ଜୀବନ

Odia Poem Jibana (ଜୀବନ) by Ayushman Tripathy

ଜୀବନଟା କେବେ ମଧୁର ଝରଣା
ବହେ ଶାନ୍ତି ଜଳ ଧାରା
ପବନେ ଦୋହଲି ହେଇଯାଏ ସେ
ଧାନ୍ୟ କ୍ଷେତର ନିର୍ଝରା ।

ଜୀବନଟା କେବେ ମଧୁ ବସନ୍ତର
ମହୁ ମିଠା ଜ୍ୟୋତ୍ସ୍ନାଭାସ
କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା
କରିଦେଲା ସର୍ବନାଶ ।

ଜୀବନଟା କାଇଁ ଲାଗେ ନଈ ନିକି
ଅଙ୍କା ବଙ୍କା ତା’ର ଗତି
ଦୋଛକିରେ ଯାଇ ଅଟକି ଯାଇଛି
ଜୀବନର କଳାକୀର୍ତ୍ତି ।

ଜୀବନଟା ଲାଗେ ତପସ୍ଵିନୀ ପରି
ଜନକ ନନ୍ଦିନୀ ରୂପେ
ପ୍ରତି ମୁହୂର୍ତ୍ତରେ ଅଗ୍ନି ପରୀକ୍ଷା
ଆସେ ଅହଙ୍କାର ରୂପେ ।

ଜୀବନ ସାଜେ ଜେଜେଙ୍କ ମୁଖର
ନବ ନିର୍ମିତ କାହାଣୀ
କେବେ ଆଭାସରେ ନିରୀମାଖି ଓଠେ
ଅଶ୍ରାବ୍ୟ ନୀତିବାଣୀ ।

ଜୀବନଟା ଲାଗେ ପାଦଚିହ୍ନ ପରି
ରିକ୍ତ ମରୁରେ ଲୀନ
ଉତ୍ତପ୍ତ ବାଲିର ଅଦୃଶ୍ୟ ପ୍ରାସାଦ
ଅଶାନ୍ତ ସଙ୍ଗୀତ ଗାନ ।

ଜୀବନଟା ଗୋଟେ ଦରଦୀ ସଙ୍ଗୀତ
ବୀଣା ଝଙ୍କାରର ତାନ
ମଧୁର କର୍କଷ ମିଳିତ ସଙ୍ଗୀତେ
ଅଗ୍ରସର ଏ ଜୀବନ ।

ଜୀବନଟା ଆଜି ସନ୍ଧ୍ୟା ରୂପରେ
ଆଲୋକର ସୀମା ଲଂଘେ
ଅଜ୍ଞାନ ସାଗରେ ଜ୍ଞାନ ଢାଳିଦେଇ
ଦିବସ ପ୍ରକୋପ ଭାଙ୍ଗେ ।

ଜୀବନରେ କେବେ ଆସିବ ଦିବସ
ସେଇ ମୁହୂର୍ତ୍ତ କୁ ଖୋଜେ
ଜୀବନର ଶେଷ ନିକଟ ବେଳାରେ
ସମାପ୍ତିର ଶଙ୍ଖ ବାଜେ ।

– ଆୟୁଷ୍ମନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...