ପରାହତ ସମୟ

Odia Poem Parahata Samaya (ପରାହତ ସମୟ) by Subhashree Mohanty

କେଉଁ ଏକ କ୍ରଶବିଦ୍ଧ ସମୟର
ଆହତ କପୋତିନୀ ଥିଲା ସେ !

ସେ ଜାଣିନଥିଲା ଏଠି ଆଞ୍ଜୁଳେ
ଚାଉଳର ମୂଲ୍ୟ ଗୋଟାପଣ ବିଷ,
ଓଠ ମେଲି ହସୁଥିବା କିଛି କିଛି
ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ ।

ଦୂର ପରବତ ସୁନ୍ଦର !
କିଏ ଜାଣେ ଏଇ ଇନ୍ଦ୍ରଧନୁର କେତେ ରଙ୍ଗ !?
ଜହ୍ନଟା ଜହ୍ନ ନା ଫିଲାମେଣ୍ଟ ବଲବ !?
ଧଳା ଜହର ଏଠି ବଞ୍ଚିବାର ସଞ୍ଜିବନୀ,
ଭୋକ ଏଠି ଦେହ ଆଉ ବିରିୟାନୀ,
ହସ ଏଠି ମିଛ ହ୍ୱାଟ୍ସ୍‌ଆପ ସ୍ମାଇଲି…

ଏଠି ସମୟ ବିଳାପେ
ମିଛ ଚିତ୍ରିତ ଚେହେରାଙ୍କ ଭଙ୍ଗୀରେ,
ଚେତନା ଧିମେଇ ପଡ଼େ
ମାୟାବିନୀ ରାତ୍ରିର ସାନ୍ଦ୍ରତାରେ ।

କପୋତିନୀ ଏବେ ସେହି
ଅଭିଶପ୍ତ ସମୟର କଢ଼ି !

ପ୍ରସ୍ତ ପ୍ରସ୍ତ ଛଳନାର ଫସିଲ ପରେ
କପୋତୀ ଚାହେଁ ଦିଗନ୍ତକୁ,
ଯେଉଁଠି ଧୂଆଁ ପରି ମିଳେଇଯାଉଥିଲା
ଆପଣାର ସତ୍ତା,
ଖୋଜେ ସେହି ବିସ୍ମିତ ସମୟକୁ, ଯୁଗାନ୍ତକୁ…

କିନ୍ତୁ କ’ଣ ହେବ?
ସମୟ ତ କେଉଁ କାଳୁ ଅଭିଶପ୍ତ କଫିନରେ !!!!

– ଶୁଭଶ୍ରୀ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...