ବର୍ଷରେ ସେଇ ସମୟ, ଯେବେ
ଦୂରତା କମେ ମୋର ଆଉ ବହିର
ଏଥର ବୋଧେ ସମ୍ପୂର୍ଣ୍ଣ ଅପହଞ୍ଚ ଥିଲି,
ଭୟଥିଲା ଏ ପରୀକ୍ଷା ଯେମିତି
ହଷ୍ଟେଲ ଯିବାକୁ ବାଧ୍ୟ ନ କରେ ।
ଦୁଇମାସ ବାକି, ଶୁଭାରମ୍ଭ
କାଳେ ଦୁଇ ମାସ ପଢ଼ିଲେ
ସାହିତ୍ୟରେ ଆଗେ ପାସ୍ ହେଇଯିବି,
କ’ଣ ପାଇଁ ସାହିତ୍ୟ ମତେ ନିଜର ଲାଗିଲା
ଶୁଣିଥିଲି ପ୍ରେମରେ ପଡ଼ିଲେ କୁଆଡ଼େ ସାହିତ୍ୟ ଭଲଲାଗେ ।
ପ୍ରେମରେ ପଡ଼ିବା ପୂର୍ବରୁ, ଭୟ !!
ଭୟର ନାଁ ଗଣିତ, ମୋ ଶତ୍ରୁ
ପୂର୍ବଥର ଭଳି ଶୂନରେ ସନ୍ତୁଷ୍ଟ ନ କରୁ !!
ଜୀବନ ବର୍ବାଦ ହେଇଯିବ ଯେ
କେହି ତାଙ୍କୁ ବନ୍ଦ କରି ଦିଅନ୍ତା କି ।
ଆଉ ବାକି ବିଷୟର ଭରସା ନ ଥିଲେ ବି
ବୋଉ ମଙ୍ଗଳାଙ୍କ ପାଖରେ ଓଷା କରିଥିଲା
ସତରେ କ’ଣ ମା’ ପାସ କରି ଦେବେ?
ସେ କଥା ମୋ ବୋଉ ଜାଣିଥିବ
ନହେଲେ କାନ୍ଦିଏ କଦଳୀ ବ୍ୟର୍ଥ ହେଇ ଯିବ ।
ସବୁବେଳେ ବାପାଙ୍କ ଏକା ତାଗିଦ୍
ଯେମିତି ହେଉ ତତେ ପାସ୍ କରିବାକୁ ହେବ ଯେ
କ’ଣ ପରୀକ୍ଷା ଫଳ ମୋ ଜୀବନ ବଦଳେଇ ଦବ?
ମୋ ଜୀବନଠାରୁ ବଡ଼ ବୋଧେ ବାପାଙ୍କ ସମ୍ମାନ?
ସେଇପାଇଁ ଘରୁ ବାହାରିବାକୁ ମନା ।
ସ୍କୁଲ୍, ଖେଳ, କୋଚିଂ ସବୁ ବନ୍ଦ
ବାହାରକୁ ଯିବାକୁ ବାହାନାର ଅଭାବ
ପାଖ ପଡ଼ିଆରୁ କ୍ରିକେଟ ମ୍ୟାଚ୍ ଜିତିବାର କୋଳାହଳ,
ଦୁଇ ମାସ ହେଲାଣି ସୋଇପଡ଼ିଥିବା
ଖେଳାଳୀକୁ ଜୀବନଦାନ କରି ଚାଲି ଯାଉଥିଲା ।
ପରୀକ୍ଷା ଲାଗି ମୁଁ ଏବେ ଅଛୁଆଁ, ଏକା
ବୋଉ ସହ କଥା ଦି’ପଦ କେବଳ ଖାଇବାବେଳେ
କେତେ ଦିନୁ ସାନ ଭଉଣୀର ବିଧା ଖାଇନି,
ଜେଜେମା ଆଉ ଗୁଣ୍ଡିପାଇଁ ଆଉ କହୁନି
ଶେଷଥର କେବେ ଦେଇଥିଲି ଭୁଲିଗଲିଣି ।
ପରୀକ୍ଷା କ’ଣ ସତରେ ସମ୍ପର୍କ ଛିନ୍ନ କରିଦିଏ?
କେତେ ଦିନର ଏ ଛିନ୍ନ ସମ୍ପର୍କ?
ସତରେ ମତେ କ’ଣ ପାସ୍ କରି ଦେବ?
ଯଦି ମୁଁ ଫେଲ ହେଇଯାଏ, ତେବେ?
“ସେତିକି ଭାବିବା ଥାଉ, ପାଠ ପଢ଼”,
ସେପଟୁ ବାପା ଗର୍ଜନ କଲେ ॥
– ପ୍ରବୀର କୁମାର ସାହୁ
Comments
ପ୍ରବୀର କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।