ମୋତେ ଖରାବେଳେ ଜମା ନିଦ ହୁଏନି । ଛୁଟି ବେଳେ ଘରେ ଥିଲେ ମା’ ବାହାର ଗ୍ରୀଲରେ ତାଲା ମାରି ଆରାମରେ ଶୋଇପଡ଼େ । ବାପା ଅଫିସ ଯାଇଥାନ୍ତି ଆଉ ମୋ’ ଭାଇଟା ବି ଏତେ ଅଳସୁଆ ଯେ, ଖେଳିବାକୁ କହିଲେ ଠିକ୍ ଅଧା ଘଣ୍ଟା ପରେ ହାଇ ମାରିବ ଆଉ ମା’ ପାଖକୁ ପଳେଇବ ଶୋଇବାକୁ । ଏଥର କିନ୍ତୁ ଲମ୍ବା ଖରା ଛୁଟିରେ ଆମେ ଆଈ ଘର ଗାଁ’କୁ ଆସିଛୁ । ବିରାଟ ଖଞ୍ଜାପରି ଘର ଆଈର । ପୁଣି ପଛପଟରୁ ଆମ୍ବତୋଟା ଆରମ୍ଭ ପୁରା ଗାଁ ଶେଷ ମୁଣ୍ଡଯାଏ । ଟାଇଁଟାଇଁ ଖରାରେ ବି ପୁରା ଶୀତତାପନିୟନ୍ତ୍ରିତ ପରିବେଶ ପରି ଲାଗେ । ଆମେ ସବୁ ଏକା ବୟସର ଝିଅମାନେ ସେଇଠି ଖେଳୁ, ଆମ୍ବ ଖାଉ ଆଉ ବହୁତ ମଜା କରୁ । ସବୁଠୁ ବଡ଼ କଥା କେହି ଶୋଇବାକୁ କୁହନ୍ତିନି ଆଈ ଘରେ । ମୋତେ ସବୁଠୁ ବେଶି ମଜା ସେଇଟା ।
ଦିନେ ସେମିତି ଖରାବେଳିଆ ଘରୁ ଖସି ମୁଁ ତୋଟାରେ ପହଞ୍ଚିଗଲି । ଦେଖିଲି କେହି ସାଙ୍ଗ ଆସିନଥାନ୍ତି, ତ ମନେ ପଡ଼ିଲା ସମସ୍ତେ ସହରକୁ ଯାଇଛନ୍ତି ବୁଲିବା ପାଇଁ ପୁରା ଦଶଦିନ । ମନଟା ଦୁଃଖ ହେଇଗଲା ପୁଣି ଏକା ଖେଳିବାକୁ ପଡ଼ିବ । କେହି ନାହାଁନ୍ତି ଯେ ଏତେ ବଡ଼ ଆମ୍ବ ତୋଟା ଶୁନ୍ଶାନ୍ । ହଠାତ ଟିକେ ଦୂରରେ ଥିବା କୂଅ ପାଖରେ କିଛି ଖସଖାସ ଶୁଭିଲା । ଭାବିଲି ମାଙ୍କଡ଼ ବୋଧେ । ଛପି ଛପି ଦେଖିବା ବେଳକୁ ଛୋଟ ଝିଅଟିଏ କୂଅ ଚାନ୍ଦିନୀକୁ ଆଉଜି ବସିଛି ଆଉ ତା’ ଅଣ୍ଟିରେ ମେଞ୍ଚେ କଞ୍ଚା ଆମ୍ବ । ମାମଲତକାର ଦେଖେଇ ପଚାରିଲି, “କିଏ ତୁ? ଏତେ ଆମ୍ବ ଗୋଟେଇକି ଧରିଛୁ? ପଚାରିଛୁ କାହାକୁ?” ସେ କିଛି କହୁନଥାଏ, ଭୟର୍ତ୍ତ ଆଖିରେ ଚାହିଁଥାଏ ଖାଲି । କହିଲା, “ଆମ୍ବଗୁଡ଼ା ଝଡ଼ିପଡ଼ିଥିଲା ଗୋଟେଇଛି… ତୋଳିନି । ଆମ ଘର ପାଖ ହରିଜନ ବସ୍ତିରେ । ସେଇଠି ମୋ ମା’ ଆଉ ମୁଁ ରହୁ । ଏଇଠୁ କିଛି ଝଡ଼ି ଥିବା ଆମ୍ବ ଗୋଟେଇକି ନେଇଗଲେ ମା’ ଆଉ ମୁଁ ଚଟଣି ନହେଲେ ଆଚାର କରି ବର୍ଷ ସାରା ଭାତ ଖାଉ । ବାପା ଆମର ଆମକୁ ଛାଡ଼ି ଚାଲିଯାଇଛନ୍ତି । ତା’ କଥାକୁ ବିଶ୍ୱାସ କରିବାକୁ ଜମା ଇଛା ନଥାଏ ମୋର । ଦୋଷୀକୁ ହାଜତ ନେଲା ପରି ଜବରଦସ୍ତି ଘୋଷାଡ଼ିକି ଘରକୁ ନେବାପାଇଁ ବାହାରିଲି । ସେ ଜମା ଯାଉନଥାଏ । ବାଡ଼ିଆଡ଼େ ବିରାଟ ବାସନ ମଜା ପିଣ୍ଡି, ତାକୁ ସେଇଠି ବସେଇଲି । ମନେ ମନେ ବଡ଼ କାମଟେ କରିବା ପରି ଅନୁଭବ ହେଉଥାଏ । ଆଈ… ଆଈ… ଚିତ୍କାର କରି ଘର ଭିତରକୁ ଗଲି । ଆଈ ଆଉ ମା’ ଦୁଇଜଣ ଯାକ ମୋ ପାଟି ଶୁଣି ଭିତରୁ ଆସୁଥାନ୍ତି । ଏପଟେ ମୁଁ ସେ କୁନି ଚୋରଣୀକୁ ଲୁଚି ଲୁଚି ନିଘା ରଖିଥାଏ କାଳେ ପଳେଇବ ବୋଲି । ସେ କିନ୍ତୁ ସେଇଠି କାକୁସ୍ଥ ହେଇ ବସିଥାଏ । ଟିକେ ପରେ ଦେଖିଲି ସେ ବାସନ ମଜା ଜାଗାରୁ ବାଦାମ, ମଟର ଯେତେ ଅଇଁଠାରେ ପଡ଼ିଛି ଗୋଟେଇ ଗୋଟେଇ ଖାଉଥାଏ । ଆଈ ଆସି ପହଁଚିଲା ସେଠି ଭୀମ ରଡ଼ି କରି କରି, “ବୁଝିଲୁ ମାନି ! ତୋ’ ଝିଅ ମୋ ଘର ବିଟାଳୀ ସାରିଲାଣି । ହରିଜନ ପିଲାକୁ ଡାକି ମୋ ହାଣ୍ଡି କୁଣ୍ଡେଇ ସବୁ ମାରା କରିଲାଣି ।” ମୋ ମା’ ଖାଲି ଦୟାରେ ବିକଳ ହେଇ ଝିଅଟିକୁ ଦେଖୁଥାଏ । ମୁଁ କେମିତି ତାକୁ ଧରିଲି ମୋ ଗୌରବ ଗାଥା ଆଈକୁ ଶୁଣାଉଥାଏ । ଅଜା କେତେବେଳୁ ଆସି ମୋ ପଛରେ ଠିଆ ହେଇଛନ୍ତି ଜଣା ନାହିଁ । ସବୁ ଶୁଣି କହିଲେ, “ମା’ରେ ! ତା’ର ମା’ ସିଆଡ଼େ ତାକୁ ଖୋଜିବଣି ବ୍ୟସ୍ତ ହେଇ, ତାକୁ ଯିବାକୁ ଦେ ।” ପିଲାଟି ଆଖି ଚିକଚିକ ହେଇଗଲା ଅଜାଙ୍କ କଥା ଶୁଣି, ସେ ଯିବାକୁ ଉଠିଲା । ମୁଁ ଜୋର ପାଟି କଲି, “ଅଜା ! ସେ ଦଣ୍ଡ ପାଇବା ବିନା ଏଠୁ ଯାଇପାରିବନି ।” ଅଜା କହିଲେ, “ଠିକ୍ ଅଛି ତାକୁ ଦଣ୍ଡ ଦେବା । ସେ ଯେମିତି ଆଉ କେବେ ବି ଖରା ବେଳେ ବୁଲିବୁଲି କାହା ବଗିଚାରୁ ଚୋରି କରିପାରିବନି । ତାକୁ କାଲି ହିଁ ମୁଁ ନେଇ ଗାଁ ସ୍କୁଲରେ ଭର୍ତ୍ତି କରେଇଦେବି । ଏବେ ଛାଡ଼ ତା’କୁ ।” ମୋ ମନ ମହାଖୁସି । ଯାହା ହେଉ ସେ ଆଉ ବୁଲିପାରିବନି ମନ ଇଚ୍ଛା । ସ୍କୁଲ ଗଲେ ସବୁ ଫାଜିଲାମୀ ଛାଡ଼ିଯିବ ।
