ମାଆ ପରି ମାଆଟିଏ
ମାଆ ପରି ମାଆଟିଏ

ମାଆ ପରି ମାଆଟିଏ

ସାଧୁ ବେହେରା ମେ ମାସର ଟାଣ ଖରାରେ ବି ଫୁଲ ଗଛ ଗୁଡ଼ିକର ଯତ୍ନ ନେବାରେ ବ୍ୟସ୍ତ ଥାଏ, ସବୁଦିନ ଭଳି । ମୁଖ୍ୟ ଅଧ୍ୟକ୍ଷ ମାଡାମଙ୍କ ପିଅନ ଆସି ଡାକ ଛାଡିଲା, “ସାଧୁ ତତେ ମାଡାମ ଡାକୁଛନ୍ତି, ସଅଳ ସଅଳ ଯା ।” ସଙ୍ଗେ ସଙ୍ଗେ ଶୁଣି, ପାଣି ପାଇପ୍‌ରେ ହାତଟା ଧୋଇ ସେ ଉଠି ପଡ଼ିଲା ଆଉ । ମାଡାମଙ୍କ ଅଫିସକୁ ରାସ୍ତା ତାକୁ ଯୋଜନ ଯୋଜନ ଦୂର ଭଳି ଲାଗୁଥିଲା । ସେ ମନେପକାଇବାକୁ ଚାହୁଁଥିଲା କ’ଣ ଭୁଲ ହେଲା ତା’ର, କେତେବେଳେ ତାଙ୍କ ଦୁଆର ଅଜାଣତରେ ଠକ ଠକ କରିଛି ତା’ର ମନେ ନାହିଁ, ଗୋଟାପଣେ ଥରୁଥାଏ ସେ । ଚାକିରୀ ଗଲେ ତା’ ଆଲିଅଳି ଝିଅର ପାଠରେ ଡୋରି ଲାଗିବ । ସବୁ କଳ୍ପନାକୁ ମନରେ ରଖି ସେ ଆସି ପହଞ୍ଚିଲା ମାଡାମଙ୍କ ରୁମ ସମ୍ନାରେ । ରୁମକୁ ଠକ ଠକ କରନ୍ତେ ମାଡାମ ତାଙ୍କ ନିତ୍ୟ ଗମ୍ଭୀର ସ୍ୱରରେ କହିଲେ, “ଭିତରକୁ ଆସ ଆଉ ଏ କାଗଜଟିକୁ ପଢ଼ ।” ସାଧୁ ବେହେରା କାନ୍ଦି ପକାଇଲା ଓ କହିଲା, “ମାଡାମ ମୁଁ କ’ଣ ପଢ଼ି ଜାଣେ ! କିନ୍ତୁ ମୁଁ ଜାଣିପାରୁଛି ଯେ ଏ ମୋର ଝିଅର ଅକ୍ଷର । ପିଲାଟି ଯଦି କ’ଣ ଭୁଲରେ ଲେଖି ଦେଇଛି, ମୁଁ ତା’ ପାଇଁ କ୍ଷମା ମାଗି ନେଉଛି । ହେଲେ ତା’ ପାଠରେ ପୂର୍ଣ୍ଣଛେଦ ପକାନ୍ତୁ ନାହିଁ । ଏ ମାଳିର କ’ଣ ଯୋଗ୍ୟତା ଅଛି ଏଡ଼େ ବଡ଼ ସ୍କୁଲରେ ପାଠ ପଢ଼ାଇବାକୁ, ଆପଣଙ୍କ ଦୟାରୁ ସେ ପଢ଼ୁଛି ।”

