ସମୟ ଚକ୍ରରେ ଘୁରୁଛି ମଣିଷ
ସବୁବେଳେ ଘୁରୁଥାଏ,
କାହାକୁ ଅପେକ୍ଷା କରେନାହିଁ କେବେ
ଅବିରତ ଚାଲୁଥାଏ ।
ଗଲା ସମୟ ସେ ବିତିଯାଇଅଛି
ଆଉ ସେ ଫେରିବ ନାହିଁ,
ଛାପି ହୋଇଯିବ ହୃଦୟ କାନ୍ଥରେ
କଦାପି ଲିଭିବ ନାହିଁ ।
ଠିକ୍ ଭୁଲ୍ କ’ଣ କହେ ସମୟ
ହୁଏନି ସେ ସ୍ୱାର୍ଥପର,
ଆଦେଶ ତାହାର ନମାନି ଚଳିଲେ
ଭବିଷ୍ୟତ ଅନ୍ଧକାର ।
ସମୟକୁ ଯିଏ ଗୋଇଠା ମାରିକି
ଭୁଲିଯାଏ ତା’ର ପାପ,
ବୁଝିଲା ସମୟେ କିଛି ଥିବ ନାହିଁ
କରୁଥିବ ପଶ୍ଚାତାପ ।
ସାରାଜଗତରେ ଏକମାତ୍ର ସତ୍ୟ
ସମୟ ହିଁ ମୂଲ୍ୟବାନ,
ସୂର୍ଯ୍ୟ, ଚନ୍ଦ୍ର, ତାରା ସଭିଙ୍କୁ ନଚାଏ
ସବୁଠୁ ସେ ବଳବାନ ।
ଅମୃତବେଳାକୁ ସାଥିରେ ଧରିକି
କରୁଥାଏ ଯିଏ କାମ,
ସମସ୍ତଙ୍କ ସିଏ ଭରସାର ପାତ୍ର
ଯୁଗେ ଯୁଗେ ତା’ର ନାମ ।
– କୃଷ୍ଣେନ୍ଦୁ ହୋତା
Comments
କୃଷ୍ଣେନ୍ଦୁ ହୋତା ବଲାଙ୍ଗୀର ଜିଲ୍ଲାର ସରଗଡ଼ା ଅଞ୍ଚଳର ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।