କଳାଜାଇ

Odia Story Kalajai (କଳାଜାଇ) Swarup Kumar Nayak

“ତମେ ଏଇ ପେପର୍‌ଟା ଧରି କ’ଣ ବସିଗଲ ଯେ ! କାଲି ପରା ରାତିରେ କଥା ହେଇଥିଲା ମୋର ଆଜି ରୋଷେଇ ବନ୍ଦ, ତମେ ରବିବାର ସ୍ପେଶାଲ୍ ବନେଇବ !! ବଜାର ନଯାଇ ସକାଳୁ ପେପର୍ । କି ପୁର ପଶିଛି କେଜାଣି ସେଇ ପେପର୍‌ରେ ।” ପେପର୍ ଟାଣିନେଇ ଜୟ ସାମ୍ନାରେ ଅଣ୍ଟାରେ ହାତ ଦେଇ ଠିଆ ହେଇପଡ଼ିଲା ଆଶା ।
“ଏମିତି ଶକ୍ତିମାନ ଭଳିଆ କ’ଣ ଠିଆ ହେଇ ପଡ଼ିଲ ଯେ? ଦିଅ ପେପର୍, ଗପଟା ଅଧା ପଢ଼ିଛି ପରା ! ଖାଲି ସେଇଟା ସାରିଦିଏ ବଜାର ଯିବି । ଆଜି ପୁରା ରୋଷେଇ ମୋର ଯେ, ତମେ କାଇଁ ବ୍ୟସ୍ତ ହଉଛ ।”
“ହୁଁ, ପୁରା ରୋଷେଇ ପୁଣି ତମର । ଆରମ୍ଭରୁ ଶେଷ ଯାଏ ତ ଫର୍ମାଇସ୍ ଚଲେଇବ ପିଆଜ କାଟିଦିଅ, ରସୁଣ ଛଡ଼େଇ ଦିଅ, ମସଲା ବାଟିଦିଅ । ଆରେ ଆଇଁଷ କ’ଣ ଜାଣିଲେ ସିନା ମୁଁ ସେଇ ହିସାବରେ ସଜ କରିବି ।”
“ହଉ ମା, ଆଜି ସେ ସବୁ ବି ମୁଁ କରିଦେବି । ତମେ ଖାଲି ବସି ଦେଖିବ ଆଉ ଆଙ୍ଗୁଠି ଚାଟି ଖାଇବ । ଏବେ ତ ପେପରଟା ଦେଇଦିଅ ।”
“ନାଇଁ ଥାଉ, ମୋ ଧନଟା କାଇଁ ଏତେ କଷ୍ଟ କରିବ । ସେ ସବୁ ମୁଁ କରି ଥୋଇଦେବି । ତମେ ଆମର ଖାଲି ମସଲା କଷିଦବ ଯେ ! ତମ ମସଲା କଷାରେ ଯାଦୁ ଅଛି ପା ।” ଜୟର ପୁଚୁକା ଗାଲକୁ ଚିପି ଦେଇ କହିଲା ଆଶା ।
“ହଉ, ଏଥର ତ ପେପରଟା ଦିଅ ।” ଆଶାକୁ କୋଳକୁ ଭିଡ଼ିନେଲା ଜୟ ।
“ଆଚ୍ଛା, କି ଗପ ପଢ଼ୁଛ ଦେଖିବା । ଏଁ, କଳାଜାଇ । ଲେଖକ ଜୟଦେବ ପ୍ରଧାନ । ନିଜ ଗପ ନିଜେ ପଢ଼ୁଛ ପୁଣି ଏତେ ଧ୍ୟାନ ଦେଇ । ହେଲେ ଏଇଟା କେବେ ଲେଖିଲ, କେବେ ପଠେଇଲ କାଇଁ ମତେ ତ କହିନ ।”
“ତମ ପାଇଁ ସରପ୍ରାଇଜ୍ ଥିଲା ପରା ।”
“ସରପ୍ରାଇଜ ! ଏତେ ପ୍ରେମ କେବେଠୁ ବା?”
“ଆଶା, ତମେ ନିଜେ ବଡ଼ ପାଟିରେ ପଢ଼ । ତମଠୁ ଶୁଣିବି ଆଜି କଳାଜାଇ କାହାଣୀ ।”
“ହଉ ଶୁଣ ।”

