ଗୋଲାପ

Odia Story Golapa (ଗୋଲାପ) by Lala Om Prakash Rout

ପୃଥିବୀର ଯେ କେହି ବି ଯେତେ ନିର୍ଦ୍ଦୟ ନିଷ୍ଠୁର ମଣିଷଟିଏ ହୋଇଥାଉ ନା କାହିଁକି, ଗୋଲାପ ଶବ୍ଦଟି ଶୁଣିବା କ୍ଷଣି ମନରେ ସତେ ଯେମିତି ଶିହରଣ ଖେଳି ଯାଏ ! ପାର୍ଶ୍ଵ ବାର୍ତ୍ତାବରଣ ଯେମିତି ପ୍ରେମମୟ ହୋଇଯାଏ, ସେମିତି ମୁହୂର୍ତ୍ତଟିଏ ପାଇଁ ମନ ମଧ୍ୟରେ ସୃଷ୍ଟିହୁଏ ରୋମାଞ୍ଚ । କାହିଁକି ନା ଗୋଲାପ ହେଉଛି ପ୍ରେମର ପ୍ରତୀକ; କେତେ ପ୍ରେମୀମାନଙ୍କର ମୁକସାକ୍ଷୀ ସେ !!

ମେଟ୍ରିକ୍ ପାସ୍ ପରେ ନୂଆ ନୂଆ କଲେଜ ଯାଉଥାଏ, କିଶୋର ଅବସ୍ଥାରୁ ଧୀରେ ଧୀରେ ଯୁବାବସ୍ଥାରେ ପଦାର୍ପଣ କରୁ ଥାଏ ମୁଁ । ପ୍ରେମ କ’ଣ, ପ୍ରେମ ଶବ୍ଦର ମହତ୍ତ୍ଵ କ’ଣ କିଛି ବୁଝି ନ ଥାଏ । କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର କଳା ବିଭାଗର ଛାତ୍ର ମୁଁ । ସେଥିପାଇଁ ପ୍ରଥମ ବର୍ଷ ଦରକାର ପଡ଼େ ନାହିଁ ଏକ୍ସଟ୍ରା କୋଚିଙ୍ଗ କ୍ଲାସ୍… ବାସ୍ ବନ୍ଧୁମାନଙ୍କ ମେଳରେ ମସ୍ତିରେ ବିତି ଯାଏ ଗୋଟିଏ ବର୍ଷ ଏବଂ ଦ୍ଵିତୀୟ ବର୍ଷ ଯାଏ ମୁଁ କୋଚିଙ୍ଗ ନେବାପାଇଁ କଣ୍ଟିଲୋର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ । ସେଠି ପ୍ରାୟ ସମସ୍ତଙ୍କ ଚେହେରା ଥିଲା ମୋ ପାଇଁ ନୂଆ ଏବଂ ଅପରିଚିତ । ଶ୍ରେଣୀର ସମସ୍ତ ପୁଅମାନଙ୍କ ସହ ବେଶ୍ ଭଲରେ ମିଶି ଯାଇଥାଏ ମୁଁ । କିନ୍ତୁ ଝିଅମାନଙ୍କ ସହ ମିଶେ ନାହିଁ କି ସେମାନେ ବସିଥିବା ଆଡ଼କୁ ଦେଖେ ବି ନାହିଁ । ଏମିତି କିଛି ମାସ ବିତିଯାଏ । ହଠାତ୍ ଦିନେ ମୋ ନଜର ପଡ଼େ ଏମିତି ଏକ ଚେହେରା ଉପରେ ଯେଉଁ ଚେହେରାରେ ନା ଥିଲା କଳଙ୍କ ନା ଥିଲା ଛଳନା । ହାବଭାବ, ଠାଣି, ଚାହାଣି ଯେଉଁ ଦିଗରୁ ନିରେଖି ଦେଖିଲେ ବି ଜଣା ପଡ଼େନାହିଁ କିଛି ଖୁଣ । ବାସ୍ ମୁହଁରେ ଭରି ରହିଥିଲା ବସନ୍ତର ମୃଦୁ ମଳୟ ପରି ମିଠା ହସ, ଆଖି ଦୁଇଟିରେ ଥିଲା ଯେପରି ଅସୁମାରୀ ସ୍ୱପ୍ନର ଢେଉ ଏବଂ ଅଜଣା ନିଶା । ଯେଉଁ ନିଶାରେ ବୁଡ଼ି ଗଲେ ବାହାରିବା ବହୁତ କଷ୍ଟ । ବହୁତ ଥର ଭାବିଥିଲି ଥରେ କଥା ହୁଅନ୍ତି କି ! ବନ୍ଧୁତା କରି ପାରନ୍ତି କି !! ହେଲେ ସେ ଭାବନା ମୋର ରହିଯାଇଥିଲା ଭାବନାରେ ଏବଂ ସମାପ୍ତ ହୋଇଥିଲା ଗୋଟିଏ ବର୍ଷ । ସବୁ ସ୍ୱପ୍ନକୁ ଅଧାରେ ଛାଡ଼ି ଦେଇ ଯୁକ୍ତଦୁଇରୁ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ଚାଲି ଯାଇଥିଲି ନୟାଗଡ଼ ସହରକୁ । ଶରୀର ସିନା ଥାଏ ନୟାଗଡ଼ରେ କିନ୍ତୁ ପାଗଳ ମନଟା ରହି ଯାଇଥିଲା ସେଇ ନିଷ୍କଳଙ୍କ ଚେହେରା, ନିଶାରେ ଭରା ଆଖି ଏବଂ ତା’ର କୋମଳମତି ମନ ପାଖରେ । ତାକୁ ଥରେ ଦେଖିବାକୁ, ପଦେ କଥା ହେବାକୁ ଛଟପଟ ହେଉଥାଏ ହୃଦୟ । ଯେପରି କେହି ବନ୍ଦକରି ରଖିଛି ନିବୁଜ କୋଠରୀ ଭିତରେ । ପାଗଳପରି ପଚାରୁଥାଏ ଅନ୍ୟ ସାଙ୍ଗ ସାଥିମାନଙ୍କୁ ତା’ ବିଷୟରେ ।

