନ୍ତି !

ବର୍ଣ୍ଣାଳୀଠୁ ଗାଳି ଶୁଣି ପୁଣି ଯାଇ ବାକି କାମ ଆରମ୍ଭ କଲା ଗୋଲାପି । ମାଳତୀ ଦେବୀଙ୍କ ଠାର ବୁଝିପାରି ତାଙ୍କୁ ପାଣି ଆଣି ପିଆଇ ପୁଣି ନେଇ ଗୁରୁବାର ପୂଜା ପାଇଁ ସଜବାଜ ସବୁ ଖୁସିରେ ଦେଖାଇଲା ଆଉ ଏତିକିରେ ଯାଇ ଝୋଟିଚିତା ମଧ୍ୟ ଆରମ୍ଭ କଲା ।

ଯଦିଓ ସେ କାମବାଲି ଥିଲା କିନ୍ତୁ ତା ସଂସ୍କାରଟା ଥିଲା ଘରଣୀ ପ୍ରାୟ । ସେ ପାଠ କି କାମର ଯେଉଁଟା ମଣିଷର ସଂସ୍କାର ବୃଦ୍ଧି କରୁନି? ପାଠ ପଢ଼ି ମୁର୍ଖ ହେବା ଅପେକ୍ଷା ଅଳ୍ପ ପାଠ ପଢ଼ି ଗୋଲାପି ପରି ହେବା ହଜାରେ ଗୁଣରେ ଭଲ । ବର୍ଣ୍ଣାଳୀ ଓ ଗୋଲାପି ଭିତରେ ପାର୍ଥକ୍ୟ ଦେଖି ନିଜ ଭାଗ୍ୟକୁ ଠିକ୍ ନିନ୍ଦି ପାରୁଥିଲେ ମାଳତୀ ଦେବୀ ।

ସେପଟୁ ବର୍ଣ୍ଣାଳୀର କର୍କଶ ସ୍ଵର ଲମ୍ବିଗଲା ଅତ୍ୟନ୍ତ ଅଡ଼ୁଆରେ, “ଘରକୁ ସୁନ୍ଦର ଘରଣୀ ଥିଲେ ଆଉ ଘରଣୀ ସୁନ୍ଦର କାମବାଲି ଥିଲେ ।”

ଏପଟେ ମାଳତୀ ଦେବୀ ମନରେ ଗର୍ଜି ଉଠିଲେ, “ଫମ୍ପା ମାଠିଆର ଶବଦ ବେଶୀ” !! ସଙ୍ଗେ ସଙ୍ଗେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସୁମରଣା କରି ପ୍ରଥମଥର ଏଇ ଦୁର୍ଘଟଣା ପାଇଁ ଧନ୍ୟବାଦ କଲେ କାହିଁକିନା ସେ ଥରେ ପାଟି ଫିଟାଇଥାନ୍ତେ ଯଦି ତାଙ୍କ ପୁଅ ମା ଆଉ ସ୍ତ୍ରୀ ମତଭେଦ ଭିତରେ ଭାଙ୍ଗି ପଡ଼ନ୍ତା ।

ଶେଷରେ ପ୍ରାର୍ଥନା କରି ଏଥର ଧନ ପରିବର୍ତ୍ତେ ଲକ୍ଷ୍ମୀଛଡ଼ା ବୋହୂ ପାଇଁ ଉତ୍ତମ ବୁଦ୍ଧି ମାତ୍ର ଭିକ୍ଷା ମାଗି ପୁଣି ଗୋଲାପିର ସୁନ୍ଦର ଝୋଟି ଆଡ଼କୁ ଧ୍ୟାନ କେନ୍ଦ୍ରିତ କଲେ ମାଳତୀଦେବୀ ।

– ସ୍ୱାଗତିକା ମହାଙ୍କୁଡ଼

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...