ବହୁ ବର୍ଷ ପୂର୍ବେ ଉପକୂଳ ଅଞ୍ଚଳରେ ତିନୋଟି ଗାଁ ଥିଲା — କରମାପୁର, ମହାଚତୁରପୁର, ଅତିଚତୁରପୁର । ସେତବେଳର ସମାଜରେ ସମସ୍ତେ ପରିଶ୍ରମ କରୁଥିଲେ ଓ ଭଲରେ ଚଳୁଥିଲେ । କିଏ ଚାଷ କରୁଥିଲା ତ‘ କିଏ ମେଣ୍ଢାଗୋଲା ପାଳନ କରୁଥିଲା । ମେଣ୍ଢାଗୋଲା ବୋଲି ଗୋଟେ ଗୃହପାଳିତ ପଶୁ ସେତବେଳେ ଥିଲା । ତା’ ଦେହ ଦେଖିବାକୁ ମେଣ୍ଢା ଭଳି କିନ୍ତୁ ମୁଣ୍ଡଟି ପୂରା ଗୋଲିଆ ଥିଲା । ମେଣ୍ଢାଗୋଲା କ୍ଷୀରର ଭଲ ବ୍ୟବସାୟ ହେଉଥିଲା । କିଛି ଲୋକ ତ‘ ସେଇ ମେଣ୍ଢାଗୋଲା ପାଳନ କରିକି ଲକ୍ଷେପତି ହେଇଯାଇଥିଲେ ।
କିନ୍ତୁ ସେ ତିନୋଟି ଗାଁ ଭିତରୁ କରମାପୁରରେ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା । ଯେତେବେଳେ କୌଣସି ପର୍ବପର୍ବାଣି କିମ୍ବା ବାହାଘରରେ କରମାପୁର ଲୋକ ମହାଚତୁରପୁର ଓ ଅତିଚତୁରପୁରର ସମ୍ବନ୍ଧୀୟଙ୍କୁ ମେଣ୍ଢାଗୋଲା ଉପହାର ସ୍ୱରୂପ ଦେଉଥିଲେ ।
ମହାଚତୁରପୁର ଲୋକ ଅଧିକାଂଶ ସୁରକ୍ଷା କର୍ମୀ ହେବାକୁ ପସନ୍ଦ କରୁଥିଲେ । ଅତିଚତୁରପୁର ଲୋକ ଅଧିକାଂଶ ଚାଷବାଷ କରୁଥିଲେ ।
କରମାପୁରର ମୁଖିଆ ଲୋକାବାବୁଙ୍କର ବହୁତ ମେଣ୍ଢାଗୋଲା ଥିଲେ । ସେମାନଙ୍କୁ ରାତିରେ ବାଘ ଭାଲୁଙ୍କଠାରୁ ବଞ୍ଚେଇବା ପାଇଁ ଲୋକାବାବୁ ମହାଚତୁରପୁର ଗାଁ‘ର କିଛି ସୁରକ୍ଷା କର୍ମୀଙ୍କୁ କାମରେ ଲଗେଇଥିଲେ । ସବୁ ସୁରୁଖୁରୁରେ ଚାଲିଥିଲା । ଦିନେ ହଠାତ ରାତି ଅଧରେ କିଏ ଗୋଟେ ଚିଲେଇବାର ଶୁଭିଲା । ଲୋକାବାବୁ ଓ ଗାଁ ଲୋକ ସବୁ ଉଠିପଡ଼ିଲେ । ଦେଖିଲେ ଯାଇ କ‘ଣ ନାଁ ଜଣେ ସୁରକ୍ଷା କର୍ମୀ ଅଚେତ ଅବସ୍ଥାରେ ପଡ଼ିଛି ଓ ବହୁତ ଗୁଡ଼େ ମେଣ୍ଢାଗୋଲା ସେଠି ନାହାନ୍ତି ଓ ବହୁତ ମରିକି ପଡ଼ିଛନ୍ତି । ପାଣି ଛିଞ୍ଚିବାରୁ ସେ ସୁରକ୍ଷା କର୍ମୀର ଚେତା ଆସିଲା ଓ ସେ କହିଲା ଯେ କିଛି ଅଦ୍ଭୁତ ଜନ୍ତୁ ଆସିକି ଏମିତି କରିଥିଲେ ।
ତା‘ ପରଦିନ କରମାପୁର ଲୋକ ମହାଚତୁରପୁରରେ ଥିବା ସୁରକ୍ଷା ବିଭାଗରେ ନିଜର ଗୁହାରି ଜଣାଇଲେ । ବିଭାଗର ମୁଖିଆ ଲୋକମାନଙ୍କୁ ଆଶ୍ୱାସନା ଦେଲେ । ଦିନ ପରେ ଦିନ ଗଡ଼ିଚାଲିଲା କିନ୍ତୁ କୋଉ ବଣୁଆ ଜନ୍ତୁ ମେଣ୍ଢାଗୋଲାସବୁକୁ ମାରିଥିଲା କିଛି ଜଣାପଡ଼ିଲାନି । ତା‘ପରେ ବି ଏମିତି ବଣୁଆ ଜନ୍ତୁ ଆସିକି ବହୁତ ମେଣ୍ଢାଗୋଲାକୁ ଉଠେଇ ନେଇ ପଳେଇଲେ ।
