ପରିସମାପ୍ତିର ଠିକ ପୂର୍ବରୁ
ସବୁକିଛି ପୁଣି କାହିଁକି
ଜୀବନ୍ତ ହୋଇଉଠେ !
ସ୍ମୃତିର ବକ୍ଷ ଚିରି
ଅତୀତ ଆଜି ଭାସି ଉଠେ
ଜଳଜଳ କରି ଆଖି ଆଗରେ ।
ଇତିର ଅୟମାରମ୍ଭ ଆଗରୁ
ଆରମ୍ଭ କାହିଁକି ଆଜି
ପୁନଶ୍ଚ ସ୍ଵପ୍ନ ଦେଖାଏ
ଆଉ ଏକ ନୂଆ ଆରମ୍ଭର !
ଭିନ୍ନ ମୋଡ଼ ନେବାକୁ ଚାହେଁ
ଗତିପଥ ଜୀବନର,
ବଦଳାଇଦେବାକୁ ଚାହେଁ
ରୂପ ଇତିର ।
ନାଟକରେ ଯବନୀକା ପଡ଼ିବା ଆଗରୁ
ଶେଷ ଦୃଶ୍ୟର ଠିକ ଆଗରୁ
ଭାସିଉଠନ୍ତି ମାନସପଟରେ
କାହାଣୀର ଚରିତ୍ର ସବୁ !
ଇଚ୍ଛା ହୁଏ ଭିନ୍ନ ରୂପ ଦେବାକୁ
କିଛି ଚରିତ୍ରକୁ ଲେଖିଦେବାକୁ
ଆଉ ଏକ ନୂଆ ରୂପରେ ।
ସମୟ ସରିଆସୁଥିବା ବେଳେ
ଅତୀତ କାହିଁକି ଜାବୁଡ଼ି ଧରେ
ଜୋରରେ, ଆହୁରି ଜୋରରେ !
ନିଃଶ୍ଵାସ ଛାଡ଼ିଯାଉଥିବା ବେଳେ
ବିଶ୍ଵାସ କାହିଁକି ହୋଇଉଠେ
ଆହୁରି ଦୃଢ଼ରୁ ଦୃଢ଼ତର !
ଜୀବନର ଆସକ୍ତି ବାନ୍ଧି ବସେ,
ଆଉ କିଛି ସମୟ ବଞ୍ଚିଯିବାର ଆଶା ।
ଧରି ରଖିବାକୁ ଚାହେଁ ସମୟର ଡୋରି
ଚିରକାଳ ଲାଗି ନିଜ ହାତମୁଠାରେ ।
ସବୁ ଶେଷର ଆରମ୍ଭ ଆଗରୁ
ହଠାତ ସବୁକିଛି ନୂଆ ରୂପରେ
ପରିକଳ୍ପନାର ଆରମ୍ଭ ହୁଏ
ହୃଦୟ କାହିଁକି ଉଦ୍ବେଳିତ ହୁଏ
ସବୁ ପରିସମାପ୍ତିର ଠିକ ଆଗରୁ !
– ଦିବ୍ୟଶ୍ରୀ ଜେନା
Comments
ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।