ମାତୃତ୍ୱର ଅଭିଳାଷା

Matrutwara Abhilasha

ମୁଁ ଦିନେ ସନ୍ଧ୍ୟା ବେଳେ ଭ୍ରମଣରେ
ମୋ ସାଥେ ଚାଲୁ ଥାଆନ୍ତି ଦୁଃଖ ଓ ଯନ୍ତ୍ରଣା
ଖାଲି କୋଳର ପୂର୍ଣ୍ଣତାରେ
କେତେ ଯେ ଗୁହାରୀ, ମିନତୀ, ପ୍ରାର୍ଥନା !

ଅଚାନକ ବାଦଲ ଗର୍ଜିଲା, ବିଜୁଳି ଚମକିଲା
ବର୍ଷାର ଆଗମନ ହବ ବୋଧେ
ଥିରି ଥିରି ଥଣ୍ଡା ପବନରେ
ଦେହ ମୋର ଥରିଲା…!

ଅଳିଆ ଗଦାରୁ କୁଆଁ କୁଆଁ ଶବ୍ଦ
ମୋ ଜଡ଼ କାନରେ ଜୀବନ ଭରିଦେଲା
ମାତୃତ୍ଵର ଅଭିଳାଷା ଧାଡ଼ିରେ
ପୂର୍ଣ୍ଣଛେଦର ମୁହୂର୍ତ୍ତ !

ଢଳ ଢଳ ଆଖିଯୋଡ଼ା
ଆକାଶ ମୁହାଁ
ଦେହ ଭୋଗୁଥାଏ ପିମ୍ପୁଡ଼ି ସାଥେ
ସେମାନଙ୍କ ଭୋକିଲା ପେଟର କଷ୍ଟ ସବୁକୁ
ଆଉ ମୃତ୍ୟୁ ବି ଭିକାରୀ ବେଶରେ
ମାଗୁଥାଏ ଜୀବନର ଭିକ୍ଷା !

ବଗିଚାର ଫୁଲଟେ ପରି
ତୋଳିନେଲି ହାତରେ
ଚାପି ଧରିଲି ଛାତିରେ
ଓଠ ପିଉଥାଏ ମାତୃତ୍ଵର ଅମୃତ
ତୃଷ୍ଣା ମେଣ୍ଟିବାଯାଏଁ…!

ମନେ ମନେ ଭାବୁଥାଏ
କିଏ ସେ ମା’
ଫିଙ୍ଗିଦେଲା ତା’ ପାପର ଫାଳେ ଅଂଶ
ମୋ ପୂଣ୍ୟତାର ଆଶୀର୍ବାଦ ପ୍ରାପ୍ତି ପାଇଁ
ନା ଆଉ କିଛି ଅଛି…?
ଗୋପନ କଥା
ମାତୃତ୍ଵର ଅଭିଳାଷା ପଛେ…!

– ତପନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...