ଦୀର୍ଘ ଦେଢ଼ ବର୍ଷ ପରେ ଜଣେ ବାନ୍ଧବୀଙ୍କଠାରୁ ମିଳିଯାଏ ମୋ ମନର ମାନସୀର ଫୋନ୍ ନମ୍ୱର । ଫୋନ୍ କରି ବାର୍ତ୍ତାଳାପ କରିବା ପାଇଁ ମନରେ ସାହସ ହେଉ ନ ଥାଏ । ଡର ଲାଗୁଥାଏ ଏବଂ ମନରେ ବିଭିନ୍ନ ପ୍ରଶ୍ନସବୁ ଉଙ୍କି ମାରୁଥାଏ । ସେ ମତେ ଚିହ୍ନି ପାରିବେ ତ? ମତେ ଚିହ୍ନି ନପାରି ଯଦି ଗାଳି ଦିଅନ୍ତି ତ? ସେହି କ୍ଷଣି ମୋ ହୃଦୟଟି ଭାଙ୍ଗିଯିବ ସମୁଦ୍ର ବେଳାଭୂମିର ବାଲିଘର ପରି । କିନ୍ତୁ ମନରେ ଆଶା ଏବଂ ସାହସ ବାନ୍ଧି ହ୍ୱାଟସାପରେ ମେସେଜଟିଏ ଦିଏ ଏବଂ ସେ ଚିହ୍ନି ପାରି କଥା ହୁଅନ୍ତି । କଥା ଆଗକୁ ଚାଲେ । ବନ୍ଧୁତ୍ୱ ସମ୍ପର୍କକୁ ନେଇ ଦିନ ବିତି ଚାଲେ ଆମର ଏବଂ ବନ୍ଧୁତ୍ୱ ନିବିଡ଼ ହେବାକୁ ଲାଗେ । କାଳ କ୍ରମେ ବର୍ଷ ଗଡ଼ିଯାଏ ଏବଂ ମୁଁ ପଢ଼ାସାରି ଚାଲିଯାଏ ସୁଦୂର ଭୁବନେଶ୍ୱର, ବେସରକାରୀ କାର୍ଯ୍ୟାଳୟରେ ଚାକିରିଟିଏ ପାଇଁ ଓ ସେ ଚାଲିଯାଏ ସିଟି ପ୍ରଶିକ୍ଷଣ ପାଇଁ ଭୁବନେଶ୍ୱର । ଅତି ନିକଟରେ ଥାଇ ମଧ୍ୟ କାର୍ଯ୍ୟବ୍ୟସ୍ତ ଜୀବନରୁ ସମୟ ବାହାର କରି ଦେଖା କରିବା ପାଇଁ ଯାଇପାରେ ନାହିଁ ମୁଁ । କି ସେ ମଧ୍ୟ ବାହାରି ଆସିପାରେ ନାହିଁ ସରକାରୀ ବିଦ୍ୟାଳୟର ଛାତ୍ରୀ ନିବାସ ମଧ୍ୟରୁ । ହେଲେ ସମ୍ପର୍କ ଏତେ ଆଗକୁ ବଢ଼ି ଯାଇଥାଏ ଯେ, ନା ମୁଁ ଦିନେ କଥା ନ ହୋଇ ରହି ପାରେ, ନା ସେ । ପ୍ରତିଦିନ ଅଫିସ୍ ସାରି ଫେରିଲା ବେଳକୁ ଚାଲି ଆସେ କଲ୍ । ତା’ କଥାରୁ ସ୍ପଷ୍ଟ ବାରି ହୋଇ ପଡ଼େ ମୋ ପ୍ରତି ଥିବା ତା’ର ଭଲପାଇବା । ତା’ର ସେହି ସ୍ନେହଭରା ମିଠା କଥା ସତେ ଯେମିତି ସାରା ଦିନର ବ୍ୟଥା କ୍ଳାନ୍ତି ସବୁକୁ ଦୂରୀଭୂତ କରିଦିଏ ! ସେଥିପାଇଁ ତା’ର ନାମ ଦେଇଥାଏ ମୁଁ “ରୋଜ୍ (ମାଇଁ ଡିୟର ବିଉଟିଫୁଲ୍ ରୋଜ୍)” ଏବଂ ରୋଜ୍ ବୋଲି ସମ୍ୱୋଧନ କରେ ମଧ୍ୟ ଆଉ ସେ ତା’ର ମିଠା ସ୍ୱରରେ ଡାକେ “ଡ଼ିୟର ଓ.ପି. ଜି (ଓମ୍ ପ୍ରକାଶ ଜି)” ।

