ଜୀବନ ଯୌବନ ପ୍ରକୃତିର ଖେଳ, ବୃଦ୍ଧ ଅବସର ନେଲି ।
ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି ।
କୈଶୋର ନଦୀକୂଳ ଲଙ୍ଘୁ ଥିଲା, ବଳ ଯେତେ ସାଇତିଲି ।
ପରାକ୍ରମର ଦ୍ୱାହି ଦେଇକି, ଅହଂକାରେ ବୁଡ଼ିଗଲି ।
ସ୍ୱାର୍ଥ ପର ମୋର ମନକୁ ନେଇକି, ମିଛ ମୁଁ କହି ଚାଲିଲି ।
ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି ।
ପାଷାଣ ପରିକା ହୃଦୟ ମୋହର, ଅନ୍ୟାୟ କେତେ ଦେଖିଲି ।
କ୍ରୁରତା ମନକୁ ମାପ କାଠି କରି, ଜ୍ଞାନ ଜ୍ୟୋତି ଲିଭାଇଲି ।
କର୍ମ ବିପରୀତ ଅଧର୍ମ କରିଣ, ନିଜ ଧର୍ମ ନାଶ କଲି ।
ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି ।
ଦୁଃଖୀରଙ୍କିଙ୍କର ସେବା ମୁଁ କରିନି, ଜୀବ ଅପଚୟ କଲି ।
ବେସାହାରାଙ୍କର ସାହା ନହୋଇ, କେତେ ଜାତନା ମୁଁ ଦେଲି ।
ସହନଭୂତିର ପରିଭାଷା ହୀନ, ଜୀବନ ମୁଁ ଜୀଉ ଥିଲି ।
ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି ।
ସମୟ ଆସିଲା, ଭରମ ତୁଟିଲା, ବଳ ଦୁର୍ବଳ ହେଲା ।
ବନ୍ଧୁ ପରିଜନ ପାଖ ନ ମାଡ଼ିଲେ, ଜୀବନ ମୋ ଏକା ହେଲା ।
କଙ୍କାଳ ସାଜିଲି, ନିଆଁରେ ଜଳିଲି, ମାଟିରେ ମୁଁ ମିଶିଗଲି ।
ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି ।
– ଶୁଭଙ୍କର ଶତପଥୀ
Comments
ଶୁଭଙ୍କର ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।