“କଳାଯାଇ”
“ଖୋଲା ଭିଜା କେଶ, ମଥା ଉପରୁ ଗାଲଯାଏ ବହିଆସିଥିବା ଅମାନିଆ ଚକ୍ ଚକ୍ ପାଣିଧାର, ଢଳ ଢଳ କଥାକୁହା ଆଖି, ଭିଜା ସିନ୍ଦୁରର ପତଳା ଦାଗ, ଗୋରା ତକ୍ ତକ୍ ଦେହରେ ରକ୍ତ ଲାଲ ଓଠ, ଓଠ ତଳ ସେ କଳାଜାଇ, ଗୋରା ଦେହକୁ ଜଗିଥିବା ଖଣ୍ଡେ ଟାୱେଲ୍, ଗାଧୁଆ ଘରୁ ବାହାରି ଆସୁଥିବା ସେ…. ।”

ପେପର୍ ତଳକୁ କରି ଜୟ ଅଖିକୁ ଚାହିଁଲା ଆଶା ।

“ଆରେ ପଢ଼ ଆଗକୁ ।”
“ନାଇଁ ବାବା, ତମେ ରଖ ତମ ଗପ । ନିଜେ ପଢ଼ । ମୁଁ ପାରିବିନି ।”

ପେପର ଥୋଇ ଦେଇ ଚାଲିଗଲା ଆଶା ମସଲା ବାଟିବାକୁ । ଜୟ ପେପର ଧରିଲା, ନିଜ ଗପ ପଢ଼ିସାରି ପୁଣି ଜଲଦି ବଜାର ବାହାରିବାକୁ ପଡ଼ିବ ଯେ ।
ବଜାରରୁ ଫୋନ୍ କରିଦେଇଥାଏ ଜୟ ପୋହଳା ମାଛ ନେଇ ଯାଉଛି ବୋଲି । ଆଶା ବି ସୋରିଷ ମସଲା ବାଟିଦେଇଥାଏ । ଦୁହେଁ ରୋଷେଇ ଘରେ ରବିବାରିଆ ରାନ୍ଧଣା ପାଇଁ ରେଡ଼ି ।
ହେଲେ ଆଶା ଚେହେରାରେ ସକାଳର ସେ ହସ ନାଇଁ କି ଦୁଷ୍ଟାମି ନାଇଁ । ବାହାଘରର ଛ’ ମାସ ହେଇଥିଲେ ବି ଜୟ ଆଶାର ମନକୁ ଛଅ ସେକେଣ୍ଡରେ ପଢ଼ିପାରେ । ଆଗ୍ନେୟଗିରି ତଳ ସୁପ୍ତ ଲାଭା ଧୀରେ ଧୀରେ ଗରମ ହବାର ତାତି ବାଜୁଥିଲା ଜୟକୁ ।

“କଣ ହେଇଛି ଆଜି ଚଣ୍ଡୀର । ହସ ଶୁଖି ଯାଇଛି ଯେ । କିଏ କ’ଣ କହିଲା କି?”
ପ୍ରଥମେ ନାହିଁ ନାହିଁ ହଉଥିବା ଆଶା ଶେଷକୁ ପଚାରିଲା, “ତମେ ସେ କଳାଜାଇ କଥା କୀର୍ତ୍ତି ପାଇଁ ଲେଖିଛ ନା? ତା”ର ସେଇ ଓଠ ତଳେ କଳାଜାଇ, ଦେଖିବାକୁ ତୋଫା ଗୋରା । ମୁଁ ତ ଶ୍ୟାମଳି । ମୋ ଦେହରେ ପାଣିଗାର କ’ଣ ଚକ୍ ଚକ୍ ଦିଶିବ?”

