ଲକ୍ ଡାଉନ୍

Lockdown

ଜୀବନଟା କେମିତି କେଜାଣି? ଟିକେ ବି ଫୁରସତ ନାହିଁ । ନିଶ୍ୱାସ ପ୍ରଶ୍ୱାସକୁ ସତେ ଅବା କିଏ ବନ୍ଦ କରିଦେଉଛି? କର୍ମଜଞ୍ଜାଳ ଭିତରେ ଛନ୍ଦି ବନ୍ଦୀ କିନ୍ତୁ ଶାନ୍ତି ନାହିଁ କି ଆତ୍ମ ସୁଖ ବି ମିଳେ ନାହିଁ? ସବୁବେଳେ କାର୍ଯ୍ୟବ୍ୟସ୍ତ । କିଛି ବୁଝାପଡ଼େନି କି କିଛି ଜାଣିବି ହୁଏନି । ସେଦିନ କାହିଁକି ଥକା ଲାଗେ? କିଛି କରିବା ପାଇଁ ଇଛା ହୁଏ ନାହିଁ । ମନରେ ବି ଆଗ୍ରହ ନାହିଁ । କେବଳ ଇଛା ହୁଏ ଆତ୍ମୀୟ ସ୍ଵଜନଙ୍କ ସହ ମଧୁର ବାର୍ତ୍ତାଳାପ, ଭାବ ଆଦାନ ପ୍ରଦାନ ଆଉ ସ୍ନେହ ମମତା ବଣ୍ଟନ । ସତରେ କ’ଣ ମୋ ଭାବନା ମୋ ସ୍ୱପ୍ନ ସାର୍ଥକ ହେବ? ଏହା ଭାବି ଭାବି ଆଖି ପତା ପଡ଼ିଯାଏ । ଗଭୀର ନିଦ୍ରାରେ ଶୋଇପଡ଼େ । ପାହାନ୍ତି ପ୍ରହରରୁ ମୋ ମୁଣ୍ଡ ପାଖରେ ସାଇତା ଘଣ୍ଟା ଆଲରମ ସଙ୍କେତ ଛଳରେ ସୂଚିତ କରେ ଉଠ.. ଉଠ.. ଉଠ “ପଥ ଅନେକ ଲକ୍ଷ ଅନେକ ।” ସକାଳ ହେଲାଣି । ପ୍ରକୃତିର ସୂଚନାତ୍ମକ ଡାକ ବି ଦେଲାଣି । କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇ ବାହାରି ପଡ଼ । ଠିକ୍ ସେତିକିବେଳେ ଉଠି ଫାଟକ ପାଖକୁ ବହାରିପଡ଼େ । ସକାଳୁ ଟିକେ ଭ୍ରମଣ ସହ ଚା’ର ମଜା ନେବାକୁ । ହେଲେ ଫାଟକ ପାଖରେ ପହଞ୍ଚି ଦେଖେ ସବୁ ଶୁନଶାନ୍ ନିସ୍ତବ୍ଧ ନିଶ୍ଚଳ ଜନଶୂନ୍ୟ, କେଁ କାଁର ବି ଶବ୍ଦ ନାହିଁ । ଥୁଣ୍ଟା ବରଗଛ ମୂଳେ ଚା’ର ଆସର ବି ନାହିଁ । ଭଳିକି ଭଳିକି ରଙ୍ଗ ବେରଙ୍ଗୀ ଜୋତା ସହ ପୋଷାକ ପୁଣି ବିଭିନ୍ନ ପ୍ରକାରର ଅଙ୍ଗଭଙ୍ଗୀ ଚାଲି ଦୃଷ୍ଟି ଗୋଚର ହୁଏ ନାହିଁ । ମୋତେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଲାଗୁଥାଏ । ଟିକେ ନିରୀଖି ଦେଖିଲା ବେଳେ ରାଜ ରାସ୍ତାକଡ଼େ ଏକ ମନୁଷ୍ୟାକୃତ ତିଆରି ବାଡ଼ ପୁଣି ସେଥିରେ ଆଖିଦୃଶିଆ ରଙ୍ଗୀନ ବ୍ୟାନରରେ ଲେଖା ଝୁଲୁଥାଏ । ଲେଖାଟି କହୁଥାଏ ସୂଚିତ ମଧ୍ୟ କରୁଥାଏ । ମୁଁ ଅଛି ଆସ ନାହିଁ ଏଠାକୁ । ସବୁଠୁ ମୁଁ ଶକ୍ତିଶାଳୀ ପରୋପକାରୀ ଓ ସମାଜ ମଙ୍ଗଳକାରୀ । ବିପଦରୁ ହଟିବା ପାଇଁ ଏକ ସଫଳତମ ଅଭିନ୍ନ ପ୍ରୟାସ ଶ୍ରେଷ୍ଠ ମାର୍ଗ । ମୋର ଅପଣମାନଙ୍କର ଏବଂ ସମାଜ ବିଶ୍ୱର ବେଶ ଜଣାଶୁଣା ଅତିପରିଚିତ ଜୀବନ ରକ୍ଷକ ଲକ୍ ଡାଉନ୍ ।

– ଆଶିଷ କୁମାର ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...