You are currently viewing ମାଣବସା ଗୁରୁବାର
Manabasa Gurubara (ମାଣବସା ଗୁରୁବାର) Odia short story by Dr. Monalisa Mishra

ମାଣବସା ଗୁରୁବାର

ରିତୁ ଆଜି ଶୀଘ୍ର ଅଫିସ୍‌ରୁ ଫେରୁଥିଲା । ମନେ ମନେ ଭାବୁଥିଲା କାଲି ମାର୍ଗଶିର ମାସ ଗୁରୁବାର । କେତେ କାମ ଅଛି ତା’ର । ମାଣ ବସେଇବ ଲକ୍ଷ୍ମୀପୂଜା ଧୁମଧାମ୍‌ରେ କରିବ । ନିଜକୁ ଖାଣ୍ଟି ଓଡ଼ିଆଣୀ ଭାବରେ ସଜେଇ ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଭିଡ଼ିଓ କରି ବାହାବା ନେବ । ପଡ଼ୋଶୀ ଲିନା ଭଳି ପ୍ରତିଦ୍ୱନ୍ଦିକୁ ସାମ୍ନା କରିବାକୁ ଏହାହିଁ ତ ଠିକ୍ ମାଧ୍ୟମ ଯିଏ କି ନିଜର ରିଲ୍ ଆଉ ସର୍ଟସ୍ ଭିଡ଼ିଓ ପାଇଁ ମହିଳା କ୍ଲବରେ ସବୁବେଳେ ଚର୍ଚ୍ଚିତ । ରିତୁ ବେଶ୍ ଉଚ୍ଚଶିକ୍ଷିତା ଏବଂ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ । ବେଶଭୂଷା ଚାଲିଚଳନ ସବୁଥିରେ ଆଧୁନିକତାର ପରିଛାପ । ଓଡ଼ିଆ ଘରର ବାର ମାସରେ ତେର ପର୍ବ ମାନିବା ତା’ ପାଇଁ ବଡ଼ କଷ୍ଟ । ଯୋଗକୁ ଶାଶୁଘରେ ବି ରହେନି, ତେଣୁ ଏସବୁରୁ ମୁକ୍ତି । ସ୍ୱାମୀ ସୁମିତ୍ ମଧ୍ୟ ରିତୁର ସ୍ୱାଧୀନତାରେ କେବେ ହସ୍ତକ୍ଷେପ କରି ନାହାନ୍ତି । ଲିନାଠାରୁ କାଲି ଯେମିତି ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ଲାଇକ୍ ଆସୁ କେମିତି ପୂଜା ପାଇଁ ଭଲରେ ପ୍ରସ୍ତୁତ ହେବ ଭାବୁ ଭାବୁ ରିତୁ ଘରେ ପହଞ୍ଚି ସାରିଥିଲା ।

ଭାଗ୍ୟକୁ କାମବାଲୀ ଶାନ୍ତି ମାଉସୀ ତା’ଆସିବା ସମୟରେ ଥିଲେ । ତାଙ୍କୁ ଘର ଭଲଭାବରେ ଧୋଇବାକୁ କହିଲା । ନିଜେ ଦୁବ ବରକୋଳି ପତ୍ର ପୂଜା ସାମଗ୍ରୀ ସବୁ ସଜ କଲା । ୟୁଟୁବ୍ ଦେଖି ଝୋଟି କାମଟା ଯେନତେନ ଉପାୟରେ ସାରିଦେଇ ସେଦିନ ଚଞ୍ଚଳ ଶୋଇପଡ଼ିଲା । ଗୁରୁବାର ସକାଳ । ରିତୁ ଶେଜରେ ଶୋଇ ଭାବୁଛି, ଓଃ କି ଥଣ୍ଡା ଏଥିରେ କେମିତି ଯେ ଗାଧୋଇ ବି । ଭଲ ଆଉ… ରିଲ୍ ପାଇଁ ଯେ କେତେ କଷ୍ଟ । କ’ଣ ଆଉ କରିବ ବାଧ୍ୟ ହୋଇ ଉଷୁମ ପାଣିରେ ଗାଧୋଇଲା । ଗାଧୋଇ ଧଳା ନାଲି ଶାଢ଼ୀ ପିନ୍ଧି ମ୍ୟାଚ କରୁଥିବା ନାଲି ଚୁଡ଼ି ଟିକେ ଅଧିକା ପିନ୍ଧିଲା । ରେସିପି ଦେଖି ଅଳ୍ପ କିଛି ପିଠା କରି ପୂଜା ସାରିଦେଲା । ପୂଜା ସରିଗଲା କ’ଣ, ପ୍ରକୃତ ପୂଜା ଆରମ୍ଭ ହେଲା । ମୁଣ୍ଡରେ ଓଢ଼ଣା ଦେଇ ଫୋନ୍ ଆଣି ରିଲ୍ ସୁଟ୍ କଲା । ଭିଡ଼ିଓକୁ ଫ୍ୟମିଲି ଗ୍ରୁପ୍‌ରେ ସେୟାର୍ କଲା । ଶାଶୁ ଦେଖି ଖୁବ୍ ଖୁସି । ଯା’ହେଉ ବୋହୂ ମୋର ଧୀରେଧୀରେ ବଦଳି ଯିବ । ଅଜାଣତରେ ତାଙ୍କ ଆଖିରୁ ଦି ଟୋପା ଲୁହ ଖସିପଡ଼ିଲା । ଏପଟେ ରିତୁ ବି ଖୁସ୍ । ଏଥର ଲାଇକ୍ କମେଣ୍ଟରେ ସେ ଲିନାଠାରୁ ଆଗୁଆ । ମାଣବସା କି ରିଲ୍ ରିତୁକୁ କିଏ ପରିବର୍ତ୍ତନ କରିଛି ଜଣା ନାହିଁ । ଏମିତି ରିଲ୍ ଆଉ ସର୍ଟସ୍ ଥାଉ ଆଉ ରିତୁ ଭଳି କେତେଜଣ ଗୁରୁବାର କରୁଥାନ୍ତୁ । ଅନ୍ତତଃ ଆମ ଓଡ଼ିଆ ଘରର ସଂସ୍କୃତି ତ ବଞ୍ଚି ରହିପାରିବ ।

– ଡ. ମୋନାଲିସା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ମୋନାଲିସା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।