ହୋ ହୋ ହେଇ ରାବଣ ଭଳିଆ ହସ ହସିଲା ଜୟ । “ପାଗେଳୀ, ତମ ମନ ଯାଇ ସେଇଠି । ଆରେ ସେଇଟା ଖାଲି ଗପ ପରା । ଗପରେ କ’ଣ ଜୀଅନ୍ତା କିଛି ଥାଏ । ଏ ସବୁ ତୁଚ୍ଛା କଳ୍ପନା ପରା ଗପରେ ଚରିତ୍ର ଭରିବା ପାଇଁ ।”

“ମୁଁ ଜାଣିଛି, ଏ ସବୁ କୀର୍ତ୍ତି ପାଇଁ । ସେ ବି ଲେଖାଲେଖି କରେ, ତମ ଗପର କେତେ ପ୍ରଶଂସା କରେ । ତମେ ତା’ କବିତା ସଜାଡ଼ିଦବା ପରେ ସେ ଫେସବୁକରେ ପୋଷ୍ଟ କରେ । ତା’ ପାଇଁ ଏ ଗପ ନା?”

“ଆରେ ବୋକି, କୀର୍ତ୍ତି ପରା ତମ ସାଙ୍ଗ । ପୁଣି ବାହା ହେଇ ସାରିଛି ଆମ ବାହାଘର ଆଗରୁ । ଆଜିଯାଏ ଭେଟିନି ବି ମୁଁ ତାକୁ କେବେ । ତମେ ତା’ ସହ ସବୁଦିନ ଫୋନ୍‌ରେ ଘଣ୍ଟା ଘଣ୍ଟା ଗପିବା ବେଳେ ମୁଁ କଥା ମଝିରେ ଢୁଆ ମାରେ ଯାହା । ସେ ମୋ ଗପର ଚରିତ୍ର କାଇଁ ହବ !”

“ଆଉ ସେ ଯୋଉ ତମ ଫେସବୁକରେ କମେଣ୍ଟ କରିଥିଲା, ଭାଗ୍ୟବତୀ ସେ କାବ୍ୟ ନାୟିକା । ତମେ ବି ତାକୁ ସେ କୁଣ୍ଢେଇ ପକେଇବା smiley ଦେଇଥିଲ । ତମେ ସେଥିଲାଗି ତା’ପାଇଁ ଗପ ଲେଖିଦେଲ । ମୁଁ ସବୁ ଜାଣିଛି ଯେ ।”

ଜୟ ବୁଝିସାରିଥିଲା କଥାରେ ସେ ଆଉ ଲଢ଼ିପାରିବନି । ପଛରୁ ଆଶାର ଅଣ୍ଟା ଭିଡ଼ିନେଇ କହିଲା, “ମୋର ଏଇ ଗୋଟିକ କୋଟିଧନ ପରା ! ଏଇ ଜଣେ ହିଁ ନାୟିକା । କାବ୍ୟରେ, ଗପରେ, ଜୀବନରେ ସେଇ ଜଣେ ।”

ଜୟ ହାତକୁ ଠେଲି ଦେଇ ଆଶା କହିଲା, “ଶୁଣ, ତମେ ବଜାର ଗଲାପରେ କୀର୍ତ୍ତି ଫୋନ୍ କରିଥିଲା । ଆର ରବିବାର ସେ ଫ୍ଲାଇଟରେ ଦିଲ୍ଲୀରୁ ଏକା ଆସିବ । ସଂଗ୍ରାମ ଆସିବେନି । ମୁଁ କହିଦେଇଛି ତାକୁ ଏଠି ଦି’ଦିନ ରହି ତା’ ଗାଁକୁ ଯିବ । ତମେ ତାକୁ ଏୟାରପୋର୍ଟରୁ ନେଇ ଆସିବ । ସେଇ ବାହାନାରେ ତମର ତାକୁ ନ ଦେଖିବାର ଅବଶୋଷ ବି ମରିଯିବ ।” କହିଦେଇ ମୁହଁ ମୋଡ଼ିଦେଲା ଆଶା ।

ଜୟ ବି ଦାନ୍ତ ଦି ଧାଡ଼ି ଦେଖେଇ ଦେଲା । ଝଗଡ଼ା ଝଡ଼ ଆସିବା ଆଗରୁ ଉଡ଼ିଯିବାର ଯୋଉ ଖୁସି !!!