ମାଡାମଙ୍କ କଣ୍ଠରୁ ଅଳ୍ପ ନରମ ହୋଇ ଶବ୍ଦ ଝରି ଆସିଲା, “ସାଧୁ ନିଜେ ନିଜେ କାଇଁ ଏତେ କଥା ଭାବି ନେଉଛ ! ତୁମ ଝିଅକୁ ତୁମେ ପାଠ ପଢ଼ାଇବାକୁ ଅନୁରୋଧ କରିଥିଲ ସତ, କିନ୍ତୁ ତା’ ଯୋଗ୍ୟତା ଅନୁଯାୟୀ ତାକୁ ମୁଁ ଏଇଠି ଆଡ଼ମିଶନ ଦେଇଛି ଏବଂ ସେ ଏ ସ୍କୁଲର ଗର୍ବ ।” ତୁମ ପାଇଁ ଏଇ ଲେଖାଟି ସାହିତ୍ୟ ଦିଦି ପଢ଼ି ଦଉଛନ୍ତି ଶୁଣ । ଦିଦି କାଗଜଟିକୁ ନେଇ ପଢ଼ିବା ଆରମ୍ଭ କରନ୍ତେ, ବାକି ଶିକ୍ଷକ ମାନେ ମଧ୍ୟ ଏକାଠି ହୋଇଯାଇଥିଲେ ।

ଦିଦି ପଢ଼ିଲେ, “ଆଜି ଆମ ସ୍କୁଲରେ ବିଶ୍ୱ ମାତୃତ୍ୱ ଦିବସ ଉପରେ ରଚନା ଲେଖିବାକୁ ଦିଆଯାଇଥିଲା । ମୁଁ ମା’ କ’ଣ ଜାଣିବା ଆଗରୁ ମୋ ମା’ ଆର ପାରିକୁ ଚାଲିଯାଇଥିଲେ । ହେଲେ ମା’ର ଅଭାବ କ’ଣ ମୁଁ କେବେ ଜାଣିନି । ଉପାନ୍ତ ଓଡ଼ିଶାର ସୁଦୂର କେଉଁଝର ଜିଲ୍ଲାରେ ଆମ ଗାଁ, ଯାହା ମୋର ମନେ ନାହିଁ । ଶୁଣିଛି ସେ’ଠି ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ ଏ ସବୁ ସାତ ସପନ । ସେଠିକାର ଅନେକ ମା’ଙ୍କ ପରି ମୋ ମା’ ମତେ ଜନ୍ମ ଦେଇ ଆର ପାରିକୁ ଚାଲିଗଲେ । ପରିବାରରେ କେହି ମତେ ସରାଗରେ କୋଳକୁ ନେଇ ନଥିଲେ, କାରଣ ମୁଁ ଝିଅଟିଏ ପୁଣି ମାଆଖାଇ !! କେବଳ ଜଣେ ମତେ ବାହୁ ମେଲି ସବୁ ଗଞ୍ଜଣା ସହି ଛାତିର ବୋକ ଦେଇ ଜୀବନ ଭରି ଦେଇଥିଲେ, ସେ ହେଲେ ମୋ ବାପା । ଜେଜେ, ଠାକୁମା ଆଦି ସମସ୍ତେ ତାଙ୍କୁ ବାଧ୍ୟ କଲେ ଦ୍ଵିତୀୟ ବିବାହ କରିବାପାଇଁ, ମତେ ପାଳିବା ପାଇଁ ନୁହେଁ ବରଂ ବଂଶ ରକ୍ଷକ ପୁଅଟିଏ ପାଇଁ, କାରଣ ମୁଁ ତ’ ଅଲୋଡ଼ା ଝିଅଟିଏ ପୁଣି ମା’ଖାଇ । ମୋ ବାପା ପୁଣି ବିବାହ ନକଲେ ତାଙ୍କୁ ସମ୍ପତ୍ତିରୁ ବେଦଖଲ କରାଯିବ ବୋଲି ଧମକ ମଧ୍ୟ ଦିଆଗଲା । କିନ୍ତୁ ମୋ ବାପା କାହା କଥାକୁ କାନ ନ ଦେଇ, ମତେ କାନ୍ଧରେ ପକାଇ ଭୁବନେଶ୍ୱର ଚାଲିଆସିଥିଲେ । ମୋ ଛଡ଼ା ତାଙ୍କ ପାଖେ କିଛି ବି ନଥିଲା, ମୁଠେ ଚାଉଳ ବି ନୁହେଁ । ମତେ ଯେତେ ସାଙ୍ଗ ମାନେ ମାଳିର ଝିଅ ବୋଲି ହୀନ ଦୃଷ୍ଟିରେ ଦେଖନ୍ତି, ମୁଁ ସ୍କୁଲ କତ୍ତୃପକ୍ଷଙ୍କୁ ମନେ ମନେ ଦୁଇ ଥର ଧନ୍ୟବାଦ ଦିଏ । ମୋ ବାପାଙ୍କୁ ମାଳି ଚାକିରୀଟିଏ ଦେଇଥିବାରୁ, ଆଉ ପୁଣି ମତେ ଏଡ଼େ ବଡ଼ ନାମୀ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ଦେଇଥିବାରୁ । ମା’ ଯଦି ତ୍ୟାଗ, ସ୍ନେହ ଓ କର୍ତ୍ତବ୍ୟବୋଧତାର ମୂର୍ତ୍ତିଟିଏ ହୁଏ, ମୋ ବାପା କେଉଁଥିରେ ବି ପଛରେ ନାହାନ୍ତି । ସେ ମୋ ପାଇଁ ମା’ ବି ଓ ବାପା ବି । ମୁଁ ଏବେ ବଡ଼ ହେଲା ପରେ ବୁଝିପାରୁଛି ମୋ ବାପାଙ୍କ ପେଟ ଦୁଇଟା ରୁଟିରେ ପୁରିଯାଏ କେମିତି ! ପୁଣି ମତେ ଯୋଉଟା ସୁଆଦିଆ ଲାଗେ, ବାପାଙ୍କୁ ସେ’ଟା ଅରୁଚିକର ଲାଗେ କେମିତି । ଦିନ ସାରା ଖରାରେ ଖଟିଲା ପରେ ପୁଣି ଦେହରେ କେଉଁଠୁ ଏତେ ବଳ ଆସେ ଯେ ବୋଲ ପାଇଟି କରି ଦୁଇ ପଇସା ଅଧିକ ରୋଜଗାର କରିକି ଆଣନ୍ତି ! ମତେ ଭଳିକି ଭଳି ପୋଷାକ କୋଉଠୁ ଆଣି ଦିଅନ୍ତି ଆଉ ପାଞ୍ଚ ଜଣଙ୍କ ସହ କେମିତି ମତେ ସମାନ କରିକି ରଖନ୍ତି? ତାଙ୍କ ମୁଣ୍ଡ ସଦା ତଳକୁ ଥାଏ କ’ଣ ମଥା ଟେକି ବାଟ ଚଳିବି ବୋଲି !

ଆଜି ମାତୃଦିବସରେ ମୋ ବାପାଙ୍କ ଠାରୁ ଭଲ ମା’ ମୁଁ କାହୁଁ ଜାଣିବି ! ମୁଁ ବାହା ହୋଇ ଚାଲିଗଲେ ମୋ ବାପାଙ୍କ ଯତ୍ନ କିଏ ନବ? ତେଣୁ ମୋ ଜୀବନର ପ୍ରଥମ ଓ ଶେଷ ପୁରୁଷ ମୋ ବାପା । ମୋ ଛଡ଼ା ତାଙ୍କ ଜୀବନରେ ଆଉ କିଏ ଅଛି । ମାତୃଦିବସରେ ବାପାଙ୍କ ବିଷୟରେ ଲେଖି ଶୃଙ୍ଖଳା ଭଙ୍ଗ କରିଥିବାରୁ ଆଉଥରେ କ୍ଷମା ମାଗୁଛି । କିନ୍ତୁ ମୋ ବାପା ଦୁନିଆର ସର୍ବଶ୍ରେଷ୍ଠ ମା’ । ଯାହା ଲେଖିଛି, ସେଥିରେ ମାର୍କ ତ’ ମିଳିବନି, ଦିଦି ରାଗିବେ ନିଶ୍ଚୟ । କିନ୍ତୁ ମିଛ କିପରି ଲେଖିବି?”

