ମୋ ଗାଁ

Odia Poem Mo Gaon (ମୋ ଗାଁ) by Chittaranjan Barik

ପୂର୍ବାକାଶେ ବାଳରବି ଅପରୂପ ଉଷା ଛବି
ଆଙ୍କି ଦେଇଅଛି ଯେହ୍ନେ ମାନସ ହସ୍ତେ,
ବିଛାଇ କଂସାରି ଲତା ଶେଫାଳୀ ଶିଶିର ସ୍ନାତା
କରେ ସେ ଉଷା ବନ୍ଦନା ଆନନ୍ଦ ଚିତ୍ତେ,
ହାତେ ଧରି ଔତ୍ସୁକ୍ୟ ମୋତି
ଅନୁପଲା ଦେଖାଏ ତା’ ବାତ୍ସଲ୍ୟ ପ୍ରୀତି ।୧।

ପଶ୍ଚିମୁ ଆଦ୍ୟ ପାଇକା ତୀରରେ ହସଇ ମକା
କ୍ଷେତ ଦିଶେ ଯେହ୍ନେ ଛାୟା ମିଶ୍ରିତ ଛବି,
ନବବଧୂ ସ୍ନାନ ସାରି ଲାଜକୁଳି ଲତା ପରି
ଯାଆନ୍ତି ନିଜ କୁଟିରେ ବିଭୁଙ୍କୁ ଭବି,
ଅଗଣାରେ ଚିହ୍ନ ପାଦର
ସେହି ପାଦ ଚିହ୍ନ ଅଟେ ଗ୍ରାମଲକ୍ଷ୍ମୀର ।୨।

ଧର୍ମପୀଠ ବେଲବଣେ ଉତ୍ତରରେ ମନ ଜିଣେ
ପାଖେ ଧାନ କ୍ଷେତ ତା’ର ପଣତ କାନି,
ସୂର୍ଯ୍ୟମୁଖୀର ଚାହାଣୀ ମନ୍ଦିରରୁ ଶଙ୍ଖ ପୁଣି
ଅତିଥୀ ଚର୍ଚ୍ଚାରେ ଅଟେ ସେ ତେଜସ୍ୱିନୀ,
ଡାକିଦେଇ କାକର ସ୍ୱରେ
ତନ୍ଦ୍ରାତୁର ପିଲାଙ୍କୁ ତା’ ଜାଗ୍ରତ କରେ ।୩।

ପାଇକା ନଦୀ ଦକ୍ଷିଣେ ତୀରେ ସ୍ଵର୍ଣ୍ଣରେଣୁ ବୁଣେ
ବାଣ୍ଟିଦେଇ ତା’ ଅମୃତ ସନ୍ତାନ ହିତେ,
କୂଳେ କାଶତଣ୍ଡି ଉଭା ଆହାକି ବିଚିତ୍ର ଶୋଭା
ଶରତେ ହିମ ହରିଣି ଜଗତ ନେତ୍ରେ,
ଶିରେ ପିନ୍ଧି କାଶଗଜରା
ଅନୁପଲା ଗାଏ ଗୀତ ଆବେଗ ଭର ।୪।

– ଚିତ୍ତରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...