ବନ୍ଧୁତାରୁ ସମ୍ପର୍କକୁ ଆଗକୁ ନେଇ ମନେ ମନେ ଭଲପାଇ ବସେ ମୋର ସେହି ଗୋଲାପକୁ । ତା’କୁ ମୋର ଜୀବନସାଥି କରିବି ବୋଲି ମନସ୍ଥ କରିନିଏ । ହେଲେ, ସମୟର ଚକ୍ରାନ୍ତ ଏବଂ ଭାଗ୍ୟର ବିଡ଼ମ୍ୱନା ଭିତରେ ହଜିଯାଏ ମୋର ଭାବନା । ହଜେଇଦିଏ ମୋର ସେହି ଗୋଲାପକୁ କିନ୍ତୁ ତା’ ସମ୍ମୁଖରେ ବ୍ୟକ୍ତ କରିବାକୁ ଥିବା ମୋ ଭାବନା ସବୁ ଅବ୍ୟକ୍ତ ରହିଯାଏ ।

କିଛି ମାସପରେ ତା’ର ହଠାତ୍ ଏକ କଲ୍ ଆସେ । ଖୁସିରେ ଆତ୍ମହରା ହୋଇ କଲ୍ ରିସିଭ୍ କରି କଥା ହୁଏ ମୁଁ । ହେଲେ ଜ୍ଞାତ ନ ଥାଏ ଯେ ଆର ପାଖରେ ମୋ ପାଇଁ ଥାଏ ବଜ୍ର ପ୍ରହାର । ଶକ୍ତ ଆଘାତ ଲାଗେ ସେ କଥାକୁ ଶୁଣି । ତା’ର ସେ ମିଠାସ୍ୱର ଅତି କ୍ଷୀଣ ସ୍ୱରରେ ବଦଳି ଯାଇଥାଏ ଏବଂ କିଛି ସମୟ ଚୁପ ରହି କହିଉଠେ, “ବାପା ବୋଉ ମୋର ବାହାଘର ଠିକ୍ କରି ଦେଇଛନ୍ତି । ସେ ପୁଅ ଘର ମତେ ଦେଖିବା ପାଇଁ ଆସୁଛନ୍ତି ।” ଚତୁର୍ଦ୍ଦିଗ ନିସ୍ତବ୍ଧ ପ୍ରାୟ ହୋଇ ଯାଇଥାଏ ଏବଂ ମୁଁ ସତେ ଯେପରି ଗୋଟିଏ କାଠ କଣ୍ଢେଇ ହୋଇ ବସି ରହିଥାଏ । ନା ଥିଲା କିଛି ଉତ୍ତର, ନା କିଛି ପ୍ରତିକ୍ରିୟା । “ହଉ ମୁଁ ରଖୁଛି” କହି ଫୋନଟି ରଖି ଦିଏ ନିରାଶ ହୋଇ । ବସି ବସି ଭାବେ ମୁଁ ୩ ବର୍ଷ ତଳର ସେହି ଭାବନାଟି ଯେମିତି ମୋର ସତ ହୋଇ ପଡ଼ିଛି ! ସତେ ଯେମିତି ମୋ ସ୍ୱପ୍ନର ବାଲିଘର ଭାଙ୍ଗି ଯାଇଛି !! ମୋ ଗୋଲାପକୁ ଯେମିତି କେହି ମୋ ମନ ବଗିଚାରୁ ଚୋରେଇ ନେଇଯାଉଛି !!! ହଜିଯାଏ ମୋର ସବୁ ଖୁସି, ପାଲଟିଯାଏ ମୁଁ ଜଣେ ଆବେଗହୀନ ପାଷାଣ ସଦୃଶ ।

ରହିଯାଏ ହୋଇ ବଗିଚାର ଜଣେ ଏମିତି ମାଳି, ଯେ କି ନିଜ ବଗିଚାର ପ୍ରାଣର ପ୍ରିୟ ଗୋଲାପର ଯତ୍ନ ନେଇ ପାରିଲା ନାହିଁ । ଆଉ କେହି ତା’ ଗୋଲାପକୁ ତା’ ଆଖି ସାମ୍ନାରେ ନେଇ ଯାଇଥିଲେ ମଧ୍ୟ କିଛି ବି କରି ପାରିନାହିଁ । ମୋ ଗୋଲାପ ଏବଂ ତା’ର ପରିବାରର ସମ୍ମାନକୁ ଆଖିରେ ରଖି, ମନର କୋହକୁ ମନ ଭିତରେ ଚାପିଦେଇ ଅସହାୟ ହୋଇ ସ୍ତବ୍ଧ ପ୍ରାୟ ରହିଯାଏ ତା’ର ଅପେକ୍ଷାରେ… । ବିଶ୍ୱାସ ଏବଂ ଆଶା ବାନ୍ଧି ଏବେ ବି ଚାହିଁ ବସିଛି ମୋ ଗୋଲାପର ଫେରିବା ବାଟକୁ ତା’ର ଏ ମାଳି !!!!

– ଲାଲା ଓମ୍ ପ୍ରକାଶ ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...