ରାତି ଅଧାରୁ ବେଶି ସରିଗଲାଣି, କୁଆଁତାରା ବୋଧେ ଆଉ କିଛି ସମୟରେ ମୁହଁ ଦେଖେଇବ । ତୁମେ ପୁଣି ଅଧା ନିଦରେ ମୋ ନାଁ ନେଇ ଟିକେ ଖୁଜବୁଜ ହେବ । ଆଜି ଆଉ ଗପ କହିବିନି, ଆଜି ଖାଲି ଟିକେ କଥା ହେବା ଭାବିଛି । ଆମ ପ୍ରେମର ମୂର୍ଚ୍ଛନାରେ ଆହୁରି ବେଶି ବିଭୋର ହେବାକୁ ଇଚ୍ଛା ହେଉଛି । ଆଜି ସେଇ ଅଧା ଖୋଲା ଝରକାରୁ ଆକାଶର କାନଭାସ୍ରେ ଅଧାଅଙ୍କା ଜହ୍ନକୁ ଦେଖୁଥିଲି । ଜ୍ୟୋତ୍ସ୍ନା-ବିଧୌତା ନିଶି ଗାଢ଼ ହେଉଥିଲା ଆଉ ମୋ ମନରେ ତୁମ ଅପେକ୍ଷାର ରଙ୍ଗ… ସେଇ ଅଧାଅଙ୍କା ଜହ୍ନ ଭଳି ମୋର ରାତି ଆଉ ସେଇ ଅର୍ଧ ପ୍ରସ୍ଫୁଟିତ କୁମୁଦିନୀ ଭଳି ମୋ ପ୍ରୀତି । ଖୁବ୍ ଇଚ୍ଛା ହୁଏ କୁନି କୁନି ଖୁସିର ମୁହୂର୍ତ୍ତରେ ତୁମ ପାଖକୁ ଦୌଡ଼ି ଯାଆନ୍ତି, ତୁମ ଗଳାରେ ମୋ ବାହୁବେଷ୍ଟନୀ କରି ତୁମ ପ୍ରଶସ୍ତ ଛାତିରେ ମୋ ମଥା ରଖନ୍ତି । ଆଉ ତୁମେ ସସ୍ନେହେ ମୋ ମଥା ଚୁମି ଯାଅନ୍ତକି…
କିଛି ଛୋଟ କିନ୍ତୁ କଷ୍ଟର ମୁହୂର୍ତ୍ତରେ ତୁମ କୋଳ ଖୁବ୍ ମନେପଡ଼େ । ଇଚ୍ଛାହୁଏ, କିଛି କ୍ଷଣ ସେଇ କୋଳରେ ଶୋଇରହି ଅମାନିଆ ଲୁହଗୁଡ଼ାକୁ ବୁହାଇଦେବାକୁ । ଭାରି ଇଚ୍ଛା ହୁଏ ସକାଳର ସେଇ ଦୁଇ କପ୍ ଚାହା ସହ ପୁଣି କିଛି ‘ଆମ’ ମୁହୂର୍ତ୍ତ ବଞ୍ଚିଯିବାକୁ…
ଜାଣିଛ ପ୍ରିୟତମ ! ତୁମ ବିନା ସମୟ କ’ଣ ନିଦ ବି ମୋ ସଉତୁଣୀ ସାଜିଛି । ତୁମ ଅପେକ୍ଷାର ଦୁଃଖ ବାଣ୍ଟିବାକୁ ଆଜି ଜହ୍ନ ସହ ମୁଁ ମିତ ବସିଛି । ଆଉ ମୋ ମନର ଅକୁହା କଥା ସେ ଆଜି ଶୁଣିବ ବୋଲି କଥା ଦେଇଛି । ଗଙ୍ଗଶିଉଳିର ଭୁରୁଭୁରୁ ବାସ୍ନା ଭଳି ତୀବ୍ର ହୁଏ ଅନ୍ତରଙ୍ଗ କିଛି ମୁହୂର୍ତ୍ତର ତାଡ଼ନା । ରକ୍ତଗୋଲାପ ଗାଢ଼ ଲାଲିମା ଭଳି ସେ ପ୍ରେମ କେବେ ମୋ ପ୍ରତିଟି ସ୍ନାୟୁକୁ ଖିନ୍ଭିନ୍ କରେ ଜାଣିହୁଏନା । ସ୍ମୃତିର ମୂର୍ଚ୍ଛନା ଆନମନା କରେ, ଆଖି ପଲକରେ ବିତେ ମୋ ଶର୍ବରୀ । ବିରହ-ବିଧୁରା ହୃଦୟ ଅଧୀରା ଖୋଜେ ତୁମ ପରଶ ମଦିରା ସତେ କି ତୋଳି ଆଣି ରାଗ ବିଭାବରୀ… ରାଗ ବିଭାବରୀ ।
– ସୋନାଲି ସୁଚରିତା
Comments
ସୋନାଲି ସୁଚରିତା ଓ.ୟୁ.ଏ.ଟି ରୁ ପଢ଼ା ଶେଷ କରି ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ମତ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆରେ ମଧ୍ୟ ଲେଖାଲେଖି କରନ୍ତି ଯିଏକି ସାମାଜିକ ଏବଂ ପାରିବାରିକ ଘଟଣାକୁ ଗଳ୍ପର ରୂପ ଦେଇଥାନ୍ତି ।