ଦିନେ ଗୋଟେ ବାହାଘରରେ କରମାପୁର ଲୋକ ମହାଚତୁରପୁରକୁ ଯାଇଥିଲେ ଓ ଦେଖିଲେ କଣ ନା ସେ ଗାଁରେ ଆଗ ଅପେକ୍ଷା ବହୁତ ଛାତଘର (କଙ୍କ୍ରିଟ) ହେଇଯାଇଛି ।
ଥରେ ସେ ଅଞ୍ଚଳର କୃଷି ଓ ପଶୁପାଳନ ବିଭାଗର ମୁଖିଆ ସେ ସବୁ ଗାଁମାନଙ୍କୁ ବୁଲିବାକୁ ଆସିବାର ଥିଲା ଓ ଦେଖିବାର ଥିଲା ଯେ କିଏ ଭଲ ଚାଷବାଷ ଓ କିଏ ଭଲ ମେଣ୍ଢାଗୋଲା ପାଳନ କରୁଛି । ଆଜ୍ଞା ଆସିଲେ ଓ ସବୁ ଗାଁ ବୁଲିଲେ । ସପ୍ତାହେ ପରେ ସିଏ ତାଙ୍କ ରିପୋର୍ଟ ଧରି ଆଉ ଥରେ ଆସିଲେ । ଅତିଚତୁରପୁରରେ ଗୋଟେ ବଡ଼ ସଭାଟେ ହେଲା । ସେଠି ସେ ଘୋଷଣା କଲେ ଯେ କରମାପୁରର ମକରା ହେଉଛି ଏ ବର୍ଷର ବଡ଼ ଚାଷୀ । ଏ ଖବରରେ କରମାପୁର ଲୋକ ପୂରା ଖୁସିରେ ଡେଇଁଲେ । ତା‘ପରେ ଘୋଷଣା ହେଲା ଯେ ଅତିଚତୁରପୁରର ମକରା ହେଉଛି ଏ ବର୍ଷର ବଡ଼ ମେଣ୍ଢାଗୋଲା ପାଳକ । ଏ ଖବର ଶୁଣିକି କରମାପୁରର ଲୋକଙ୍କ ମୁଣ୍ଡ ଯେମିତି କାମ କରିବା ବନ୍ଦ କରିଦେଲା ।
ଯୋଉ କରମାପୁରରେ ସବୁଠୁ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା, ସେ‘ଠି ହଠାତ କୋଉ ବଣ୍ୟଜନ୍ତୁ ଆସିକି ପୁଳାଏ ମେଣ୍ଢାଗୋଲା ନେଇଗଲେ, ସୁରକ୍ଷା ବିଭାଗରେ ଗୁହାରି କଲେ ବି କିଛି ହେଲାନି, ମହାଚତୁରପୁରରେ ଆଗ ଅପେକ୍ଷା ବହୁତ ଛାତ(କଙ୍କ୍ରିଟ) ଘର ହେଇଗଲାଣି ଓ ଶେଷରେ ଅତିଚତୁରପୁରକୁ ବଡ଼ ମେଣ୍ଢାଗୋଲା ପାଳକ ପୁରସ୍କାର ମିଳିଗଲା ।
ଅତିଚତୁରପୁରର ସଭାରୁ ଘରକୁ ଫେରିଲାବେଳେ କରମାପୁରର ମୁଖିଆ ଲୋକାବାବୁ ଏଇ ସବୁ କଥା ଭାବି ଭାବି ଚିନ୍ତିତ ହେଇ ପଡ଼ିଥିଲେ । ଘରକୁ ଆସି ଲୋକାବାବୁ ପୁଅକୁ ପଚାରିଲେ, ମେଣ୍ଢାଗୋଲାଙ୍କ ସୁରକ୍ଷା ପାଇଁ ଯୋଉ ଲୋକଟି ଥିଲା ସିଏ ତ‘ କାଇଁ ଦେଖିବାକୁ ମିଳୁନି । ପୁଅ କହିଲା ଯେ ସିଏ ଆଜି ସକାଳଠୁ କୁଆଡ଼େ ଯାଇଛି ଯେ ଆସିନି ।
ଲୋକାବାବୁ ଦାଣ୍ଡ ପିଣ୍ଢାରେ ବସିକି ଭାବିଲେ — ଯୋଉ ଅତିଚତୁରପୁରକୁ ସିଏ ଭଲ ବୋଲି ଭାବୁଥିଲେ, ସେମାନେ ଶେଷରେ ଚୋରି କଲେ? ଯୋଉ ମହାଚତୁରପୁରର ସୁରକ୍ଷା ବିଭାଗକୁ ଏତେ ବିଶ୍ୱାସ କରୁଥିଲେ, ସେମାନେ ଶେଷରେ ଏ କାମରେ ଅତିଚତୁରପୁରକୁ ସାହାଯ୍ୟ କରିଲେ !
***ଏ କଥାଟି ସମ୍ପୂର୍ଣ୍ଣ କାଳ୍ପନିକ । ଯଦି କୌଣସି ଘଟଣା ସହିତ ସମାନତା ଦେଖିବାକୁ ମିଳେ, ତାହା କେବଳ ଏକ ସଞ୍ଜୋଗ ମାତ୍ର ।***
– ଆଶିଷ କୁମାର ନାୟକ
Comments
ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।