You are currently viewing ଲୁଚକାଳି
ଲୁଚକାଳି

ଲୁଚକାଳି

ବହୁତ ହୋଇଗଲା ବନ୍ଧୁ,
ଏଇ ଛୁପାଛୁପି ଲୁଚକାଳି ଖେଳ,
ମୁଁ ତୁମକୁ ଖୋଜୁଛି ଆଉ ତୁମେ ମୋତେ,
ଏବେ ତ’ ଏ ଖେଳ ବନ୍ଦକର ।
ଟିକେ ଆସନ୍ତନି !
ମୋ ପାଖରେ ବସନ୍ତ,
ଦି ପଦ ଦୁଃଖ ସୁଖ ହୁଅନ୍ତେ ।
ତା’ ପରେ ତୁମେ ତୁମ ବାଟରେ,
ଆଉ ମୁଁ ମୋ ବାଟରେ
ନିଜ ଘରକୁ ଫେରନ୍ତେ ।
ହେଲେ, ଫେରିବାର
ବାଟ ତ’ ଗୋଟିଏ, ଗନ୍ତବ୍ୟ ବି ଗୋଟିଏ ।
ମୁଁ ତ ସବୁବେଳେ ଭାବେ
ତୁମେ ଆଉ କେଉଁଠି ରୁହ !
ଉଞ୍ଚା ମଥାନ ଘରେ,
ଉଞ୍ଚା ଉଞ୍ଚା ପିଣ୍ଡା ଆଉ,
ଗହନ ଗମ୍ଭିରୀ ଭିତରେ ।
ମୁଁ କେମିତି ଜାଣିବି ଯେ,
କେବେ ବି ତ’ କହିନ ତୁମେ,

ତୁମେ ରୁହ ମୋ ସାଥିରେ,
ମୋର ଏ ଝାଟି ମାଟି ଘରେ
ମୋର ଏଇ ହୃଦୟ ଭିତରେ ।
ତୁମେ ତ ବଡ଼ ନାଟୁଆ,
କେବେ ନଟ ସାଜି ଥାଅ,
କେବେ ତୁମେ ନାଟ୍ୟକାର,
କେବେ ସୁତା ତୁମେ ଆଉ କେବେ,
ସାଜି ଯାଅ ନିଜେ ସୁତ୍ରଧର ।
ତୁମେ ତ’ ଦୃଶ୍ୟ,
ପୁଣି କେବେ ଦେଖାଯାଅ ନାହଁ,
ତୁମେ ଆକାର ପୁଣି ନିରାକାର,
ତୁମେ ନିଜେ ଲୁଚିଯାଅ,
ପୁଣି କେବେ ଧରା ଦେଇଦିଅ ।
ହେଲେ ତୁମକୁ ନିଜର କରିବାର,
ପାଇବାର ଯେତେକ କୌଶଳ,
ତୁମକୁ ଧରି ରଖିବାର ସବୁ କଳା,
ତୁମ ଛଡ଼ା ଆଉ କିଏ ଅବା
ପଢ଼ାଇ ପାରିବ ସେ ପାଠ କୁହ?

ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।