ସମୟ ଆଜି ପଚାରେ ମୋତେ
ହସିଛି କେତେ ମୁଁ କାନ୍ଦିଛି କେତେ
ହସିବାଟା ସିନା ଦୁନିଆ ଦେଖେ
ହେଲେ ସମୟ ତୁ ତ ଦେଖିଛୁ
ରାତି ରାତି ମୁଁ କାନ୍ଦିଛି କେତେ !
ରାତି ଆଜି ପଚାରେ ମୋତେ
ଶୋଇଚୁ କେତେ ତୁ ଚେଇଁଚୁ କେତେ
ଶୋଇବାଟା ସିନା ଦୁନିଆ ଜାଣେ
ହେଲେ ରାତି ତୁ ତ ଜାଣିଚୁ
ଚେଇଁ ଚେଇଁ ରାତି କାଟିଛି କେତେ !
ମୋ ମନ ଆଜି ପଚାରେ ମୋତେ
ପାଇଛୁ କେତେ ତୁ ଦେଇଛୁ କେତେ
ଦେବାଟା ସିନା ଦୁନିଆ ଦେଖିନି
ହେଲେ ମନ ତୁ ତ ଜାଣିଛୁ
ଦେଇ ଦେଇ ମୁଁ ପାଇଛି କେତେ !
ଜୀବନ ଆଜି ପଚାରେ ମୋତେ
ବଞ୍ଚିଛି କେତେ ମୁଁ ମରିଛି କେତେ
ବଞ୍ଚିବାଟା ସିନା ସମୟ ଦେଖିଛି
ହେଲେ ଜୀବନ ତୁ ତ ଜାଣିଛୁ
ବଞ୍ଚି ବଞ୍ଚି ମୁଁ ମରିଛି କେତେ !
– ରଶ୍ମୀ ବାଳା ଶତପଥୀ
Comments
ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।