ପର ରବିବାର ରାତି ନଅ କୀର୍ତ୍ତିର ଫ୍ଲାଇଟ୍ ଭୁବନେଶ୍ୱର ପହଞ୍ଚିବା ସମୟ । ସାଢ଼େ ଆଠରୁ ଘରୁ କାର୍ ଧରି ବାହାରିଲା ଜୟ । ଡିଓ ପକେଇଲା ବେଳେ ବି ଆଶା ତେରଛା କମେଣ୍ଟ ଦି’ଟା ମାରିଥିଲା ଯେ ! ଆରାମରେ ନଅ ଆଗରୁ ଯାହା ପହଞ୍ଚିଯିବ ବୋଲି ସେ ଭାବିଥିଲା ଫାୟାର ଷ୍ଟେସନରୁ ଓୟୁଏଟି ମଝିରେ ଏତେ ଟ୍ରାଫିକ୍ !! ନଅଟା ପରଠୁ କଲ୍ କରି ଚାଲିଥାଏ କୀର୍ତ୍ତିକୁ । ହେଲେ ଫୋନ୍ ସେଇ ସୁଇଚ୍ ଅଫ୍ । ଫ୍ଲାଇଟରୁ ଓହ୍ଲେଇ ଫୋନ୍ ଅନ୍ କରିବାକୁ ଭୁଲି ଯାଇଛି ବୋଧେ । ଏ ସବୁ ଭିତରେ ଏୟାରପୋର୍ଟ ପହଞ୍ଚୁ ପହଞ୍ଚୁ ପାଖାପାଖି ସାଢ଼େ ନ’ । କୀର୍ତ୍ତି ଫୋନ୍ ଏବେ ବି ବନ୍ଦ । କାରରୁ ବାହାରି ଚାରି ଆଡ଼କୁ ଅନେଇଲା ବେଳକୁ ପଛରୁ କୀର୍ତ୍ତିର ଡାକ,

– ହାଏ ଜୟ !
– ଆରେ ସରି, ଟ୍ରାଫିକ୍‌ରେ ରହିଗଲି ଡେରି ହେଇଗଲା । ଆଉ ତମ ଫୋନ୍ ବି ବନ୍ଦ । ବ୍ୟସ୍ତ ହେଇଯିବଣି ତମେ ।
– ସରି, ମୋର ବି ଫୋନ୍ ଚାର୍ଜ ସରିଯାଇଛି, ଚାଲ ଯିବା ।
– ଆରେ ତମ ବ୍ୟାଗ୍ କାଇଁ?
– ମତେ ନବାକୁ ଆସିଛ ନା ବ୍ୟାଗ୍‌କୁ?
– ସରି ସରି । ବସ କାର୍‌ରେ ।

କାର୍‌ରେ ଦୁଇ ଜଣ ବସିବା ପରେ ଗୀତର ଭଲ୍ୟୁମ୍ ଜୟ ବଢ଼େଇବା ବେଳେ କୀର୍ତ୍ତି କହିଲା;

– ସାଙ୍ଗରେ ଜଣେ କବି ଲେଖକ ଥାଉଥାଉ ଏ ରାସ୍ତା ଟିକକ ପାଇଁ କ’ଣ ଗୀତର ସାହାରା ନବାକୁ ପଡ଼ିବ?
– “ତମେ ବି ବହୁତ ଭଲ ଲେଖ କୀର୍ତ୍ତି, ଭଙ୍ଗାହୃଦୟର ଖଣ୍ଡ ଖଣ୍ଡ ଖପରାକୁ ଥାକ କରି ପ୍ରେମର ସୌଧ ବନେଇପାର”, ଅଳ୍ପ ହସି କହିଲା ଜୟ ।
– ମିଛ ପ୍ରଶଂସା ବି ତମକୁ ଭଲରେ କରି ଆସେନି ଜୟ, ସେ ଧାଡ଼ି ପରା ତମେ ଯୋଡ଼ିଦେଇଥିଲ ।
– ହେଲେ ଭାବ ତ ତମର ଥିଲା ।
– ହଁ ଭାବ ! ବୁଝିପାରିଲେ ବନ୍ଦ ଓଠ, ଆଖି ବି ଅନେକ କିଛି କହିଯାଆନ୍ତି ଜୟ ।
– ସଂଗ୍ରାମ ସୁନ୍ଦର ପଢ଼ିପାରୁଥିବେ ତୁମ ଆଖି ।
– ସେ ଜୟ ନୁହନ୍ତି । ଜୟ ସିନା ନ ଦେଖି ବି ପଢ଼ିପାରେ କୀର୍ତ୍ତିକୁ । କୀର୍ତ୍ତିର ଭାବକୁ ଶବ୍ଦ କରି ସଜେଇ ଦିଏ କବିତାରେ ।

