ନିରୁତା ପ୍ରେମର ସାତୋଟି ସ୍କେଚ

ନିରୁତା ପ୍ରେମର ସାତୋଟି ସ୍କେଚ

(୧)

ବୁଝେନା ସେ କିଛି, ଯେତେ ବି ପଢ଼ିଚି
ମୁଁ ବି ଜାଣିଚି, ହେଲେ ଏତିକି ଚାହୁଁଚି
ଖାଲି ସେ ଜାଣୁ
ଯାହା ବି ଲେଖିଚି, ତାକୁ ହିଁ ଲେଖିଚି ।

(୨)

ସେ କିଛି ଦିନ ତଳେ ଦେଖା ହେଇ ଥିଲା ।
ଫୁଲ ଗଛ ଟିଏ ଦେଇ କହିଲି, ରଖିଥା
ମୋ ପାଖେ ୟା ଛଡ଼ା ଜୀବନ୍ତ ଆଉ କିଛି ନାହିଁ;
ମୁଁ ଜାଣିଚି ତତେ ମାରିବାକୁ ଭାରି ଭଲ ଲାଗେ ।

(୩)

ଚେନାଏ ହସ ଧାର ଆଣି ଚାରିମାସ ଚଳିଲି,
ଭାବିଥିଲି ସୁଯୋଗ ମିଳିଲେ ରୋଜଗାର କରି ଫେରାଇ ଦେବି ।
ହେଲେ ଚାକିରୀଟା ବି ମିଳି ମିଳି ମିଳିଲା ଯେ
ଗୋଟେ ଭଙ୍ଗା ଆଈନାରେ ।
ଯେମିତି ପୁରା କୋହର ସହର, ହସ ତ ଦୂରର କଥା;
ଖାଲି ଦି ଟୋପା ଲୁହ ଶୁଖିଗଲେ କେଡେ କଥା ।

(୪)

ମୁଁ ହିଁ ଥିଲି,
ତୁମେ ଚିରିଦେଇଥିବା ଚିଠିର ଇତି,
ତୁମ ନିରୀହ ରାତିର ସଜାଗ ପ୍ରହରୀ,
ସେଦିନ ବର୍ଷାରେ ତୁମେ ପାଇଥିବା ଅନାଥ ଛତା,
ରକ୍ତ ନାଲି ଯୋଡ଼େ ଗୋଲାପ ଫୁଲର କ୍ରେତା,
ମୁଁ ହିଁ ଥିଲି..
ତୁମ ସ୍ଵାଭିମାନର ପ୍ରତିଦ୍ଵନ୍ଦୀ
ତୁମ ଅଭିମାନର ଅଜନ୍ମ ବନ୍ଦୀ
ହଁ ବୋଧେ ମୁଁ ହିଁ ଥିଲି

(୫)

ସାଇତା ଶେଜର ବାସ୍ନା
ଚାରି, ଆଠଟି କେଶ
ପାଉଁଜିର ଯୋଡ଼େ ଝୁମୁକା;
ଆଜି ବି ଏ ଘରେ ବନ୍ଧା ପଡ଼ିଛି,
ଶୁଣିଲି, ଚୁଟି ପାଚିଗଲା ପରଠୁ
ସେ କୁଆଡେ ଏ କଳା କେଶ ପାଇଁ ଝୁରି ହେଉଚି;
ହେଲେ ଡେରି ହେଇ ଗଲା,
ଆଉ ଲେଣଦେଣ ସମ୍ଭବ ନୁହଁ ।

(୬)

ନରମ ଆଞ୍ଚ ରେ ତତଲା ହୃଦୟ ରଖି
ଆଞ୍ଜୁଳେ ଲୁହ ଢାଳି ଦେଖ,
ସେ ବାମ୍ଫରେ ତା ବାସ୍ନା ଉଡ଼ିଯିବ
ରହିଯିବ ତୁମେ, ତମ ପଥୁରିଆ ଅସ୍ତିତ୍ଵ ।

(୭)

ଚାରି ଦିନ ତଳର ବାସି ପ୍ରେମ, କିଛି ପଚା ପ୍ରହସନ,
ହାତ ଧରି ଦେଇଥିବା କଥା
ଆଉ ତୁମ ଅଇଁଠା ଓଠରୁ ଫାଳେ,
ସବୁ ଫ୍ରିଜରେ ରଖିଦେଇ ଆସିଚି ।
ତୁମ ସାନିଧ୍ୟ ଭୋକିଲା କେତେ,
କାଳେ କାହା କାମରେ ଲାଗିଯିବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...