କସ୍ତୁରୀ

Odia Poem Kasturi (କସ୍ତୁରୀ) by Binay Mohapatra

କାହାକୁ ଖୋଜୁଛୁ?
ମୁଁ ଯିଏ, ତୁ ବି’ ସିଏ,
କେବଳ ଫରକ୍ ଏତିକି
ମୁଁ ମୋତେ ଜାଣିଛି
ତୁ ତୋ’ ନିଜକୁ ଜାଣିବା
ଏବେ ମଧ୍ୟ ବାକି ରହି ଅଛି ।
ନିଜର ସତ୍ତାକୁ ଭୁଲି,
ଭ୍ରମରେ ଏ ମଣିଷ
ନିଜେ ନିଜକୁ ଖୋଜୁଛି ।

ଅନନ୍ତ କୋଟି ବ୍ରହ୍ମାଣ୍ତ
ମୁଁ ଯେ ତୋ’ ଅନ୍ତରେ ସ୍ଥାପିଛି
ମୋତେ ଥରେ ନୁହେଁ କେତେ ଥର
ମୁହଁ ଖୋଲି ପ୍ରମାଣ ଦେବାକୁ ପଡ଼ିଥିଲା,
ତୋତେ କିନ୍ତୁ, ତୋ’ ନିଜ ପରିଚୟ
ଆଜି କହ କିଏ ବା ମାଗୁଛି?
ଥରେ ନିଜ ଅନ୍ତରରେ,
ମନ ଦେଇ ନିଜକୁ ଖୋଜ
ନିଜେ ନିଜକୁ ପାଇଗଲେ
ଅନନ୍ତ ବ୍ରହ୍ମାଣ୍ଡ ଭିତରେ
ଖୋଜିବା ପାଇବା,
ପାଇ ପୁଣି ହରାଇବା,
ନିଜକୁ ହଜାଇ
ପୁଣିଥରେ ନିଜକୁ ଖୋଜିବା
ଯେତେ ସବୁ ଜିଜ୍ଞାସାର ଅନ୍ତ ହୋଇଯିବ,
ସେତେବେଳେ,
ତୋ’ ମୋ ଭିତରେ କିଛି ପାର୍ଥକ୍ୟ ନଥିବ ।

ଜଟାଜୁଟେ ସାଜି,
ନିଘଞ୍ଚ ଅରଣ୍ୟେ, ଗହନ କାନ୍ତାରେ
ଅନ୍ଧାରୀ ଗୁମ୍ଫା ଗହରୀରେ
ନିଜେ ନିଜକୁ ହାରିଛି,
କସ୍ତୁରୀ ମୃଗ ତୁଲ୍ୟ, ନିଜେ ଜାଣେ ନାହିଁ,
ଅନାୟାସେ ନିଜେ ନିଜକୁ ଭୁଲିଛି,
ନିଜ ନାଭି କମଳକୁ ଭୁଲି
ଅନନ୍ତ ବ୍ରହ୍ମାଣ୍ଡେ ବ୍ରହ୍ମକୁ ଖୋଜୁଛି ।

ସାଗର ଜଳରେ ଲବଣ
ନିଜେ ନିଜ ସତ୍ତା ପରଖୁଛି,
ନିଜକୁ କେତେ ଛୋଟ ମଣେ ସିଏ,
କେମିତି ସେ ଭୁଲିଯାଏ,
ଲବଣ ଯେ ସମଗ୍ର ସାଗରେ ବ୍ୟାପିଛି ।

– ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...