ଝୁମୁକା

Odia Poem Jhumuka (ଝୁମୁକା) by Soumya Ranjan Pal

ଓଠରେ ଖଇରୀ ମାଥେ କଳାବିନ୍ଦି କାନରେ ତୋର ଝୁମୁକା
ବାର ବାର ମୋର ନଜର କିଣଇ କାନରେ ତୋର ଝୁମୁକା ॥

ତୋ କଳା କେଶର ଛାଇ ତଳେ ରହି ଶୋଇବାକୁ ମୋର ମନ
ହେଲେ ତୋ କେଶରେ ଛନ୍ଦିରହି ଦୋଳି ଖେଳୁଛି କାନେ ଝୁମୁକା ॥

ଦେବୀ ଉପାସନା ପାଇଁ ମନ୍ଦିରକୁ ଯିବାର ହୁଏନା ପ୍ରାୟ
ହେଲେ ଦେବୀ ତୁହି ଘଣ୍ଟି ସମ ଝୁଲେ କାନରେ ତୋର ଝୁମୁକା ॥

ସିଧା ଆଖି ମୋର ମିଶେନା ତୋ ସହ ଦେଖେ ତୋତେ ଏ ଦୁନିଆଁ
ଅସୀମ ସାହସେ ବତାଶେ ଦୋଳି ତୋ ବେକ ଚୁମଇ ଝୁମୁକା ॥

ପାଉଁଜିର ସ୍ଵନ ଅଚିରେ ପାରଇ କରି ଦୂରୁ ସମ୍ମୋହନ
ହେଲେ ମୋର ଏଇ ଉଷ୍ଣ ନିଃଶ୍ବାସକୁ ବଶ କରେ ତୋ ଝୁମୁକା ॥

ବଜାରେ ବିକଇ ଭିନ୍ନ ରଙ୍ଗୀ ଭିନ୍ନ ସ୍ତରେ ଆକାରେ ପ୍ରକାରେ
ହେଲେ ତୋ କାନର ଶୋଭା ଯେ ବଢ଼ାଏ ଦାମିକା ସେଇ ଝୁମୁକା ॥

ବେଣୀ ବାନ୍ଧି ଫୁଲ ଖୋସି ଅଣ୍ଟା ଆଉ ଚାଲିର ଜବାବ ନାହିଁ
ହସ ଜିଣେ ମନ ଦେଖିଲେ ମୁହଁ ତୋ ପଛରୁ ଟାଣେ ଝୁମୁକା ॥

ଥାଉ କି ନଥାଉ ପାଦରେ ଅଳତା କଜଳ ନଖ ରଙ୍ଗୀନ
ଆଧୁନିକା ବାଦେ ଶାଢ଼ୀ ସାଲୁଆରେ ଥାଉ କାନରେ ଝୁମୁକା ॥

ନାରୀ ପାଇଁ ସଦା ରହିଛି ସମ୍ମାନ ଶକ୍ତିର ପ୍ରତୀକ ନାରୀ
କୋମଳ ହୃଦୟ ଶକ୍ତ ମନର ଯେ ପ୍ରତୀକ ତୋର ଝୁମୁକା ॥

ରହେ ବା ନରହେ ମୁଁ ତୋର ଜୀବନେ ସମୟେ ଭରସା ନାହିଁ
ହେଲେ ତୋ ଖୁସିର ପରିଚୟ ନେଇ କାନରେ ଥାଉ ଝୁମୁକା ॥

– ସୌମ୍ୟ ରଞ୍ଜନ ପାଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...