ପଡ଼ି ଉଠି ଧାଇଁଛି । ଭାବିବାକୁ ତର ନାହିଁ, ମନରେ ସୁଖ ନାହିଁ, ଦୁଃଖ ବି ନାହିଁ । ସେ କିଏ, ତା’ ବି ଭୁଲି ଯାଇଛି । ତା’ର କିଛି କାହାଣୀ ନାହିଁ, ଅହଂକାର ନାହିଁ । କିଛି ନାହିଁ କେଉଁଠି, କେବଳ ତା’ ନିଜ ଅନୁଭୂତି, ତା’ ହୃଦୟର ଉଚ୍ଛ୍ୱାସ ।
ମନେଇ- ମନମୋହନ ରାଉତ, ହେତୁ ପାଇଲା ଦିନଠାରୁ ଦେଖି ଆସିଛି ତା’ ଗାଆଁର ଲୋକଙ୍କୁ ଜଗନ୍ନାଥ ପୁରୀ ଦର୍ଶନରେ ଯିବାର । ସେମାନେ ଫେରି ଆସିବା ଦିନକୁ ଚାହିଁ ରହିଥାଏ । କେହି କେହି କାଳିଆ ଠାକୁର ଫଟ ଆଣନ୍ତି, ଫଟରେ କାଳିଆର ଏଡ଼େ ଏଡ଼େ ଚକା ଆଖି ଦେଖି ଭେଳିକି ଲାଗିଯାଏ ତାକୁ । ସେଦିନ ରଘୁ ମିଶ୍ରେ ତାକୁ କଟମଟ କରି ଅନେଇ “ଶଳା ଧର୍ମ ଛଡ଼ା ଚାଣ୍ଡାଳ” କହି ବେତରେ ତା’ ପିଠିକି ସେକି ଦେଇଥିଲେ ।
ସେ ଜନ୍ମ ହେଇଥିଲା ହିନ୍ଦୁ ହୋଇ । ତା’ ବାପା, ଜଗା-ଜଗନ୍ନାଥ, ସ୍ତ୍ରୀ ପୁଅଙ୍କୁ ଗାଆଁରେ ଛାଡ଼ିଦେଇ ରାଉରକେଲାରେ କାମ କରୁଥିଲା । ଥରେ ଦୁଇ ଜଣ ଲୋକଙ୍କୁ ଧରି ଗାଆଁକୁ ଆସିଥିଲା । ମନେଇ ନିଜ ଆଖିରେ ଦେଖିଛି, ତା’ ବୋଉର ଶତ ବାରଣ ସତ୍ୱେ କିପରି ତା’ ବାପା ଓ ସେ ଦୁଇ ଜଣ ଲୋକ ଅଗଣାର ତୁଳସୀ ଚଉରାକୁ ଭାଙ୍ଗି ସମତଳ କରି ଦେଇଥିଲେ । କାନ୍ଥକଳାରେ ପୂଜା ପାଉଥିବା ଦେବଦେବୀଙ୍କ ଛୋଟ ବଡ଼ ପ୍ରତିମାଗୁଡ଼ା କାଢ଼ିଦେଇ ବାରିପଟେ ପୋତି ଦେଇଥିଲେ । ଓରାରେ ବନ୍ଧା ମାଣଧାନ କେଣ୍ଡାକୁ ଝିଙ୍କି ଓଟାରି ଛିଣ୍ଡେଇ ଫିଙ୍ଗି ଦେଲେ । ଚନ୍ଦନ ପେଡ଼ି, ମଙ୍ଗଳା ଛିଟ, ପୂଜା ଥାଳି, ପିତଳ ଘଣ୍ଟି, ଶଙ୍ଖ ଆଦି ଯାହା ଯେଉଁଠି ଥିଲା, ଖୋଜା ହୋଇ ଅସନା ଗୋଟିଏ ଅଖାରେ ପୁରେଇଲେ । ତା’ ବୋଉ ମୁଣ୍ଡରୁ ସିନ୍ଦୂର ଲିଭେଇଲେ, ବାହୁରୁ ବ୍ରତ ଖୋଲି ଫିଙ୍ଗି ଦେଲେ । ତା’ ବୋଉ ମେଳାରୁ କିଣି ଆଣିଥିବା ଖଡ଼ି ପଥରର ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ମୁର୍ତ୍ତିକୁ ଶିଳ ଉପରେ କାଚି ଭାଙ୍ଗି ଦେଲେ । ମନେଇ ଦେଖିଲା, କାଳିଆର ମୁଣ୍ଡଟା ଗଣ୍ଡିରୁ ଅଲଗା ଛିଟିକି ପଡ଼ିଲା । ତଥାପି କାଳିଆର ମୁହଁରୁ ଅଫୁଟା ହସ ଟିକକ ଲିଭିଲା ନାହିଁ, ତଥାପି ସେ ଏଡ଼େ ଏଡ଼େ ଆଖିରେ ଅନେଇ ଥାଏ । ଅନ୍ୟକୁ ଯୋଡ଼ି ଦେବାର ଶକ୍ତି ଥାଉ ଥାଉ, କାଳିଆ ନିଜେ ବିଖଣ୍ଡିତ ହେଲା ! ସମସ୍ତଙ୍କ ଅଲକ୍ଷ୍ୟରେ ମନେଇ ଭଙ୍ଗା ମୁଣ୍ଡକୁ ତା’ ପ୍ୟାଣ୍ଟ ପକେଟରେ ଲୁଚେଇ ରଖିଲା । ମନେଇ ବେକରୁ ହନୁମନ୍ତିଆ କାଢ଼ି କ୍ରସ ପିନ୍ଧେଇଲେ । ମନେଇ ବୋଉ ଲାଞ୍ଛିତ, ଅପମାନିତ, ଦଳିତ, ଅବହେଳିତ ଅବସ୍ଥାରେ ଚିଡ଼ିଆଖାନାର ସିମ୍ପାଞ୍ଜି ଭଳି ଅସହାୟ ଭାବେ କେବଳ ମିଞ୍ଜି ମିଞ୍ଜି ଚାହିଁ ରହିଲା । ଧର୍ମ ପରିବର୍ତ୍ତନ କରି ଜଗା କି ସୁଖ ପାଇଲା କେଜାଣି, କିନ୍ତୁ ପରିବର୍ତ୍ତନର ଛାପ ସ୍ପଷ୍ଟ ଦେଖାଗଲା ମନେଇର ମନରେ । ତା’ ବୋଉର ସେ ଲଜ୍ଜ୍ୟାବତୀ ଜହ୍ନ ପରି ମୁଖାକୃତି ନାହିଁ । ପ୍ରତି ପୁନିଅ-ପର୍ବାଣୀରେ ଚଳ ଚଞ୍ଚଳ ହୋଇ ଉଠୁଥିବା ଛୋଟ ଏକ ସଂସାର ସ୍ତମ୍ଭିତ ହୋଇଯାଇଛି । ଜଗା ହେଲା ଜୋନାଥନ । ମନେଇ ହେଲା ମାର୍ଟିନ ! କିନ୍ତୁ ବିଧିର ବିଧାନ ଆଉ କିଛି । ଶୁଣାଗଲା, ଜୋନାଥନ ରାଉରକେଲାରେ ଆଉ ଗୋଟାକୁ ବାହା ହେଇଛି । ଆଗପରି ଗାଆଁକୁ ଆସୁନାହିଁ । ମନେଇ ବୋଉ ବି ସାଇ-ପଡ଼ିଶାରେ ମୁହଁ ଦେଖେଇ ପାରୁନାହିଁ । ଗୁମୁରି ଗୁମୁରି ଘର କୋଣରେ ବସି କାନ୍ଦେ ଯାହା । ଶୁଖି କଣ୍ଟା ହେଇ ଗଲାଣି । ଶେଷରେ ମନେଇକୁ ଛାଡ଼ି ସେ ଆଖିବୁଜିଲା ।
ମନେଇର କିଶୋର ମନରେ କେତେ ଝଡ଼, କେତେ ଝଞ୍ଜା ବୋହିଥିବ ସେ ହିଁ ଜାଣେ । କେଉଁ ଦୂର ସମ୍ପର୍କୀୟ ମାଇଁଟିଏ ଆସି ଆଭୁଡ଼ା ପଡ଼ିଲା ଏବଂ ମନେଇ ସାଥିରେ ହିଁ ରହିଲା । ମାଇଁ ଏବେ ତା କଥା ବୁଝୁଛି, ବିଲବାଡ଼ି କଥା ବୁଝୁଛି । ହିସାବ କରିବାକୁ, କହିବାକୁ କେହିନାହିଁ । ମନେଇ ତେଣେ ଅନାବନା ବଢ଼ିଲା । ପ୍ରାୟ ସମୟରେ ନିରୋଳାରେ ବସି କ’ଣ ସବୁ ଭାବେ । ଜଗାର ଭଙ୍ଗା ମୁଣ୍ଡକୁ ଅନେଇ ଭାବ ବିହ୍ଵଳ ହୋଇଯାଏ । ହେତୁ ପାଇଲା ପରଠାରୁ ସେ ଜାଣି ପାରୁଛି, ଗାଁ ସମାଜରୁ ସେ ବିଚ୍ଛିନ୍ନ । ଲୋକଙ୍କ ଧାରଣା ତା’ ବୋଉ ମଲା ପରେ ବି ବଦଳି ନାହିଁ । ମନେଇ ମାଇଁ କେତେଥର ଚେଷ୍ଟା କଲାଣି ମନେଇକୁ ପୁଣି ହିନ୍ଦୁ ଧର୍ମକୁ ଫେରେଇ ଆଣିବାକୁ । ଗାଁ ଲୋକଙ୍କ ସହିତ ଏ ବିଷୟରେ କଥା ହୁଏ, ଚର୍ଚ୍ଚା ବି କରେ । କିନ୍ତୁ କେହି କିଛି ଠିକ୍ କରି କହନ୍ତି ନାହିଁ । ଦିନେ ବାରିକାଣି ସହିତ କଥା ହେଉ ହେଉ, ବାରିକାଣି ତାକୁ ବୁଦ୍ଧି ବତେଇ ଦେଲା……
କେଉଁ ଏକ ଆଦିମ ଦେବତା ପରି ଛିଡ଼ା ହୋଇଛନ୍ତି । ନିର୍ବିକାର, ନିଶ୍ଚଳ, ଭାବହୀନ ମୁହଁ । ତାଙ୍କର ୨ଟିଯାକ ଗୋଡ଼କୁ ଧରି ମନେଇ ଓ ତା’ ମାଇଁ ଭୁଇଁରେ ଲୋଟୁଛନ୍ତି । “ଦୟା କରନ୍ତୁ ସାଆନ୍ତେ, ମା ଛେଉଣ୍ଡଟା । ତା’ ବାପ ଦୋଷର ଦଣ୍ଡ ୟାକୁ ଦିଅନ୍ତୁ ନାହିଁ । ଫେରେଇ ନିଅନ୍ତୁ । ଗୋଠଛଡ଼ା ହୋଇ ପିଲାଟା ବଞ୍ଚିବ କେମିତି? ଆପଣେ ବ୍ରାହ୍ମଣ, ଆପଣେ ଦେବତା, ଦୟା କରନ୍ତୁ….
ରଘୁନାଥ ମିଶ୍ର । ବିଶାଳ ବପୁ, ଗମ୍ଭୀର ମୁଖାକୃତି । ଗାଆଁର ସର୍ବମାନ୍ୟ ମୁରବି ସେ । ଦାଣ୍ଡପିଣ୍ଢାରେ ବସିଥିଲେ ଯିବା ଆସିବା ଲୋକ ଓଳଗି ହୋଇ ଯାଆନ୍ତି । ତାଙ୍କୁ ନ ପଚାରି କୌଣସି ସାର୍ବଜନୀନ ଧର୍ମ କର୍ମ, ପୂଜା ଯାତ୍ରା କରିବାର ଯୁ କାହାରି ହୋଇନାହିଁ । ତାଙ୍କ ଚାରିପାଖେ ରୁଣ୍ଡ ହୋଇଥିବା ଗାଁର ଲୋକମାନଙ୍କ ଉପରେ ଥରେ ସେ ନଜର ବୁଲେଇ ଆଣିଲେ । ସବୁରି ମୁହଁରେ ମୌନ ସ୍ୱୀକୃତି । ହଠାତ୍ ଦୁଇ ପାଦ ପଛକୁ ଘୁଞ୍ଚିଯାଇ ମିଶ୍ରେ ଘୋଷଣା କଲେ । “ସନାତନ ଧର୍ମରେ ଜନ୍ମ ହେବା ମଣିଷର ସୌଭାଗ୍ୟ ଅଟେ । ଏଠି ମଣିଷ ହିନ୍ଦୁ ହୋଇ ଜନ୍ମେ, ହିନ୍ଦୁ ହୋଇ ମରେ । ଭୁଲ ପାଇଁ କ୍ଷମା ଅଛି, ପାପ ପାଇଁ ପ୍ରାୟଶ୍ଚିତ ଅଛି କିନ୍ତୁ ଧର୍ମଛଡ଼ା ପାଇଁ ଫେରିବା ଦ୍ୱାର ରୁଦ୍ଧ ।” ରଘୁ ମିଶ୍ରଙ୍କ ନିଷ୍ପତ୍ତି । ଯେ ଯାହା ଘରକୁ ଫେରିଲେ । ମନେଇ ସେଇଠି ଦାଣ୍ଡ ରାସ୍ତାରେ ପଡ଼ିରହିଛି। କୁଆଁ ତାରା ଉଇଁଲାଣି । ଜହ୍ନଟା ଆଜି ମଳିନ ଦେଖାଯାଉଛି । ବାଦଲମାନେ ଆଜି ଭାସୁନାହାନ୍ତି, ଜହ୍ନ ସହିତ ଲୁଚକାଳି ଖେଳୁ ନାହାନ୍ତି । ଆକାଶ ଆଜି ତାକୁ ନିଃସଙ୍ଗ ଲାଗୁଛି । ଭାବିଭାବି କେତେବେଳେ ତାକୁ ନିଦ ଆସିଯାଇଛି । ସ୍ୱପ୍ନରେ କେହି ତାକୁ କହିଲା- ଯା, କାଳିଆ ଠାକୁର ପାଖକୁ ଯା । ପୁରୀ ଯା, ବଡ଼ଦେଉଳର ବଡ଼ ଠାକୁର ପାଖକୁ ଯା……
ଶହ ଶହ ଲୋକଙ୍କ ଭିଡ଼ ଚିରି ମନେଇ ମନ୍ଦିର ପ୍ରବେଶ କଲା । ଅଦୂରରୁ ଦେଖିଲା ସେଇ ଚକା ଡୋଳା, ସେଇ ଅଫୁଟା ହସ । ଦୁଇହାତ ଉପରକୁ ଟେକି ଚାହିଁ ରହିଲା । ଏହି ପୂର୍ଣ୍ଣତାର ପୁଣି ଏ ଶୂନ୍ୟତାର, ସବୁରି ଉପରେ ଏକ ପ୍ରାଣର, ସେ ସ୍ରଷ୍ଟା, ନିୟନ୍ତା, ସର୍ବ ପରିବ୍ୟାପ୍ତ । ସେ ମହାବାହୁ, ଅନନ୍ତ ସେ, ଅସୀମ ସେ । ଜଗନ୍ନାଥ! ଜଗନ୍ନାଥ ! ମନେଇର ଚେତନା ଲୀନ ହେଲା ମହାଶୂନ୍ୟ ଓ ମହାପ୍ରାଣର ଅନୁଭୂତି ଭିତରେ । ସେଠି ଅଛି ନୂଆ ଆଖି, ନୂଆ ଚେତନା । ସେଠି ଘର ସଂସାର, ସମାଜ ବନ୍ଧନ କିଛି ନାହିଁ । ଆତ୍ମା ସେଠି ମୁକ୍ତ । ଚେତନା ସେଠି ମୁକ୍ତ । ସବୁ ଚଞ୍ଚଳ ବେଗର ଉର୍ଦ୍ଧ୍ଵରେ ଯେଉଁ ଅଚଞ୍ଚଳ ସ୍ଥାଣୁତ୍ୱ, ସବୁ ସଂଘର୍ଷର ଉର୍ଦ୍ଧ୍ୱରେ ଯେଉଁ ସୁଗଭୀର ପ୍ରଶାନ୍ତି ତାହା ଯେପରି କାଳିଆ ମୁଖରେ ଉତ୍ତକୀର୍ଣ୍ଣ ହୋଇଥିଲା !
(ମନେଇ ଆଉ ଗାଆକୁ ଫେରିନାହିଁ । ପୁରୀରେ କୌଣସି ମଠରେ ରହେ ଓ ଜଗନ୍ନାଥଙ୍କୁ ନିତ୍ୟ ଦର୍ଶନ କରେ । ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ ହୋଇଛି ମନେଇର- କୌଣସି ଉତ୍ସବ ବିନା, ନିରୁତ୍ସବ ଭାବେ !)
– ଅଜାତମିତ୍ର
Comments
ଅଜାତମିତ୍ର ଜଣେ ଲେଖକଙ୍କର ଛଦ୍ମନାମ, ଯିଏକି ଏହି ନାମରେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।