ଅଜା ମୋର ସବୁ କାମରେ ଜବାବ ପକ୍କା । ତା’ପର ଦିନ ହିଁ ସେ ଝିଅର ଆଡ୍ମିସନ୍ କରେଇଦେଲେ ଗାଁ ସ୍କୁଲରେ ତା’ ପାଠ ପଢ଼ାର ସବୁ ଦାୟିତ୍ୱ ସହ । ଛୁଟି ଖୋଲିଲେ ସ୍କୁଲ ଆରମ୍ଭ । ଛୁଟି ଶେଷଯାଏ କିନ୍ତୁ ତାକୁ ଆଉ ବଗିଚାରେ ଦେଖିବାକୁ ପାଇଲିନି ମୁଁ । ଆଉ ଧୀରେ ଧୀରେ ସବୁ ଭୁଲିଗଲି । ସବୁ ବର୍ଷ ଆଈ ଘର ବୁଲା ହୁଏ କିନ୍ତୁ ସେ ଝିଅ କଥା କେବେ ବି ଆଉ ମୁଣ୍ଡରେ ଆସେନି ।
ହଠାତ ଗାଡ଼ି ଜୋର୍ ବ୍ରେକ ମାରିବାରୁ ତନ୍ଦ୍ରା ଭାଙ୍ଗିଲା ମୋର । ଗାଡ଼ି ଆଗରେ ଦଳେ ଅଧଲଙ୍ଗଳା ଛୁଆ ଦୌଡ଼ିକି ଯାଉଥିଲେ । ମା’ ଶୋଇପଡ଼ିଛି ମୋ କାନ୍ଧରେ ମୁଣ୍ଡ ରଖି । ଆମେ ଆଈକୁ ଦେଖିବାକୁ ଆସିଛୁ ଗାଁକୁ, ଦେହ ଭଲ ରହୁନି ଏବେ ତା’ର । ବୟସ ପଞ୍ଛାଅଶି ହେଲାଣି । ଅଜା ତ କେବେଠୁ ଆର ପାରିରେ । ସାନ ମାମୁଁ ଏଇଠି ଅଛନ୍ତି । ଗାଁରେ ସହରର ଜଣେ ସୁନାମଧନ୍ୟା ଡାକ୍ତରାଣୀ ରୁହନ୍ତି, ସେ ତା’ର ସମସ୍ତ ଧ୍ୟାନ ନିଜେ ରଖୁଥିବା କଥା ମାମୁଁ କହିଥିଲେ । ଆମେ ସମସ୍ତେ ଏବେ ଦିଲ୍ଲୀରେ ରହୁ, ସେଥିପାଇଁ ଯାହା ଫୋନରେ କଥାବାର୍ତ୍ତା । ଆଈଘର ଗାଁକୁ ଯିବା ଆସିବା ବି କମି ଯାଇଥାଏ ଏ ଭିତରେ ।
ଘର ସାମ୍ନାରେ ଗାଡ଼ି ରହିଲା । ମା’କୁ ନେଇ ଭିତରକୁ ଗଲି, ଆଈ ଶୋଇବା ଘରକୁ । ଆଈ ଶୋଇଥିଲା, ତା’ ପାଖରେ ଗୋଟିଏ ଚଉକିରେ ଝିଅଟିଏ ବସିଥିଲା ଅତି ସଞ୍ଜତରେ । ବେକରେ ଷ୍ଟେଥୋଟିଏ ପଡ଼ିଛି । ମୁହଁ ଚିହ୍ନା ଚିହ୍ନା ଲାଗିଲା, କିନ୍ତୁ ମନେ ପକେଇପାରିଲିନି । ମୋତେ ଦେଖି ସେ କିନ୍ତୁ ଖୁବ୍ ଖୁସି ହେଇଗଲା । କହିଲା, “ଦିଦି ମୋତେ ଚିହ୍ନି ପାରୁଛନ୍ତି? ମୁଁ ଜିନି… ସେଦିନ ଆମ୍ବ ତୋଟାରେ ଦେଖା ହେଇଥିଲା । ଆପଣ ମୋତେ ଘରକୁ ନେଇ ଆସିଥିଲେ… କେତେ ଛୋଟ ଥିଲେ ଆମେ !!!” ମୁଁ ଆଶ୍ଚର୍ଯ୍ୟ ହେଇ ୩୦ ବର୍ଷ ପଛକୁ ଫେରଯାଉଥିଲି । ମୋ ଦଣ୍ଡକୁ ଆଶୀର୍ବାଦରେ ପରିଣତ କରିଥିବା କୁନି ଝିଅଟିକୁ ମୋ ଆଗରେ ଠିଆ ହେଇଥିବା ଦେଖି । ଆଉ ଅଜାଙ୍କ ଆଗରେ ସ୍ଵତଃ ମୁଣ୍ଡ ନଇଁ ଯାଉଥିଲା ଶ୍ରଦ୍ଧାରେ ଯିଏ ରାସ୍ତାରୁ ବୀଜଟିଏ ଗୋଟେଇ ଆଣି ଶୀତଳ ଛାୟା ପ୍ରଦାୟିନୀ ମହାଦ୍ରୁମଟିଏ ଗଢ଼ିଦେଇଥିଲେ ଅଜାଣତରେ…
– ସୌମ୍ୟା ପ୍ରିୟଦର୍ଶିନୀ ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।