ଖରାର ତାତି ସାଧୁ ବେହେରାର ଦେହର ଦମ୍ଭ ଭାଙ୍ଗି ପାରେନି, କିନ୍ତୁ ଦୁହିତାର ମନର କଥା ଶୁଣି ତା’ ମନରେ ଜମାଟ ବାନ୍ଧିଥିବା ଭାବାବେଗ ହୃଦୟର ବନ୍ଧ ଭାଙ୍ଗି ଆଖି ବାଟେ ଝରିଆସୁଥିଲା । ଦିଦିଙ୍କ ହାତରୁ କାଗଜଟିକୁ ନେଇ ଛାତିରେ ଯାକିଧରିଲା ସେ । ଦିଦି ସ୍ନେହରେ ସାଧୁର ହାତ ଧରି ତାକୁ ଚୌକିରେ ବସାଇଦେଲେ ଓ କହିଲେ “ତୁମ ଝିଅ ଏଇ ରଚନାରେ ଦଶରୁ ଦଶ ନମ୍ବର ପାଇଛି । ସ୍କୁଲର ବାର୍ଷିକ ପତ୍ରିକାରେ ଆମେ ଏଇ ଲେଖାକୁ ସ୍ଥାନ ଦେବୁ । ମାଳି ଭାବେ ତୁମେ ଗଛ ଲତାର ଯେତିକି ଯତ୍ନ ନିଅ, ଜୀବନ ବଗିଚାର ଶ୍ରେଷ୍ଠ ଫୁଲର ଠିକ ସେଇ ଭଳି ଯତ୍ନ ନେଇଛ । ଏ କଥା ଦୁନିଆ ଜାଣୁ । କାଲିଠାରୁ ତୁମେ ମାଳି ନୁହେଁ ହଷ୍ଟେଲ ୱାର୍ଡନ ଭାବେ କାମ କରିବ । ବଗିଚାର ଫୁଲ ମାନଙ୍କଠାରୁ ମହତ୍ତର ଫୁଲ ମାନଙ୍କର ଯତ୍ନ ନେବ । ଆମ ସ୍କୁଲର ଗର୍ବ ତମ ଝିଅଟି ବି ଗର୍ବ ଅନୁଭବ କରିବ ଯେ, କେବଳ ମାଳି କାମ କରିବାକୁ ତା’ ବାପା ଜନ୍ମ ନେଇନଥିଲେ, ବରଂ ଏଇ ହଷ୍ଟେଲର ପିଲାମାନଙ୍କୁ ଭଲ ମଣିଷ କରିବାକୁ ତାଙ୍କ ମଣିଷପଣିଆ ପୂର୍ଣ୍ଣ ବିନିଯୋଗ ହେଉ । ତୁମେ ମାତୃଦିବସରେ ପୂଜାର ଯୋଗ୍ୟ, କାରଣ ଝିଅ ନ ବଞ୍ଚିଲେ ମା’ ଆସିବେ କୋଉଠୁ । ପିଲାଙ୍କ ଗହଣ ଭିତରୁ ତା’ ଝିଅ ଆସି ତା’ ପାଦ ତଳେ ପଡ଼ିଯାଇଥିଲା । ସବୁ ଝିଅମାନେ ଆଜି ତାକୁ ତା’ ନିଜ ଝିଅ ପରି ଲାଗୁଥିଲେ । ତେଣୁ ସେ ତାକୁ ଉଠାଇବାକୁ ଯାଇ ଦେଖିଲା ତା କୁନି ମା’କୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu