ପରକାୟ
ପରକାୟ

ପରକାୟ

ପଶ୍ଚିମ ଆକାଶରେ ରବି ମିଶିଯିବା ପାଇଁ ବ୍ୟସ୍ତ । ଆଉ କିଛି ସମୟର ଅପେକ୍ଷା ପରେ ସନ୍ଧ୍ୟା ବି ଲୁଚିଯିବ ଆଉ ଭେଟିଦେବ ଅନ୍ଧକାର ଭରା ରାତିକୁ । ସମୟ ସନ୍ଧ୍ୟା ୫.୩୦ ହବ । ହସ୍ପିଟାଲର ବିଛଣାରେ ବସି ରାଧାକୃଷ୍ଣ ବାବୁ, ବଡ଼ ପୁଅ ସୁରେଶର ହାତ ଧରି କାନ୍ଦୁଥାନ୍ତି । ସ୍ଵାମୀଙ୍କ ପାଖରେ ବସିଥାନ୍ତି ପତ୍ନୀ ସାରଦା ଦେବୀ । ବଡ଼ ଭାଇର ପଛରେ ତଳକୁ ମୁଁହ କରି ଛିଡ଼ା ହୋଇଥାଏ ସାନ ଭାଇ ମୋହନ । ଏହି ଦୃଶ୍ୟଟି ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲା ତା’ଠୁ ବେଶି ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା । କାହିଁକି ରାଧାକୃଷ୍ଣ ବାବୁ ଏହି ଅବସ୍ଥାରେ କାନ୍ଦୁଥିଲେ !!!

ଆଜିକୁ ଠିକ ତିରିଶି ବର୍ଷ ତଳର ଘଟଣା । ସାରଦା ଦେବୀ ସ୍ଵାମୀଙ୍କ ମୁଁହ ଙ୍କୁ ଚାହିଁ ଛଳ ଛଳ ନୟନରେ କୁହନ୍ତି “ଆଉ କେବେ ମୁଁ ମାଆ ଡାକ ଶୁଣିବି । ଆଉ କେତେ ମୋତେ ମିଛ ପ୍ରତିଶୃତି ଦେଉଥିବ । କେବେଠୁ କହୁଛି, ପିଲାଟିଏ ପୋଷ୍ୟ ଗ୍ରହଣ କରିନେବା ବୋଲି, କିନ୍ତୁ ନାହିଁ । ତୁମେ ଆଉ ତୁମର ସେ ଡାକ୍ତର । ଯଦି ମୁଁ ସେ ଡାକ୍ତର କଥା ମାନେ, ବୋଧହୁଏ ଏଇ ଜନ୍ମରେ ମୁଁ ଆଉ କେବେ ମାଆ ଡାକ ଶୁଣିପାରିବି ନାହିଁ ।” ବାସ୍ ଏତିକି କହି ଦୀର୍ଘ ନିଶ୍ଵାସ ଟିଏ ମାରିଲେ ସାରଦା ଦେବୀ । ଏହି କଥା ଦୁଇ ପଦ ଶୁଣି ନିଜକୁ ନିଜେ ଦୋଷି ମନେ କରୁଥାନ୍ତି ରାଧାକୃଷ୍ଣ ବାବୁ । ଧୈର୍ଯ୍ୟହରା ହୋଇ ପଡ଼ିଲେ ସେ । କହିଲେ- “ଠିକ ଅଛି, କାଲି ଯାଇ ଆମେ ପିଲାଟିଏ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବା ।” ଏହି କଥା ପଦେ କହି ସାନ୍ତ୍ୱନା ଦେଲେ ସେ ନିଜ ପତ୍ନୀଙ୍କୁ ।

ତା’ ପରଦିନ ସ୍ଵାମୀ-ସ୍ତ୍ରୀ ଦୁହେଁ ଯାଉଥାନ୍ତି ପିଲାଟିଏ ପୋଷ୍ୟ ସନ୍ତାନ ପାଇଁ । ମାତ୍ର ରାସ୍ତାରେ ଯାଉଥିବା ସମୟରେ ଶୁଣିବାକୁ ପାଇଲେ କୁଆଁ କୁଆଁ ଡାକ । ହଠାତ ଦୃଷ୍ଟି ପଡ଼ିଲା ସେ ଆମ୍ବ ଗଛ ମୂଳ ଉପରେ ସାରଦାଦେବୀଙ୍କର । ସଙ୍ଗେ ସଙ୍ଗେ ସେଠାକୁ ଯାଇ ନିଜ କୋଳକୁ ନେଇଗଲେ ସେ କୁନି ବାଳକଟିକୁ ।ତତ୍‌କ୍ଷଣାତ ପିଲାଟିର କାନ୍ଦ ବନ୍ଦ ହୋଇଗଲା ।

ରାଧାକୃଷ୍ଣ ବାବୁ ଚତୁର୍ଦିଗ ଦେଖିଲେ କିନ୍ତୁ କାହାକୁ ପାଇଲେନି । ପତ୍ନୀଙ୍କର ଖୁସି ନିମନ୍ତେ ସେହି ପିଲାଟିକୁ ନେଇ ଗଲେ ସେ ନିଜ ଘରକୁ, ମାତ୍ର ଖୁସି ନଥାନ୍ତି ସେ । ପିଲାଟିଏ ପାଇ ବହୁତ ଖୁସି ହୋଇ ଯାଇଥା’ନ୍ତି ସାରଦା ଦେବୀ ଆଉ ତା’ର ନାମ ରଖିଲେ ସେ ସୁରେଶ । ବେଶ ଯତ୍ନର ସହ ଲାଳନ ପାଳନ କରିଲେ ତାହାର । ଏହାର ଦୁଇ ବର୍ଷ ପରେ ନିଜ କୋଳକୁ ମଧ୍ୟ ଆସିଲା ପୁତ୍ର ସନ୍ତାନଟିଏ । ଯେଉଁଥିରେ ବହୁତ ଖୁସି ଥା’ନ୍ତି ରାଧାକୃଷ୍ଣ ବାବୁ । ଖୁସି ତାଙ୍କର କହିଲେ ନସରେ ଆଉ ନାଁ ରଖିଲେ ତାହାର ମୋହନ । ଏହା ପରଠୁ ଆରମ୍ଭ ହୁଏ ପାତର ଅନ୍ତର । ସେ ଦୁଇ ପୁଅଙ୍କୁ ଅସମାନ ଦୃଷ୍ଟିରେ ଦେଖନ୍ତି । କିନ୍ତୁ ମାଆ ସାରଦା ଦେବୀ ବେଶ ଯତ୍ନ ନିଅନ୍ତି ଦୁଇ ପୁଅଙ୍କର । ଏହାପରେ ଦୁଇ ପୁଅ ବଡ଼ ହୋଇ ଭଲ ଜାଗାରେ ଚାକିରୀ କରନ୍ତି ।

ମୋହନ ପ୍ରତି ରାଧାକୃଷ୍ଣଙ୍କ ଅଧିକ ଭଲ ପାଇବା ହେତୁ ସେ କୁସଙ୍ଗରେ ପଡ଼େ । ମା’ଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ସେ ଶୁଣିନଥାଏ କଥା । କିନ୍ତୁ ଏହାର ଠିକ ବିପରୀତ ଥାଏ ସୁରେଶ ।

ହଠାତ ଦିନେ ରାଧାକୃଷ୍ଣବାବୁଙ୍କ ଦେହ ବହୁତ ଖରାପ ହୋଇଯାଇଥାଏ । ଡାକ୍ତରୀ ପରୀକ୍ଷାରେ ଜଣା ପଡ଼ିଲା ତାଙ୍କ ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇ ଯାଇଛି । କିନ୍ତୁ ମୋହନ ଅଫିସର କାମ କହି ବିଦେଶକୁ ଯାଇ ମଉଜ ମଜଲିସ କରୁଥାଏ । ପିତାଙ୍କ ଦେହ ଖରାପ ଶୁଣିବା ମାତ୍ରେ ଦୂର ଦେଶରୁ ଫେରି ଆସେ ସୁରେଶ । ବହୁତ ଚିକତ୍ସା ପରେ ଡାକ୍ତର କହିଲେ “ତାଙ୍କୁ କେହି ଗୋଟିଏ କିଡ୍‌ନୀ ନଦେବା ତା’ହାଲେ ତାଙ୍କ ବଞ୍ଚିବା ଅସମ୍ଭବ ।” ଏହା ଶୁଣି ସୁରେଶ ଡାକ୍ତରଙ୍କୁ କହିଲା- “ଯାହା ଦରକାର କୁହନ୍ତୁ ଡକ୍ଟର, କିନ୍ତୁ ମୋ ବାପାଙ୍କୁ ବଞ୍ଚେଇଦିଅନ୍ତୁ ।” ଏହା ପରେ ସୁରେଶର ଗୋଟେ କିଡନୀରେ ରାଧାକୃଷ୍ଣ ବାବୁଙ୍କ ଦେହ ସୁସ୍ଥ ହୋଇଗଲା ।

ଏହା ପରେ ରାଧାକୃଷ୍ଣ ବାବୁ ନିଜକୁ ତିରସ୍କାର କଲେ ଓ ନିଜକୁ ଦୋଷୀ ବୋଲି ମନେକଲେ । ଅପରେସନ ସରିବା ପରେ ମୋହନ ଆସି ସବୁ କଥା ଶୁଣିଲା ଓ ନିଜ ଭୁଲକୁ ବୁଝି ପାରିଲା । ମଣିଷର କିଛି ଏମିତି ମୁହୂର୍ତ୍ତ ଆସେ ଯେଉଁଠି ପରିବାରର ସଦସ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କୁ ଘୃଣା କରିଥାଏ, କିନ୍ତୁ ସମୟ ସଦାବେଳେ ପରିବର୍ତ୍ତନଶୀଳ ଯେଉଁଠାରେ ପରଲୋକ ନିଜର ହୁଅନ୍ତି ଓ ନିଜ ଲୋକ ପର ହୋଇଯା’ନ୍ତି, ଠିକ ଯେମିତି ମୋହନ ପରି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu