ମୋ ଗାଆଁ

Odia Poem Mo Gaon (ମୋ ଗାଆଁ) by Susmita Bavi

ଗାଁ’ଟି ମୋର କେଡ଼େ ସୁନ୍ଦର
ସ୍ମୃତି ରହିଛି ମୋ ପିଲାଦିନର
ଯେଉଁଠି ଥିଲେ ଗାଁ’ର କଥା
ମନେ ପଡ଼େ ବାରମ୍ବାର ।

ମୋ ଗାଁ ପାଣି ପବନରେ ଗଢ଼ା
ମୋହରି ଜୀବନ
ଶୁଝି କି ପାରିବି କେବେ
ମୁଁ ତା’ରି ଋଣ ।

ସକାଳ ହେଲେ ପୂର୍ବ ଆକାଶେ
ସୂର୍ଯ୍ୟ ଉଇଁଥାଏ
ଜାତି ଜାତିକା ଫୁଲ ମହକରେ
ଗାଁ ମୋର ମହକୁ ଥାଏ ।

ଚାଳ ଉପରେ କାଉର ରାବ
ଗାଁ ମଝିରେ କୁକୁଡ଼ା ଡାକ
ଲାଗଇ କେଡ଼େ ସୁନ୍ଦର
ସକାଳ ହେଲେ ଶୀତଳ ପବନ
ଲାଗଇ କେତେ ମଧୁର ।

ପୂଜା ପାଉଛନ୍ତି ଦେବୀ ମାଆ
ଆମ ଗାଁ ଆରମ୍ଭରେ
ତାଙ୍କରି କରୁଣା ଥାଏ ସଦା
ଆମରି ଉପରେ ।

ମୋ ଗାଁ’ରେ ରହିଛି କେତେ
ନଡ଼ା ଛଣ ଛପର ଘର
କାନ୍ଥରେ ଅଙ୍କା ଯାଇଥିବା ଝୋଟି
କେତେ ମନୋହର ।

ଶାନ୍ତ ସରଳ ସମସ୍ତେ ଅଟନ୍ତି
ମୋ ଗାଁ’ର ଲୋକ
କୃଷି କାମ କରି ମେଣ୍ଟାନ୍ତି
ନିଜ ନିଜର ଭୋକ ।

ଚାଷୀ ଭାଇ ସକାଳୁ ଉଠି
ପଖାଳ ଗଣ୍ଡେ ଖାଇ
ଖୁସି ମନରେ ବିଲକୁ ଯାଏ
ହାତେ ହଳ ଲଙ୍ଗଳ ଧରି ।

ନଈ ଟିଏ ବହି ଯାଇଛି ମୋ
ଗାଁ’ର ଶେଷ ଭାଗରେ
ପାଠ ପଢ଼ା ସାରି ସବୁ ସାଙ୍ଗ ସାଥି
ଖେଳୁ ଆମେ ତା’ର କୂଳରେ ।

କେବେଠୁ ରହିଛି ଗାଁ ମଝିରେ
ଏକ ବୁଢ଼ା ବରଗଛ
ସନ୍ଧ୍ୟା ହେଲେ ଗଛ ମୂଳେ
ବସନ୍ତି ସବୁ ଲୋକ ।

ଅପରିଷ୍କାର କରୁନା ଆମେ ଗାଁ’କୁ
ସବୁବେଳେ ରଖୁ ସଫାସୁତୁର
ରାଗ ଅଭିମାନ ନଥାଏ ମନରେ
କାହାରି ସମସ୍ତେ ଏଠି ନିଜର ।

କେତେ ପର୍ବ ପର୍ବାଣୀ ପାଳନ ହୁଏ
ଆମରି ଗାଁ ଭିତରେ
ଭୁଲି ପାରିବିନି କେବେ ଗାଁକୁ
ଥିଲେ ଯେତେ ବି ଦୂରେ ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...