ନଈ ଆରପାରି ଗାଁ

nai-separi-gaon

ବ୍ରାହ୍ମଣୀ ନଈ, ନଈ ଆରପାରି ଗାଁ…
କାହା ପାଇଁ କେମିତି କେଜାଣି?
ମୋ ମନ ସିଲଟରେ.. ଆଶା ଖଡ଼ିରେ
ନିତି ଲେଖେ ତା’ ନାଁ ।.. ଅଲିଭା ରଖେ…

ନଈର ଏପାଖ କୂଳରେ
ଠିଆହେଲେ ଆରପଟ ଗାଁ
ଖୁବ୍ ଶସ୍ୟଶ୍ୟାମଳା ଦିଶେ ।
ସେଇଠି ସତେବା ମାଟିକୁ
ଆକାଶ ଛୁଇଁଛି ।

ମୋ ସାଙ୍ଗ ଥରେ କହୁଥିଲା,
“ସେଠି ସେମିତି କିଛି ନାହିଁ,
ମୁଁ ସେ ଗାଁ ବାଟଦେଇ ଯାଇଛି,
ଦୂରରୁ ସେମିତି ଦିଶୁଛି ।”

ମୁଁ କହିଲି ବୋକି,
“ତୋତେ କିଛି ଜଣାନାହିଁ,
ତୁ ରାସ୍ତାଦେଇ ଯାଇଥିବୁ,
ଆକାଶ ବିଲପଟେ ମାଟିକୁ ଛୁଇଁଛି..

ସେ ଏଥର ନୀରବ ରହିଲା…
ମୋ ମନରେ ଅସରନ୍ତି ଭାବନା,
ଥରଟିଏ ଯାଆନ୍ତି କି ସେ ଜାଗାକୁ !
ହେଲେ ଯାଇ ପରେ ନାହିଁ !

ଶରତ ଆସେ, କାଶତଣ୍ଡୀ
ଫୁଲ ଲହରୀ ଭାଙ୍ଗେ..
ନଈ ଆରପଟେ ।
ସେ ଗାଁ ଆହୁରି ସୁନ୍ଦର ଦିଶେ ।

ରାତି ଆକାଶରେ ଜହ୍ନ ହସେ ।
ମୋ ଗାଁରେ ବର୍ଷା ହେଲେ,
ନଈ ଆରପଟ ଆକାଶରେ
ଇନ୍ଦ୍ରଧନୁ ଫୁଟେ…

ମୋ ଗାଁରେ ଶୀତ ସକାଳରେ
କାକର ପଡ଼େ,ସେ ଗାଁରେ
ଘାସରେ ମୋତି ହୋଇ ଝଲସେ
ସଭିଙ୍କୁ ରବି ଦେବଙ୍କ ପ୍ରତୀକ୍ଷା…

ବସନ୍ତ ଆସିଲେ ମୋ
ଗାଁରେ ପେନ୍ଥା ପେନ୍ଥା ଆମ୍ବ
ବଉଳେ, ହେଲେ ସେ ମହକ
ତା’ ପବନରେ ଭାସିଯାଏ

ବ୍ରାହ୍ମଣୀର ଚୁନାଚୁନା ଲହରୀ
ବି କୂଳଛୁଇଁ ଫେରିଯାନ୍ତି…
ସତେ ଖୋଜୁଥିଲେ କାହାକୁ !
କିଛି ନ କହି ଫେରି ଯାଏ..

ମୋତେ ଲାଗେ ନଈ ଆରପାରି
ଗାଁ ମୋ ପାଇଁକି ଅସରନ୍ତି..
ମହକଭରା ଫୁଲବନ…
ମାତାଲ ଭ୍ରମର ଘୁରି ବୁଲୁଥିଲେ

ସେଠି ବାରମାସ-ଛଅଋତୁ
ଫଗୁଣ ହିଁ ଫଗୁଣ…
ଅହରହ ମଳୟ ବହେ,
ପିକ ରାବେ… ମଧୁର ସ୍ୱନେ..

କୁସୁମର ମହକରେ
ମହକୁଥାଏ ଶୂନ୍ୟ ଆକାଶ…
ବାତାବରଣ ମତୁଆଲା
ସ୍ୱପ୍ନରେ ଆତ୍ମ ବିଭୋର..

ଗୁଣୁ ଗୁଣୁ ଗୀତଗାଇ ଦୁଷ୍ଟ
ଭଅଁର ଏ ଫୁଲରୁ ସେ ଫୁଲକୁ
ଉଡ଼ିବୁଲେ.. ମୋ ମନ ପରଜାପତି,
କିନ୍ତୁ ଭାରି ଅମାନିଆ ।

ଅଜାଣତରେ କେତେବେଳେ
ସେ ଗାଁ’କୁ ଉଡି ଯାଇଛି ଯେ..
ଯାଇଛି, ଆଉ ଫେରିବାର..
ନାଁ ଧରୁନି… କହିକି ଯାଇନି..

ବନିତା ସ୍ୱାଇଁ ମାନଧାତା
ହାଇଟେକ ସିଟି,
ହାଇଦ୍ରାବାଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...