“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ ।
ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ, କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆଗମନ କଲେ । କିନ୍ତୁ ଏଇ ଏକବିଂଶ ଶତାବ୍ଦୀରେ ବି କେତେ ଜଣ ସେହି ଲକ୍ଷ୍ମୀକୁ ଖୁସିରେ ଆପଣେଇ ନିଅନ୍ତି? ବହୁତ କମ୍ । ଏହା ଶ୍ରୁତି ମଧୁର ନ ହେଲେ ବି ଏହା ହିଁ ସତ୍ୟ । ପର ମୁହୂର୍ତ୍ତରେ ସେଇ କୁନି ଝିଅଟି ଓଠରୁ ଝରିପଡ଼େ ସୁନ୍ଦର ନାଲି ହସ ସହିତ କଅଁଳିଆ ମଧୁର ସ୍ୱର । କୁନି କୁନି ପାଦରେ ଚାଲିବା ଶିଖେ ସେ । ସେଇ ଛୋଟ ବେଳରୁ ହିଁ ସେ ଅନେକ ସମ୍ପର୍କରେ ବାନ୍ଧି ହେଇଯାଏ, ଅନେକ ଚରିତ୍ରରେ ସେ ନିଜ ଅଜାଣତରେ ହିଁ ନିଜକୁ ସାମିଲ କରିଦେଇଥାଏ । “ଜେଜେ, ଜେଜେ ମା’ଙ୍କର ଗେହ୍ଲା ନାତୁଣୀ”, “ବାପା ମା’ଙ୍କର ଅଲିଅଳି ଝିଅ”, “ଭାଇର ସୁନାନାକୀ ଭଉଣୀ” ଏପରି ଅନେକ ସମ୍ପର୍କ ।
ସମୟ ଚକ୍ରରେ ତ ସମସ୍ତେ ବନ୍ଧା । ସେଇ ସମୟ କ୍ରମେ କୁନି ଝିଅଟି ଧୀରେଧୀରେ ବଡ଼ ହୁଏ ଆଉ କ୍ରମେ ସେ ପହଞ୍ଚିଯାଏ ତା’ର ଯୌବନାବସ୍ଥାରେ । ଏଇ ସମୟ କ’ଣ ସତରେ ଏତେ କଠୋର? ସେଇ ଝିଅଟି ଏଇ ଦୁନିଆ ଆଉ ଏହାର ନୀତି ନିୟମ ବୁଝିବା ପୂର୍ବରୁ ହିଁ ବିବାହ ବୟସରେ ଉପନୀତ ହେଇଯାଏ । ଗୋଟିଏ ଘରର ଏରୁଣ୍ଡି ଡେଇଁ, ବାହା ପାଟ ପିନ୍ଧି, ବାହା ହେଇ ପହଞ୍ଚେ ସେ ଏକ ନୂଆ ଆଉ ସମ୍ପୂର୍ଣ୍ଣ ଅଜଣା ଘରେ । ଘର ନୁହେଁ ତ ଆଉ ଏକ ନୂତନ ଦୁନିଆରେ । ସେଠି ସେ ଦେଖେ ଏକ ନୂତନ ପରିବାର, ଅନେକ ଅଚିହ୍ନା ଚେହେରା, ଅଜଣା ରୀତିନୀତି । ସେ ସବୁକୁ ନେଇ ଗଠନ କରେ ନୂଆ ସଂସାର । ପୁଣି ସେ ବାନ୍ଧି ହେଇଯାଏ ଅନେକ ସମ୍ପର୍କରେ ଆଉ ନିଜର କର୍ତ୍ତବ୍ୟ କରିବାରେ ବ୍ୟସ୍ତ ହେଇଯାଏ ।
ଦୀର୍ଘ ପଚିଶ ବର୍ଷ ଗୋଟିଏ ଅଗଣାରେ ଝିଅଟି ଗେହ୍ଲାରେ ବଢ଼ିବା ପରେ ଆଉ ଏକ ନୂତନ ପରିବାରକୁ ଆସି ବୋହୂ ରୂପେ ଜୀବନ ଅତିବାହିତ କରେ । ସେଥିପାଇଁ ତ ସେ ହେଉଛି “ଦୁହିତା”- “ଦୁଇ କୁଳକୁ ହିତା” । ପୁଣି ସୃଷ୍ଟି ହୁଏ ଅନେକ ଚରିତ୍ର, ବୋହୂ, ପତ୍ନୀ, ଭାଉଜ, ଖୁଡ଼ି, ଆହୁରି ପୁଣି କାହାର ଯା’ ।
ପ୍ରତି ବର୍ଷ ନୂତନ ସିଲାବସ୍ରେ ନୂତନ ଅଧ୍ୟାୟ ଯୋଡ଼ି ହେଲା ପରି ନାରୀର ଜୀବନରେ ଯୋଡ଼ି ହୁଏ ଆଉ ଏକ ଅଧ୍ୟାୟ, “ମାତୃତ୍ୱ”, ଏକ ସ୍ନେହ ମମତା ଭରା ପୃଥିବୀ । ସୃଷ୍ଟି ହୁଏ ଏକ ନୂତନ ସମ୍ପର୍କ, ଏକ ନୂତନ ଚେହେରା । ସେ ହେଇଯାଏ ମା’, ଯାହା ଏଇ ଦୁନିଆର ସବୁଠାରୁ ସୁନ୍ଦର ସୃଷ୍ଟିର ନାମ ।
ପୁଣି ସେଇ ସମୟ ସୁଅରେ ଭାସିଭାସି ସେ ପହଞ୍ଚିଯାଏ ବୃଦ୍ଧାବସ୍ଥାରେ । ଜୀବନରେ ଯୋଡ଼ି ହୁଏ ଆଉ ଏକ ନୂତନ ଚରିତ୍ର । ମା’ରୁ ପାଲଟିଯାଏ “ବୁଢ଼ୀ ମାଆ” । ଶେଷରେ ସେ ଆସି ପହଞ୍ଚେ ନିଜ ଜୀବନର ଶେଷ ଅଧ୍ୟାୟର ଶେଷ ପୃଷ୍ଠାରେ, ଯାହା ହେଉଛି ମୃତ୍ୟୁ । ସତରେ ସମୟ ଚକ୍ର ପରି ଏଇ ଜୀବନ ଚକ୍ର ବି ବଡ଼ ଅଦ୍ଭୁତ ।
ସୂର୍ଯ୍ୟଙ୍କ କିରଣରେ ଯେପରି ସାତରଙ୍ଗ ଲୁକ୍କାୟିତ ଅବସ୍ଥାରେ ଥାଏ, ସେପରି ନାରୀ ଜୀବନରେ ଅନେକ ରଙ୍ଗ ଥାଏ । ଅନେକ ପରିବାରରେ ଦେଖାଯାଏ ଯେ, କନ୍ୟା ସନ୍ତାନ ଥିଲେ ମଧ୍ୟ ଗୋଟିଏ ପୁତ୍ର ସନ୍ତାନ ପାଇଁ ଅନେକ ଓଷା, ଉପବାସ ରଖିଥାନ୍ତି ପରିବାର ଲୋକେ, କିନ୍ତୁ କେତେଜଣ ଏମିତି ଅଛନ୍ତି ଯିଏକି ଗୋଟିଏ କନ୍ୟା ସନ୍ତାନ ପାଇଁ ଓଷା ବ୍ରତ ଆଦି କରନ୍ତି? କୁହାଯାଏ ଯେ ପୁତ୍ର ନଥିଲେ ବି ପିତାମାତା “ପୂତ୍” ନାମକ ନର୍କରୁ ମୁକ୍ତି ପାଇଯାନ୍ତି କିନ୍ତୁ ଗୋଟିଏ କନ୍ୟା ନଥିଲେ ପିତାମାତାଙ୍କୁ ସ୍ଵର୍ଗରେ ସ୍ଥାନ ପ୍ରାପ୍ତି ହୁଏନି ।
ଭଗବାନ ସମସ୍ତଙ୍କୁ ସନ୍ତାନ ଦେଇଥାନ୍ତି, କିନ୍ତୁ କନ୍ୟା ସନ୍ତାନ କେବଳ ଭାଗ୍ୟରେ ଥିଲେ ମିଳିଥାଏ । ଉଦାହରଣ ସ୍ୱରୂପ: “ସମୁଦ୍ରରେ ଅନେକ ଶାମୁକା ଥାଆନ୍ତି କିନ୍ତୁ ଯେଉଁ ଶାମୁକାରେ ମୋତି ଥାଏ ତା’ର ମୂଲ୍ୟ ଅଧିକ ଥାଏ ।” ତେଣୁ ଯେଉଁ ପରିବାରରେ ଗୋଟିଏ କନ୍ୟା ସନ୍ତାନ ଅଛି, ତାକୁ ସମ୍ମାନ ଦେବା, ତା’ର ମହତ୍ଵ ବୁଝିବା, ତାକୁ ଉଚ୍ଚଶିକ୍ଷିତା କରିବା, ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି “କନ୍ୟାଭ୍ରୁଣ ହତ୍ୟାକୁ ରୋକିବା” । କାରଣ ଗୋଟିଏ ନାରୀ ହିଁ ପରିବାରର ମାର୍ଗଦର୍ଶକ ହେବା ସହ ସମାଜକୁ ମଧ୍ୟ ଏକ ନୂତନ ପଥ ଦେଖାଏ । ତେଣୁ ପ୍ରତ୍ୟେକ ନାରୀକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଏବଂ କନ୍ୟାଭ୍ରୁଣ ହତ୍ୟା ବନ୍ଦ କରିବା ।
ନାରୀକୁ ପୁରାଣରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି ଏବଂ କୁହାଯାଇଛି ଯେ, “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମ୍ୟନ୍ତେ ତତ୍ର ଦେବତାଃ ।”
– ସୁନିତା ସେଠୀ
Comments
ସୁନିତା ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।