ଗାଡ଼ି ଧୀର ହେଇଗଲାଣି କେତେବେଳୁ, ରାସ୍ତା ସରିଯିବାର ଭୟ ଅଛି ଯେ । କୀର୍ତ୍ତି ଗପିଚାଲିଥାଏ…

– ତମେ ଲେଖାରେ ଯେତେ ରୋମାଣ୍ଟିକ୍ ସାମ୍ନାରେ ବିଲକୁଲ ସେମିତି ନୁହେଁ ଜୟ ।
– ଆରେ ସାମ୍ନାରେ କେମିତି ଆଉ ।
– ନାଇଁ ପଛରେ ଖାଲି ଲେଖିପାରିବ ଓଠ, କଳାଜାଇ, ଟାୱେଲ୍ ଘେରା ଗୋରା ଦେହ କଥା ।
– ସେ ନାୟିକା ତୁମେ ନ ଥିଲ ତ । ସେ କେବଳ କଳ୍ପନା ଥିଲା ।
– ଏ ଗପ କହି ଆଶାକୁ ଭୁଲେଇ ପାରିବ ଜୟ, କୀର୍ତ୍ତିକୁ ନୁହେଁ ।

ଏସି କାରରେ ବି ଜୟ ମଥାରେ ଝାଳ । ସତ ଧରା ପଡ଼ିଗଲେ ଯେମିତି ଝାଳ ବାହାରେ, ସେମିତି ।

– କ’ଣ ଚୁପ୍ ରହିଲ ଯେ ! ଭଲରେ ମନ ଭରି କଳାଜାଇ ଦେଖିବନି କି? ଦେଖିବନି ରକ୍ତ ଲାଲ ଓଠ? ପାଣିଧାର କ’ଣ ଗାଲ ପାଖରେ ଅଟକି ଯିବ କି? ବହି ଆସି ଲୁଚିଯାଇପାରେ ଟାୱେଲ୍ ତଳେ । ଲୁଚକାଳି ଖେଳିବ ତା’ ସହ?

କାର୍ ଆପେ ଅଟକି ଯାଇଥିଲା । ରାସ୍ତା ବି ସରି ଆସୁଥିଲା । ଫୋନରେ ରିଂଗ୍, ଆଶାର କଲ୍ । କାରରୁ ବାହାରି ଆସିଲା ଜୟ । ଭିତରେ କଥା ହବା ରିସ୍କ ହେଇପାରେ ।

– ହାଲୋ
ସେପଟୁ ଆଶାର ଭୋ ଭୋ କାନ୍ଦ ।
– ଆରେ କ’ଣ ହେଇଛି, କିଛି କୁହ, କାଇଁ କାନ୍ଦୁଛ ।
– କୀର୍ତ୍ତିର ଫ୍ଲାଇଟ୍ କ୍ରାସ୍ କରିଯାଇଛି, ସଂଗ୍ରାମ ଫୋନ୍ କରିଥିଲେ । ନ୍ୟୁଜରେ ବି ଦେଖଉଛି ।
– କୀର୍ତ୍ତି? କାର୍ ଭିତରକୁ ଗଳି ଅନେଇଲା ଜୟ । ଆଗ ସିଟ୍ ପୁରା ଖାଲି ।

– ସ୍ୱରୁପ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...